ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦେବସ୍ନାନ ପୂର୍ଣ୍ଣିମା : ସ୍ନାନ ମଣ୍ଡପରେ ବିଜେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମେତ ବଡଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ

ଦେବସ୍ନାନ ପୂର୍ଣ୍ଣିମା : ସ୍ନାନ ମଣ୍ଡପରେ ବିଜେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମେତ ବଡଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ

ରାଉରକେଲା ୨୯/୬, ଆଜି ଜ୍ଯେଷ୍ଠ ଶୁକ୍ଳପକ୍ଷ ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରଧାମ ପୁରୀ ସମେତ ସମଗ୍ର ଓଡିଶା ତଥା ବିଶ୍ଵର ବିଭିନ୍ନ ସ୍ଥାନରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳନ କରାଯାଉଛି । ଏହି ପବିତ୍ର ଦିବସକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଦିବସ ଭାବରେ ଗ୍ରହଣ କରାଯାଇ ଦେବସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ନାନ ବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ସ୍ନାନ କରାଯାଇଛି। 

      ଦେବସ୍ନାନ ପୂର୍ଣ୍ଣିମା ପାଳନ ଅବସରରେ ଆଜି ରାଉରକେଲା ସେକ୍ଟର-୩ ଅହିରାବନ୍ଧ ଶ୍ରୀଜଗନ୍ନାଥ ମନ୍ଦିର, ଉଦିତନଗର ଶ୍ରୀଜଗନ୍ନାଥ ମନ୍ଦିର, ପାନପୋଷ ଶ୍ରୀଜଗନ୍ନାଥ ମନ୍ଦିର ସମେତ ସହରର ଅନ୍ଯାନ୍ଯ ଶ୍ରୀଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଓ ସ୍ନାନ ନୀତି ସହିତ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି।

     ରାଉରକେଲା ସେକ୍ଟର-୩ ଅହିରାବନ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହୋଇଥିଲା। ସ୍ନାନ ବେଦୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ବଡଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କୁ ପହଣ୍ଡି ବିଜେ ସହ ସ୍ନାନ ବେଦୀକୁ ନିଆଯାଇଥିଲା। 

       ପହଣ୍ଡି ବିଜେ ସମୟରେ ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ଶଙ୍ଖ ଧ୍ବନି ଓ ଘଣ୍ଟ ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା। ସ୍ନାନ ବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ବଡଭାଇ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କୁ ବସାଯିବା ପରେ ମନ୍ଦିର ଭିତର ନୀତି ପରି ସ୍ନାନ ମଣ୍ଡପରେ ମଙ୍ଗଳ ଆଳତି, ମୈଲମ, ତଡପଲାଗି ଏବଂ ଅବକାଶ ନୀତି ପରି ପ୍ରାରମ୍ଭିକ ଦେବନୀତି କରାଯାଇଥିଲା।

     ଏହାପରେ ଆରମ୍ଭ ହୋଇଥିଲା ଜଳାଭିଷେକ ଅର୍ଥାତ୍ ସ୍ନାନ ନୀତି। ଶ୍ରୀକ୍ଷେତ୍ର ପୁରୀ ଭଳି ପବିତ୍ର କୂଅରୁ ସେବକମାନେ ୧୦୮ ଗରା ପବିତ୍ର ସୁବାଷିତ ଜଳ, ଯେଉଁଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୫ ଗରା, ବଡଭାଇ ଶ୍ରୀବଳଭଦ୍ରଙ୍କ ୩୩ ଗରା, ଭଉଣୀ ଦେବୀ ସୁଭଦ୍ରାଙ୍କ ୨୨ ଗରା ଏବଂ ଶ୍ରୀସୁଦର୍ଶନଙ୍କୁ ୧୮ ଗରା ସୁବାଷିତ ଜଳରେ ସ୍ନାନ କରାଯାଇଥିଲା। ସ୍ତୁତି ଓ ମନ୍ତ୍ର ପାଠରେ ମହାପ୍ରଭୁଙ୍କ ଶରୀରରୁ ବୋହିଯାଉଥିବା ସେହି ପବିତ୍ର ଜଳ ଓ ଚନ୍ଦନର ବିଭୁତିକୁ ମସ୍ତକରେ ସ୍ପର୍ଶ କରିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ବ୍ଯାକୁଳତା ପ୍ରକାଶ ପାଇବା ସହ ସେମାନେ ଏହାକୁ ମସ୍ତକରେ ଲଗାଇଥିଲେ। ଏତିକିରେ ସମାପ୍ତ ହୋଇଥିଲା ସ୍ନାନ ନୀତି। 

      ସ୍ନାନ ନୀତି ଶେଷ ହେବା ପରେ ପରମ୍ପରା ଅନୁସାରେ ଗଜପତି ମହାରାଜା ସ୍ନାନ ମଣ୍ଡପରୁ ସୁବର୍ଣ୍ଣ ଖଡ଼ିକାରେ ଛେରାପହଁରା କରିଥିଲେ। ରାଉରକେଲା ଇସ୍ପାତ କାରଖାନାର ଡିଆଇସି ଆଲୋକ ବର୍ମା, ସେକ୍ଟର-୩ ଅହିରାବନ୍ଦ ଜଗନ୍ନାଥ ମନ୍ଦିର ପରିସରରେ ସ୍ନାନ ପୂର୍ଣ୍ଣିମା ଅବସରରେ ଛେରାପହଁରା କରିଥିଲେ। ଏହି ଅବସରରେ ରଘୁନାଥପାଲିର ପୂର୍ବତନ ବିଧାୟକ ସୁବ୍ରତ ତରାଇ, ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ଗିର୍ଜା ଶଙ୍କର ଦ୍ୱିବେଦୀ, ଅନ୍ୟାନ୍ୟ ଟ୍ରଷ୍ଟି ଏବଂ ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମନ୍ଦିର କମିଟି ଦ୍ୱାରା ଭଜନ ସନ୍ଧ୍ୟା ମଧ୍ୟ ଆୟୋଜିତ ହୋଇଥିଲା। ସକାଳେ ମହାପ୍ରଭୂ ଶ୍ରୀଜଗନ୍ନାଥ ବଡଭାଇ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ସ୍ନାନ କରାଯାଇଥିଲା। ଏହି ଅବସରରେ ମନ୍ଦିର ପରିସରରେ ଏକ ବିରାଟ ଭିଡ଼ ଦେଖିବାକୁ ମିଳିଥିଲା। ଭଜନ ସନ୍ଧ୍ୟାକୁ କମିଟି ଦ୍ୱାରା ବିଭକ୍ତ କରାଯାଇଥିଲା ଏବଂ କଦଳୀ ଓ ସର୍ବତ ବଣ୍ଟନ କରାଯାଇଥିଲା। ଛେରାପହଁରା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଗଜାନନ ବେଶ ଅର୍ଥାତ୍ ହାତୀବେଶ ଅନୁଷ୍ଠିତ ହୋଇଥିଲା। ହାତୀବେଶ ଦର୍ଶନ କରିବା ପାଇଁ ଭକ୍ତମାନଙ୍କ ଭିଡ ରାତି ପର୍ଯ୍ୟନ୍ତ ଲାଗି ରହିଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ନଗର ଦେବୀ ମା ଗଙ୍ଗା ଦେବୀ ଠାକୁରାଣୀଙ୍କ ଚଇତ୍ରା ଯାତ୍ରା

Sunil Chandra Nayak

ଶୈବ ପୀଠରେ କାଉଡିଆ ଙ୍କ ପ୍ରବଳ ଭିଡ ,୨୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଚିଲିଗୁଡା କାଉଡିଆ ସଂଘ

masiha

ଅଭ୍ୟାସ ଟେକ୍ନୋ ସ୍କୁଲରେ ବିନାୟକ ପୂଜାରେ ଉତ୍ସବୀୟ ମହଲ

Sunil Chandra Nayak

Leave a Comment

error: Content is protected !!