ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ 

ନବରଙ୍ଗପୁରରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ 

ନବରଙ୍ଗପୁର:( ତା ୨୯.୬.୨୦୨୬)(ରବି ନାରାୟଣ ମହାନ୍ତି)ରାଷ୍ଟ୍ର ନିର୍ମାଣରେ ପରିସଂଖ୍ୟାନର ଭୂମିକା ଉପରେ ବିସ୍ତୃତ ଆଲୋଚନା ପ୍ରଖ୍ୟାତ ପରିସଂଖ୍ୟାନବିତ୍ ପ୍ରଫେସର ପି. ସି. ମହାଲାନୋବିସଙ୍କ ଜନ୍ମ ଜୟନ୍ତୀ ଅବସରରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ–୨୦୨୬ ସୋମବାର ନବରଙ୍ଗପୁର ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଏହି ଅବସରରେ ପରିସଂଖ୍ୟାନ ର ସଠିକତା, ନିର୍ଭରଯୋଗ୍ୟତା ଏବଂ ରାଷ୍ଟ୍ର ନିର୍ମାଣ, ନୀତି ପ୍ରଣୟନ ଓ ସମନ୍ୱିତ ବିକାଶରେ ଏହାର ଅପରିହାର୍ଯ୍ୟ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ଛାତ୍ରଛାତ୍ରୀ, ଶିକ୍ଷାବିତ୍, ବେସରକାରୀ ସଂଗଠନର ପ୍ରତିନିଧି ଓ ପରିସଂଖ୍ୟାନ କ୍ଷେତ୍ର ସହ ଜଡିତ ବ୍ୟକ୍ତିବିଶେଷମାନେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ଉପନିର୍ଦ୍ଦେଶିକା (ଯୋଜନା ଓ ପରିସଂଖ୍ୟାନ), DPMU ଡ଼. ଜୟନ୍ତୀ ମାଳା ନାୟକ ସମସ୍ତ ଅତିଥି ଓ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇବା ସହ ଜାତୀୟ ପରିସଂଖ୍ୟାନ ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସଠିକ୍ ପରିସଂଖ୍ୟାନ ହେଉଛି ସୁଶାସନ, ବୈଜ୍ଞାନିକ ଯୋଜନା ପ୍ରସ୍ତୁତି ଏବଂ ଲୋକକଲ୍ୟାଣମୂଳକ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନର ମୂଳ ଆଧାର। ବିକାଶମୂଳକ ଯୋଜନାଗୁଡ଼ିକର ଯଥାର୍ଥ ମୂଲ୍ୟାଙ୍କନ ଓ ଭବିଷ୍ୟତ କାର୍ଯ୍ୟଯୋଜନା ପ୍ରସ୍ତୁତିରେ ପରିସଂଖ୍ୟାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ସହକାରୀ ନିର୍ଦ୍ଦେଶକ ଶ୍ରୀ ଐଶ୍ୱର୍ଯ୍ୟ ଭଞ୍ଜ ଜିଲ୍ଲାସ୍ତରରେ ପରିସଂଖ୍ୟାନର ବ୍ୟବହାର, ସରକାରୀ ଯୋଜନାର ନିରୀକ୍ଷଣ, ବିଭିନ୍ନ ସାମାଜିକ ଓ ଆର୍ଥିକ ସୂଚକାଙ୍କ ସଂଗ୍ରହ, ବିଶ୍ଳେଷଣ ଏବଂ ତଥ୍ୟ ଆଧାରିତ ନିଷ୍ପତ୍ତି ଗ୍ରହଣରେ ପରିସଂଖ୍ୟାନର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ସେ ବର୍ତ୍ତମାନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷାରେ ପରିସଂଖ୍ୟାନ ବ୍ୟବସ୍ଥାର ଅବଦାନ ଉପରେ ମଧ୍ୟ ଆଲୋକପାତ କରିଥିଲେ।ଅଧ୍ୟକ୍ଷୀୟ ଅଭିଭାଷଣରେ ଅତିରିକ୍ତ ଜିଲ୍ଲାପାଳ ଡ଼. ପ୍ରମୋଦ କୁମାର ପୃଷ୍ଟି କହିଥିଲେ ଯେ, ପରିସଂଖ୍ୟାନ କେବଳ ସଂଖ୍ୟାର ସଂଗ୍ରହ ନୁହେଁ, ବରଂ ଏହା ବିକାଶର ଦିଗ ନିର୍ଦ୍ଧାରଣ କରୁଥିବା ଏକ ପ୍ରଭାବଶାଳୀ ଉପକରଣ। ସଠିକ୍ ଓ ନିର୍ଭରଯୋଗ୍ୟ ତଥ୍ୟ ସରକାରଙ୍କୁ ଲୋକଙ୍କ ବାସ୍ତବ ଆବଶ୍ୟକତା ବୁଝିବାରେ ଏବଂ ସେହି ଅନୁଯାୟୀ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ। ସେ ଯୁବପିଢ଼ିଙ୍କୁ ପରିସଂଖ୍ୟାନ ବିଷୟରେ ଆଗ୍ରହୀ ହେବା ସହ ତଥ୍ୟ ଆଧାରିତ ଚିନ୍ତାଧାରା ଗଢ଼ି ତୋଳିବାକୁ ଆହ୍ୱାନ କରିଥିଲେ।ଜାତୀୟ ପରିସଂଖ୍ୟାନ ଦିବସ ଉପଲକ୍ଷେ ମଡେଲ୍ ଡିଗ୍ରୀ କଲେଜ, ନବରଙ୍ଗପୁରରେ କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ପରିସଂଖ୍ୟାନ ସମ୍ପର୍କିତ ନିଜ ଜ୍ଞାନ ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ଆଜିର କାର୍ଯ୍ୟକ୍ରମ ରେ ସେହି କୃତୀ ପ୍ରତିଯୋଗୀମାନଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ଏହି ଅବସରରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ବେସରକାରୀ ସଂଗଠନର ପ୍ରତିନିଧିମାନେ ପରିସଂଖ୍ୟାନର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିବା ସହ ତଥ୍ୟ ଆଧାରିତ ବିକାଶ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।ଶେଷରେ ସହକାରୀ ନିର୍ଦ୍ଦେଶକ (ପରିସଂଖ୍ୟାନ), DPMU, ନବରଙ୍ଗପୁର ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜାମଦାରେ ଚଇତି ପର୍ବ ଅନୁଷ୍ଠିତ

Sunil Chandra Nayak

ଡ଼କ୍ରି ଦୋରା ଜଳ ପ୍ରପାତ ରେ ଗାଧୋଉଥିବା ବେଳେ ଯୁବକ ନିଖୋଜ : ଆସନ୍ତାକାଲି ଖୋଜିବ ଅଗ୍ନିଶମ ବିଭାଗ

masiha

ପୁଲୱାମା ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର

masiha

Leave a Comment

error: Content is protected !!