ଶ୍ରୀମଦ୍ ଭଗବତ୍ ଗୀତାର ସପ୍ତମ ଅଧ୍ଯାୟର ସାରକଥା–୭
ସମସ୍ତ ପ୍ରାଣୀ ଓ ପରମାତ୍ମାସତ୍ତା ବିଦ୍ଯମାନ-ଏହି ଉପଲବ୍ଧି ହିଁ ଜ୍ଞାନ । ସେହି ପରମାତ୍ମାଙ୍କର ଲୀଳା,ଐଶ୍ଵର୍ଯ୍ଯ ଓ ଅବତାରାଦି ବିଷୟରେ ସମ୍ଯକ୍ ଧାରଣା ବିଜ୍ଞାନ ଅଟେ-ବିଶେଷ ଜ୍ଞାନ । ଏ ଅଧ୍ଯାୟର ଆରମ୍ଭରେ ଭଗବାନ୍ ନିଜେ ଏହାହିଁ ଅର୍ଜୁନଙ୍କୁ କହିଛନ୍ତି ଓ ଅଧ୍ଯାୟଟି କେବଳ ଏ ବିଷୟରେ ବୁଝାଇଅଛନ୍ତି । ତେଣୁ ଏ ଅଧ୍ଯାୟ ଜ୍ଞାନ-ବିଜ୍ଞାନ ଯୋଗ ନାମରେ ଅଭିହିତ । ହଜାର ହଜାର ମନୁଷ୍ୟଙ୍କ ମଧ୍ଯରେ ଜଣେ ସିଦ୍ଧିଲାଭ ନିମନ୍ତେ ଯତ୍ନ କରନ୍ତି । ପୁଣି ସେହି ସିଦ୍ଧମାନଙ୍କ ମଧ୍ଯରେ କେହି ଜଣେ ଭଗବାନଙ୍କର ସ୍ବରୂପକୁ ଠିକ୍ ଭାବରେ ଜାଣିପାରିଛନ୍ତି । କ୍ଷିତି,ଆପ୍ ,ତେଜ,ମରୁତ୍ ,ବ୍ଯୋମ,ମନ,ବୁଦ୍ଧି ଓ ଅହଂକାର ଏହି ଆଠଟି ପରମାତ୍ମାଙ୍କର ଅପରା ପ୍ରକୃତି ଓ ଜୀବାତ୍ମା ପରାପ୍ରକୃତି । ସ୍ଥାବର ଜଙ୍ଗମାଦି ସମସ୍ତ ଭୂତ ଏହି ଉଭୟ ପ୍ରକୃତିର ସଂଯୋଗରେ ସୃଷ୍ଟ । ଭଗବାନ ସୃଷ୍ଟି ଓ ପ୍ରଳୟର ମୂଳ କାରଣ । ଯେପରି ସୂତାରେ ମଣି ସବୁ ଗୁନ୍ଥା ହୋଇ ହାର ତିଆରି ହୋଇଥାଏ ସେହିପରି ସମସ୍ତ ବିଶ୍ବବ୍ରହ୍ମାଣ୍ଡ ଭଗବାନଙ୍କଠାରେ ଓତଃପ୍ରୋତ ଜଡିତ । ପରମାତ୍ମାଙ୍କଠାରୁ ସର୍ବୋତ୍କୃଷ୍ଟ ତତ୍ତ୍ବ ଆଉ କିଛି ନାହିଁ । ସେହି ପରମାତ୍ମା ସର୍ବତ୍ର ପୂରି ରହିଛନ୍ତି । ଜଳରେ ରସ,ଚନ୍ଦ୍ରସୂର୍ଯ୍ଯଙ୍କଠାରେ ପ୍ରଭା,ବେଦରେ ଓଁକାର, ମନୁଷ୍ୟ ମଧ୍ଯରେ ପୌରୁଷ,ପୃଥିବୀର ପୁଣ୍ଯଗନ୍ଧ,ବୁଦ୍ଧିମାନ୍ ବ୍ଯକ୍ତିମାନଙ୍କର ବୁଦ୍ଧି,ତେଜସ୍ବୀମାନଙ୍କର ତେଜ ଇତ୍ୟାଦି ସେହି ପରମେଶ୍ବରଙ୍କର ବିଭୂତି ।
ସତ୍ତ୍ବ,ରଜଃ, ତମଃ-ଏହି ତ୍ରିଗୁଣ ଭଗବାନଙ୍କଠାରୁ ଉତ୍ପନ ହେଲେ ହେଁ ପରମାତ୍ମା ତ୍ରୀଗୁଣାତୀତ । ସାଧାରଣ ମନୁଷ୍ୟ ଏହି ତ୍ରିଗୁଣ ବା ଦୈବୀମାୟାଦ୍ବାରା ମୋହିତ ହୋଇ ଭଗଵାନଙ୍କୁ ଜାଣିପାରନ୍ତି ନାହିଁ । ସାଂସାରିକ ସୁଖ ସମୃଦ୍ଧି କାମନା କରି ସେମାନେ ଅନ୍ଯଦେବତାମାନଙ୍କୁ ପୂଜା କରନ୍ତି । ପୂଜାରେ ସଫଳତା ହାସଲକଲେ ସେମାନେ ସେହି ସେହି ଦେବ ଲୋକ ପ୍ରାପ୍ତ ହୋଇଥାନ୍ତି । ମାତ୍ର ପୁଣି କିଛି କାଳପରେ ସେମାନଙ୍କର ପୁନରାବର୍ତ୍ତନ ହୋଇଥାଏ । ଭଗବତଭକ୍ତ ଭଗବତପ୍ରାପ୍ତି ପରେ ଆଉ ପୁନର୍ଜନ୍ମ ଲାଭ କରନ୍ତି ନାହିଁ । ଆର୍ତ୍ତ,ଜିଜ୍ଞାସୁ,ଅର୍ଥାର୍ଥୀ ଓ ଜ୍ଞାନୀ -ଏହି ଚାରିପ୍ରକାର ଭକ୍ତ ଭଗବାନଙ୍କର ଅତ୍ଯନ୍ତ ପ୍ରିୟ ଅଟନ୍ତି , ଅନେକ ଜନ୍ମପରେ ସେହି ଜ୍ଞାନୀଭକ୍ତ ସଚ୍ଚିଦାନନ୍ଦ ପରମେଶ୍ବରଙ୍କୁ ପାଇଥାନ୍ତି ।
ଅଳ୍ପବୁଦ୍ଧି ମନୁଷ୍ୟମାନେ ଭଗବାନଙ୍କ ବ୍ଯକ୍ତରୂପ ଦେଖି ତାଙ୍କୁ ଅବ୍ଯୟ,ସନାତନ,ସଚ୍ଚିଦାନନ୍ଦ ବୋଲି ଜାଣିପାରନ୍ତି ନାହିଁ । ଜନ୍ମ ସମୟରେ ରାଗଦ୍ବେଷରୁ ଜାତ ସୁଖଦୁଃଖାଦି ଦ୍ବନ୍ଦରେ ମୋହିତ ହୋଇଥିବା ହେତୁ ସେମାନେ ପରମାତ୍ମତତ୍ତ୍ବ ବୁଝିବାରେ ଅସମର୍ଥ ହୋଇଥାନ୍ତି । ଯେଉଁମାନେ ଜନ୍ମପରେ ଜନ୍ମ ଭଗବାନଙ୍କର ଶରଣାଗତ ହୋଇଥାନ୍ତି,ସେମାନେ ପୁଣ୍ଯକର୍ମଦ୍ବାରା ସମସ୍ତ ପାପ ବିନଷ୍ଟକରି ଜରାମରଣ ଦୁଃଖରୁ ଉଦ୍ଧାର ପାଇଥାନ୍ତି । ସେମାନେ ସର୍ବଦା ପରମେଶ୍ବରଙ୍କର ଆଶ୍ରିତ ଥିବାରୁ ମୃତ୍ୟୁ ସମୟରେ ମଧ୍ଯ ସେମାନଙ୍କର ସେ ସ୍ମୃତି ଜାଗ୍ରତ ଥାଏ । ଫଳରେ ମୃତ୍ୟୁପରେ ସେମାନେ ସଚ୍ଚିଦାନନ୍ଦ ପରମେଶ୍ବରଙ୍କୁ ଲାଭକରି ସଂସାରଚକ୍ରରୁ ମୁକ୍ତିପାଇଥାନ୍ତି,ଅର୍ଥାତ ଆଉ ପୁନର୍ଜନ୍ମ ପାଆନ୍ତି ନାହିଁ ।
ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର