ବ୍ରହ୍ମପୁରରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ , ଆବେଦନର ଶତ ପ୍ରତିଶତ ସମାଧାନ ଉପରେ ଗୁରୁତ୍ୱ
ବ୍ରହ୍ମପୁର,ତା ୦୬/୦୭ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ ହୋଇଯାଇଛି l ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍, ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,ଗଞ୍ଜାମ ସମୀର କୁମାର ଜେନା ଉପସ୍ଥିତ ରହି ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ କରିଥିଲେ l ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ଏହାର ତ୍ୱରିତ୍ ସମାଧାନ ଦିଗରେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ l ଉକ୍ତ ଜନଶୁଣାଣୀରେ ମୁଖ୍ୟତଃ ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା ଭତ୍ତା, ଖାଉଟି କାର୍ଡ, ଅନ୍ତ୍ୟୋଦୟ, ପ୍ରଧାନମନ୍ତ୍ରୀ ଆବାସ, ଜମିଜମା, ସାମୁହିକ ଉନ୍ନୟନ ଏବଂ ବ୍ୟକ୍ତିଗତ ସହାୟତା ସମ୍ବନ୍ଧୀୟ ଆବେଦନ ଉପରେ ବିଚାର କରାଯାଇଥିଲା l ସୁଭଦ୍ରା ହେଲ୍ପ ଡେସ୍କ ମାଧ୍ୟମରେ ସୁଭଦ୍ରା ଯୋଜନା ସମ୍ବନ୍ଧିତ ସହାୟତାର ବ୍ୟବସ୍ଥା କରାଯାଇଥିଲା l ଏହି ଜିଲ୍ଲାସ୍ତରୀୟ ଜନଶୁଣାଣୀରେ ସମୁଦାୟ ୧୧୩ଟି ଦରଖାସ୍ତ ପଞ୍ଜିକୃତ ହୋଇଥିଲା l ତନ୍ମଧ୍ୟରୁ ୯୦ ଟି ବ୍ୟକ୍ତିଗତ ଆବେଦନ, ୦୯ ଟି ଗ୍ରାମ୍ୟ ସମସ୍ୟା ଆଧାରିତ ଥିବା ବେଳେ ୩ଟି ଦରଖାସ୍ତର ତତ୍କାଳ ସମାଧାନ ହୋଇଥିଲା l ୧୧ ଜଣଙ୍କୁ ୭୦ ହଜାର ଟଙ୍କାର ରେଡ଼କ୍ରସ ସହାୟତା ରାଶି ପ୍ରଦାନ କରାଯାଇଥିଲା l ଜନଶୁଣାଣୀ ଶିବିରରେ ଉପସ୍ଥିତ ବିଭାଗୀୟ ଅଧିକାରୀଗଣ ସକ୍ରିୟ ସହଯୋଗ କରିଥିଲେ l ମହାନଗର ନିଗମର ଡେପୁଟି କମିଶନର ଏବଂ ସଦର ଏସ୍.ଡ଼ି.ପି.ଓ ମଧ୍ୟ ଶିବିରରେ ଯୋଗ ଦେଇଥିଲେ l ଭୀଷ୍ମଗିରି ର ଏମ୍. ସୀମାଞ୍ଚଳ ପାତ୍ର ଏବଂ କଳମ, ବାଲିପଦର ର ବଙ୍ଗାଳୀ ପ୍ରଧାନଙ୍କ ସହ ୯ ଜଣ ଦୃଷ୍ଟିବାଧିତ ଙ୍କର ଜନଶୁଣାଣୀରେ ସହାୟତା ଆବେଦନ ଉଲ୍ଲେଖନୀୟ ପ୍ରସଙ୍ଗ ଥିଲା l

