ହଷ୍ଟେଲ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ୫୦ ଲକ୍ଷ କ୍ଷତିପୂରଣ ଓ ନିରପେକ୍ଷ ତଦନ୍ତ ଦାବୀ
ନବରଙ୍ଗପୁର:(୨୭/୦୭/୨୬:(ରବି ନାରାୟଣ ମହାନ୍ତି ) ନଵରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବାଟିବେଡା ସରକାରୀ ଆଶ୍ରମ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ଓ ଶୋକର ପରିବେଶ ସୃଷ୍ଟି ହୋଇଛି। ମୃତ ଛାତ୍ରୀ ହେଲେ ଜବା ସାନ୍ତା (୧୪), ପିତା–ରାମ ସାନ୍ତା, ଘର–ଡାଲଡାଲି ଗ୍ରାମ।ସୂଚନା ଅନୁଯାୟୀ, ଗତ ରାତିରେ ହଷ୍ଟେଲରେ ରାତ୍ରି ଭୋଜନ ସମୟରେ ତିନିଜଣ ଛାତ୍ରୀ ଉପସ୍ଥିତ ନ ଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। କିଛି ସମୟ ପରେ ଦୁଇଜଣ ଛାତ୍ରୀ ଫେରି ଆସିଥିଲେ l ଜବା ସାନ୍ତା ବିଦ୍ୟାଳୟ ପାଚେରୀ ଡେଇଁ ବାହାରକୁ ଯାଇଥିବା କଥା ଦୁଇ ଜଣ ଛାତ୍ରୀ କହିଥିଲେ। ପରେ ରାତି ପ୍ରାୟ ୧୨ଟା ସମୟରେ ବିଦ୍ୟାଳୟଠାରୁ ପ୍ରାୟ ଏକ କିଲୋମିଟର ଦୂର ଜଙ୍ଗଲ ଅଞ୍ଚଳର ଏକ ଗଛରେ ଓଢଣି ସାହାଯ୍ୟରେ ଝୁଲିଥିବା ଅବସ୍ଥାରେ ଛାତ୍ରୀଙ୍କୁ ଠାବ କରାଯାଇଥିଲା। ଖବର ପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ବିଦ୍ୟାଳୟର ଜଣେ ଶିକ୍ଷକ ଛାତ୍ରୀଙ୍କ ପରିବାରକୁ ଖବର ଦେଇଥିଲେ। ପରେ ପରିବାର ସଦସ୍ୟମାନେ ବିଦ୍ୟାଳୟରେ ପହଞ୍ଚି ପୋଲିସ ନିକଟରେ ଅଭିଯୋଗ କରିଥିଲେ।ପରିବାର ଲୋକଙ୍କ କହିବା ଅନୁଯାୟୀ, ଘଟଣା ପୂର୍ବରୁ ଛାତ୍ରୀ ଜଣେ ସହପାଠୀଙ୍କୁ ଏକ ଚିଠି ଲେଖିଥିଲେ, ଯାହା ଫଳରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଖକୁ ଉକ୍ତ ଚିଠି ପହଞ୍ଚିଥିଲା। ତେବେ ସେହି ଚିଠିରେ କ’ଣ ଉଲ୍ଲେଖ ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ପରିବାର ଲୋକେ ମୃତ୍ୟୁକୁ ସନ୍ଦେହଜନକ ବୋଲି ଦର୍ଶାଇ ବିଦ୍ୟାଳୟ ପରିଚାଳନାରେ ଅବହେଳା ହୋଇଥିବା ଅଭିଯୋଗ କରିଛନ୍ତି। ରାତିରେ ଜଣେ ଛାତ୍ରୀ କିପରି ହଷ୍ଟେଲ ଛାଡ଼ି ବାହାରକୁ ଗଲେ ଓ ଏତେ ଦୂରକୁ ପହଞ୍ଚିଲେ, ତାହାର ନିରପେକ୍ଷ ତଦନ୍ତ ହେବାକୁ ସେମାନେ ଦାବୀ କରିଛନ୍ତି।ଘଟଣାକୁ ନେଇ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ,ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ନିରପେକ୍ଷ ତଦନ୍ତ ଦାବୀ କରାଯାଇଥିଲା। ଏହି ଦାବୀକୁ ନେଇ ବାଟିବେଡା ସରକାରୀ ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ଛାତ୍ରୀଙ୍କ ମରଶରୀର ରଖି ପରିବାର ଲୋକେ ପ୍ରତିବାଦ କରିଥିଲେ। କଂଗ୍ରେସର ଜିଲ୍ଲା ସଭାପତି ସାନରାଜ ଗଣ୍ଡଙ୍କ ସମେତ ଦଳର ସ୍ଥାନୀୟ ନେତା ଓ କର୍ମୀମାନେ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇ ଥିଲା।ଦୀର୍ଘ ପ୍ରାୟ ତିନି ଘଣ୍ଟା ଧରି ଆଲୋଚନା ଓ ପ୍ରତିବାଦ ପରେ ପୋଲିସ ଓ ପ୍ରଶାସନର ଉପସ୍ଥିତିରେ ବାଟିବେଡା ସରକାରୀ ଆଶ୍ରମ ବିଦ୍ୟାଳୟ ସମ୍ମୁଖରୁ ମୃତ ଛାତ୍ରୀ ଜବା ସାନ୍ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପାଇଁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା। ପ୍ରଥମେ ପରିବାର ଲୋକେ କ୍ଷତିପୂରଣ, ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ଦାବୀରେ ଅଡ଼ି ରହିଥିଲେ। ପରେ ପ୍ରଶାସନ ପକ୍ଷରୁ ନିରପେକ୍ଷ ତଦନ୍ତର ଆଶ୍ୱାସନ ମିଳିବା ପରେ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା।ପୋଲିସ ପକ୍ଷରୁ କୁହାଯାଇଛି ଯେ, ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି। ପୋଷ୍ଟମର୍ଟମ ରିପୋର୍ଟ, ବୈଜ୍ଞାନିକ ପ୍ରମାଣ ଏବଂ ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

