ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ୍ ଭଗବତ୍ ଗୀତାର ସପ୍ତମ ଅଧ୍ଯାୟର ସାରକଥା–୭

ଶ୍ରୀମଦ୍ ଭଗବତ୍ ଗୀତାର ସପ୍ତମ ଅଧ୍ଯାୟର ସାରକଥା–୭

   ସମସ୍ତ ପ୍ରାଣୀ ଓ ପରମାତ୍ମାସତ୍ତା ବିଦ୍ଯମାନ-ଏହି ଉପଲବ୍ଧି ହିଁ ଜ୍ଞାନ । ସେହି ପରମାତ୍ମାଙ୍କର ଲୀଳା,ଐଶ୍ଵର୍ଯ୍ଯ ଓ ଅବତାରାଦି ବିଷୟରେ ସମ୍ଯକ୍ ଧାରଣା ବିଜ୍ଞାନ ଅଟେ-ବିଶେଷ ଜ୍ଞାନ । ଏ ଅଧ୍ଯାୟର ଆରମ୍ଭରେ ଭଗବାନ୍ ନିଜେ ଏହାହିଁ ଅର୍ଜୁନଙ୍କୁ କହିଛନ୍ତି ଓ ଅଧ୍ଯାୟଟି କେବଳ ଏ ବିଷୟରେ ବୁଝାଇଅଛନ୍ତି । ତେଣୁ ଏ ଅଧ୍ଯାୟ ଜ୍ଞାନ-ବିଜ୍ଞାନ ଯୋଗ ନାମରେ ଅଭିହିତ । ହଜାର ହଜାର ମନୁଷ୍ୟଙ୍କ ମଧ୍ଯରେ ଜଣେ ସିଦ୍ଧିଲାଭ ନିମନ୍ତେ ଯତ୍ନ କରନ୍ତି । ପୁଣି ସେହି ସିଦ୍ଧମାନଙ୍କ ମଧ୍ଯରେ କେହି ଜଣେ ଭଗବାନଙ୍କର ସ୍ବରୂପକୁ ଠିକ୍ ଭାବରେ ଜାଣିପାରିଛନ୍ତି । କ୍ଷିତି,ଆପ୍ ,ତେଜ,ମରୁତ୍ ,ବ୍ଯୋମ,ମନ,ବୁଦ୍ଧି ଓ ଅହଂକାର ଏହି ଆଠଟି ପରମାତ୍ମାଙ୍କର ଅପରା ପ୍ରକୃତି ଓ ଜୀବାତ୍ମା ପରାପ୍ରକୃତି । ସ୍ଥାବର ଜଙ୍ଗମାଦି ସମସ୍ତ ଭୂତ ଏହି ଉଭୟ ପ୍ରକୃତିର ସଂଯୋଗରେ ସୃଷ୍ଟ । ଭଗବାନ ସୃଷ୍ଟି ଓ ପ୍ରଳୟର ମୂଳ କାରଣ । ଯେପରି ସୂତାରେ ମଣି ସବୁ ଗୁନ୍ଥା ହୋଇ ହାର ତିଆରି ହୋଇଥାଏ ସେହିପରି ସମସ୍ତ ବିଶ୍ବବ୍ରହ୍ମାଣ୍ଡ ଭଗବାନଙ୍କଠାରେ ଓତଃପ୍ରୋତ ଜଡିତ । ପରମାତ୍ମାଙ୍କଠାରୁ ସର୍ବୋତ୍କୃଷ୍ଟ ତତ୍ତ୍ବ ଆଉ କିଛି ନାହିଁ । ସେହି ପରମାତ୍ମା ସର୍ବତ୍ର ପୂରି ରହିଛନ୍ତି । ଜଳରେ ରସ,ଚନ୍ଦ୍ରସୂର୍ଯ୍ଯଙ୍କଠାରେ ପ୍ରଭା,ବେଦରେ ଓଁକାର, ମନୁଷ୍ୟ ମଧ୍ଯରେ ପୌରୁଷ,ପୃଥିବୀର ପୁଣ୍ଯଗନ୍ଧ,ବୁଦ୍ଧିମାନ୍ ବ୍ଯକ୍ତିମାନଙ୍କର ବୁଦ୍ଧି,ତେଜସ୍ବୀମାନଙ୍କର ତେଜ ଇତ୍ୟାଦି ସେହି ପରମେଶ୍ବରଙ୍କର ବିଭୂତି ।

      ସତ୍ତ୍ବ,ରଜଃ, ତମଃ-ଏହି ତ୍ରିଗୁଣ ଭଗବାନଙ୍କଠାରୁ ଉତ୍ପନ ହେଲେ ହେଁ ପରମାତ୍ମା ତ୍ରୀଗୁଣାତୀତ । ସାଧାରଣ ମନୁଷ୍ୟ ଏହି ତ୍ରିଗୁଣ ବା ଦୈବୀମାୟାଦ୍ବାରା ମୋହିତ ହୋଇ ଭଗଵାନଙ୍କୁ ଜାଣିପାରନ୍ତି ନାହିଁ । ସାଂସାରିକ ସୁଖ ସମୃଦ୍ଧି କାମନା କରି ସେମାନେ ଅନ୍ଯଦେବତାମାନଙ୍କୁ ପୂଜା କରନ୍ତି । ପୂଜାରେ ସଫଳତା ହାସଲକଲେ ସେମାନେ ସେହି ସେହି ଦେବ ଲୋକ ପ୍ରାପ୍ତ ହୋଇଥାନ୍ତି । ମାତ୍ର ପୁଣି କିଛି କାଳପରେ ସେମାନଙ୍କର ପୁନରାବର୍ତ୍ତନ ହୋଇଥାଏ । ଭଗବତଭକ୍ତ ଭଗବତପ୍ରାପ୍ତି ପରେ ଆଉ ପୁନର୍ଜନ୍ମ ଲାଭ କରନ୍ତି ନାହିଁ । ଆର୍ତ୍ତ,ଜିଜ୍ଞାସୁ,ଅର୍ଥାର୍ଥୀ ଓ ଜ୍ଞାନୀ -ଏହି ଚାରିପ୍ରକାର ଭକ୍ତ ଭଗବାନଙ୍କର ଅତ୍ଯନ୍ତ ପ୍ରିୟ ଅଟନ୍ତି , ଅନେକ ଜନ୍ମପରେ ସେହି ଜ୍ଞାନୀଭକ୍ତ ସଚ୍ଚିଦାନନ୍ଦ ପରମେଶ୍ବରଙ୍କୁ ପାଇଥାନ୍ତି ।

    ଅଳ୍ପବୁଦ୍ଧି ମନୁଷ୍ୟମାନେ ଭଗବାନଙ୍କ ବ୍ଯକ୍ତରୂପ ଦେଖି ତାଙ୍କୁ ଅବ୍ଯୟ,ସନାତନ,ସଚ୍ଚିଦାନନ୍ଦ ବୋଲି ଜାଣିପାରନ୍ତି ନାହିଁ । ଜନ୍ମ ସମୟରେ ରାଗଦ୍ବେଷରୁ ଜାତ ସୁଖଦୁଃଖାଦି ଦ୍ବନ୍ଦରେ ମୋହିତ ହୋଇଥିବା ହେତୁ ସେମାନେ ପରମାତ୍ମତତ୍ତ୍ବ ବୁଝିବାରେ ଅସମର୍ଥ ହୋଇଥାନ୍ତି । ଯେଉଁମାନେ ଜନ୍ମପରେ ଜନ୍ମ ଭଗବାନଙ୍କର ଶରଣାଗତ ହୋଇଥାନ୍ତି,ସେମାନେ ପୁଣ୍ଯକର୍ମଦ୍ବାରା ସମସ୍ତ ପାପ ବିନଷ୍ଟକରି ଜରାମରଣ ଦୁଃଖରୁ ଉଦ୍ଧାର ପାଇଥାନ୍ତି । ସେମାନେ ସର୍ବଦା ପରମେଶ୍ବରଙ୍କର ଆଶ୍ରିତ ଥିବାରୁ ମୃତ୍ୟୁ ସମୟରେ ମଧ୍ଯ ସେମାନଙ୍କର ସେ ସ୍ମୃତି ଜାଗ୍ରତ ଥାଏ । ଫଳରେ ମୃତ୍ୟୁପରେ ସେମାନେ ସଚ୍ଚିଦାନନ୍ଦ ପରମେଶ୍ବରଙ୍କୁ ଲାଭକରି ସଂସାରଚକ୍ରରୁ ମୁକ୍ତିପାଇଥାନ୍ତି,ଅର୍ଥାତ ଆଉ ପୁନର୍ଜନ୍ମ ପାଆନ୍ତି ନାହିଁ ।

 

ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା

 ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ଶିଶୁ ସୁରକ୍ଷା ଓ ବାଲ୍ଯ ବିବାହ ନିରୋଧ ସମ୍ବନ୍ଧରେ ପଞ୍ଚାୟତ ପ୍ରତିନିଧିଙ୍କ ତାଲିମ

Sunil Chandra Nayak

ଶ୍ରୀମତୀ ମିନତି ମିଶ୍ର ଙ୍କ କବିତା ବଞ୍ଚିବାକୁ ହେବ

Sunil Chandra Nayak

ଶ୍ରୀ ଉମାକାନ୍ତ ଦାସ ଙ୍କ କବିତା ପୂଜିବି ଚରଣ

Sunil Chandra Nayak

Leave a Comment

error: Content is protected !!