କାପସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ନୂଆପଡ଼ା ଜିଲ୍ଲା ସିନାପାଲି ସଦର କାପସି ସ୍ଥିତ ବରଗଛ ଛକ ନିକଟରେ ଏକ ଭାବପୂର୍ଣ୍ଣ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କାପସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା (୧୯୮୯ ମସିହା) ଠାରୁ ଦୀର୍ଘ ବର୍ଷ ଧରି ବିଦ୍ୟାଳୟରେ ନିଜର ନିଷ୍ଠାପର ସେବା ପ୍ରଦାନ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ ଏବଂ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ନନ୍ଦ କୁମାର ପାତ୍ରଙ୍କୁ ଏହି ଅବସରରେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଦୀର୍ଘ ୩୭ ବର୍ଷ ଧରି ଏହି ଅନୁଷ୍ଠାନର ନେତୃତ୍ୱ ନେଉଥିବା ବେଳେ ଗତ ୨୦୨୧ ମସିହାରେ ସହକାରୀ ଶିକ୍ଷକ ଶ୍ରୀ ପାତ୍ର ଅବସର ନେଇଥିଲେ।
କାପସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ସଂଘ ଆନୁକୂଲ୍ୟରେ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଗୁରୁଜୀଙ୍କର ସେବା, ତ୍ୟାଗ ଓ ଆଦର୍ଶକୁ ସମ୍ମାନ ଜଣାଇ ଅସଂଖ୍ୟ ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ସେମାନଙ୍କ ଅତୁଳନୀୟ ଅବଦାନକୁ ଏହି ସଭାରେ ସ୍ମରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଭାତ କୁମାର ପାତ୍ର, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ତପନ ସା, ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀ ମୁବାରକ ଖାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବାମଦେବ ଦାସ ଏବଂ ବର୍ତ୍ତମାନ ଏହି ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶ୍ରୀ ଅତୁଲ କୁମାର ପାତ୍ର ମଞ୍ଚାସୀନ ଥିଲେ। ସମସ୍ତ ଅତିଥି ବିଦାୟୀ ଶିକ୍ଷକଦ୍ୱୟଙ୍କ ଗୁଣଗାନ କରିବା ସହ ବିଦ୍ୟାଳୟ ପ୍ରତି ସେମାନଙ୍କର ନିଷ୍ଠାପର ଅବଦାନ ଉପରେ ଆଲୋକପାତ କରିଥିଲେ।
ଏହି ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ଶ୍ରୀ ପ୍ରକାଶ ପାତ୍ର ଏହି ସଭାକୁ ପରିଚାଳନା କରିଥିବା ବେଳେ ଉପସ୍ଥିତ ପୁରାତନ ଛାତ୍ର ଶ୍ରୀ ମୋହନ ଚରଣ ଦାସ, ଶ୍ରୀ ମହେନ୍ଦ୍ର ଦାସ, ଶ୍ରୀ କୈଳାସ ଜଗତ, ଶ୍ରୀ ସଂଜୀବ ମେହେର ଏବଂ କୁମାରୀ ତାରା ଜଗତ ନିଜ ଛାତ୍ର ଜୀବନର ଅନୁଭୂତିକୁ ସମସ୍ତଙ୍କୁ ଜଣାଇଥିଲେ। ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ଏହି ଅବସରରେ ଶିକ୍ଷକଦ୍ୱୟଙ୍କୁ ଉପହାର ଭେଟି ଦେଇଥିବା ବେଳେ ଆୟୋଜକ ସମିତି ପୁରାତନ ଛାତ୍ରଛାତ୍ରୀ ସଂଘ ତରଫରୁ ମାନପତ୍ର ଓ ଉପଢୌକନ ମାଧ୍ୟମରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ଥାନୀୟ ଗ୍ରାମବାସୀ ତଥା ସମସ୍ତ ଛାତ୍ରଛାତ୍ରୀ ଏହି ଦୁଇ ଗୁରୁଜୀଙ୍କର ଅବସର ଜୀବନ ସୁଖମୟ ଏବଂ ନିରାମୟ ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଶେଷରେ ଶ୍ରୀ ମନୋଜ ଜଗତ ଧନ୍ୟବାଦ ଅର୍ପଣ କରିଥିଲେ। ପୁରାତନ ଛାତ୍ର ସଂଘର ଏହି ସଭା ଆୟୋଜନ କରିବାରେ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିବା ବେଳେ ଶ୍ରୀ ବିହାରୀ ଲାଲ ମସରା, ଶ୍ରୀ ବିଷ୍ଣୁ ସା, ଶ୍ରୀ ଦେବସିଂ ମାଝୀ, ଶ୍ରୀ ଚକ୍ରଧର ସା, ଶ୍ରୀ ମନୋଜ ସା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

