ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ବିଶିଷ୍ଟ ସମାଜସେବୀ ମାଳତୀ ଚୌଧୁରୀ ଓ ପାହାଡ଼ ରାଣୀ କଳ୍ପନା ଦାଶଙ୍କ ଜନ୍ମ ମାସ ଉପଲକ୍ଷେ ମାସିକ ସାହିତ୍ୟ ଆସର- ୨୦୨୬ ଅନୁଷ୍ଠିତ
(ଢେଙ୍କାନାଳ ଜିଲ୍ଲାର ସଦର ମହକୁମାରେ ସେ ପଢ଼ିଥିବା ଶତାୟୁ ,ପି ଏମ୍ ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓ ତାଙ୍କ ଗ୍ରାମରେ ପାହାଡ଼ ରାଣୀ କଳ୍ପନା ଦାଶଙ୍କ ଏକ ବୃହତ୍ ପ୍ରତିମୂର୍ତ୍ତୀ ସ୍ଥାପନ କରିବାକୁ ସରକାରଙ୍କ ନିକଟରେ ଦୃଢ଼ ଦାବୀ)
ଢେଙ୍କାନାଳ: ତା.୨୮.୦୭.୨୦୨୬ ରିଖ : (ମ ନି ସ ) ନିକଟରେ ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ବିଶିଷ୍ଟ ସମାଜସେବୀ ମାଳତୀ ଚୌଧୁରୀ ଓ ପାହାଡ଼ ରାଣୀ କଳ୍ପନା ଦାଶଙ୍କ ଜନ୍ମ ମାସ ଉପଲକ୍ଷେ ମାସିକ ସାହିତ୍ୟ ଆସର- ୨୦୨୬ ଦେଉଳ ସାହି,ଢେଙ୍କାନାଳସ୍ଥ କବି କୁଟୀର ପରିସରରେ କବିଭୂଷଣ ରାଜକିଶୋର ପଟ୍ଟନାୟକ ପାଠାଗାରରେ ଅପରାହ୍ନ ୦୫ ଘଟିକା ସମୟରେ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ,ଶିକ୍ଷାବିତ୍ କବି ଗୋଲକ ବିହାରୀ ବେହେରା ଓ ମୁଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଶାସନ ସଚିବ,ସୁବକ୍ତା,ସୁସାହିତ୍ୟିକ,ବିଶିଷ୍ଟ ଐତିହାସିକ ଗବେଷକ ତଥା ପ୍ରାବନ୍ଧିକ ତପନ କୁମାର ଶତପଥି ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ବିଶିଷ୍ଟ ସମାଜସେବୀ ମାଳତୀ ଚୌଧୁରୀ ଓ ପାହାଡ଼ ରାଣୀ କଳ୍ପନା ଦାଶଙ୍କର ସମ୍ପର୍କରେ ଏକ ସବିଶେଷ, ସାରଗର୍ଭକ,ତଥ୍ୟାବଳୀ ପରିପୂର୍ଣ୍ଣ ପୂର୍ବରୁ ଅନାଲୋଚିତ ବିବରଣୀ ପ୍ରଦାନ କରିଥିଲେ।ଶ୍ରୀଯୁକ୍ତ ଶତପଥୀ ତାଙ୍କର ଅଭିଭାଷଣରେ ଉଭୟ ବ୍ୟକ୍ତିତ୍ୱଙ୍କର ଜୀବନୀ ଓ କାର୍ଯ୍ୟାବଳୀ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଆଜିର ସାହିତ୍ୟ ଆସର ଦିବସର ତାତ୍ପର୍ଯ୍ୟ ମଧ୍ୟ ଉପସ୍ଥାପନ କରିଥିଲେ।କାର୍ଯ୍ୟସୂଚୀ ଅନୁସାରେ ଅପରାହ୍ନ ୦୫ ଘଟିକା ସମୟରେ ସ୍ଥାନୀୟ କବିଭୂଷଣ ମାର୍ଗସ୍ଥିତ କବିକୁଟୀରଠାରେ ସଂସଦର ସଭାପତି ଶଙ୍କର୍ଷଣ ଶତପଥୀଙ୍କ ପୌରୋହିତ୍ୟରେ କବିଭୂଷଣଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ,ବିଶିଷ୍ଟ ସମାଜସେବୀ ମାଳତୀ ଚୌଧୁରୀ ଓ ପାହାଡ଼ ରାଣୀ କଳ୍ପନା ଦାଶଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା।ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନା ସଭାରେ କବିଭୂଷଣ ସ୍ମୃତି ସଂସଦର ସଭାପତି ଶଙ୍କର୍ଷଣ ଶତପଥୀ ଅଧ୍ୟକ୍ଷତା କରିଥିଲେ।ପ୍ରାରମ୍ଭରେ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଓ ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ୱରେ ସମ୍ମିଳିତ ବନ୍ଦେ ମାତରମ୍ ସଙ୍ଗୀତ ଗାନ କରାଯାଇଥିଲା।କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦର ସଙ୍ଗଠନ ସମ୍ପାଦକ ତଥା ବରିଷ୍ଠ ଶିକ୍ଷାବିତ୍ କବି ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ସଫଳ ସଂଯୋଜନାରେ ଉଭୟ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଅନୁଷ୍ଠିତ କବିତା ପାଠୋତ୍ସବ “କବି ଓ କବିତା ମଧୁକ୍ଷରା”ରେ ଉପସ୍ଥିତ ସଭାପତି ଶଙ୍କର୍ଷଣ ଶତପଥୀ, ଉପସଭାପତି ତଥା ପ୍ରାକ୍ତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡଃ.ପ୍ରମୋଦ କୁମାର ନାୟକ,ସଂସଦର ଉପ ସଭାପତି ଶିକ୍ଷାବିତ୍ ଡ.ସମିର ସାହୁ,ଶିକ୍ଷାବିତ୍ କବି ଗୋଲକ ବିହାରୀ ବେହେରା,ଶିଳ୍ପୀ ପରେଶ ପଟ୍ଟନାୟକ,ସୁମିତା ରାୟ ପଟ୍ଟନାୟକ,ବିବେକାନନ୍ଦ ଷଡ଼ଙ୍ଗୀ,ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ନିର୍ମଳା ମହାପାତ୍ର,ମନୋଜା ମଞ୍ଜରୀ ଦାଶ,ଅଥୟ କୁମାର ସାହୁ,ମିନତୀ ମିଶ୍ର,ନୃସିଂହ ଚରଣ ମହାନ୍ତି,ଆଲୋକ କୁମାର ଦାସ,ନାତି ପି.ପରମଜିତ୍ ,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଚାରୋଟି ଚତୁର୍ଦ୍ଦଶପଦୀ କବିତା ଓଡ଼ିଆ ସନେଟ୍, ଅନେକ କବି ସ୍ବରଚିତ କବିତାମାନ ପାଠ କରିବା ସଙ୍ଗେ ସଙ୍ଗେ ସ୍ୱୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଉପସ୍ଥିତ ଶୋତୃମଣ୍ଡଳି ଦ୍ବାରା ସେଗୁଡ଼ିକର ସମୀକ୍ଷା ଓ ମୂଲ୍ୟାୟନ ମଧ୍ୟ କରାଯାଇଥିଲା।ସମ୍ପାଦକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଉଭୟ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ତାଙ୍କର ଜୀବନୀ ପାଠ କରିବା ସଙ୍ଗେ ସଙ୍ଗେ ତାଙ୍କ ସମ୍ପର୍କରେ ଏକ ବିଶଦ ବିବରଣୀ ପ୍ରଦାନ କରିଥିଲେ।ସଭାପତି ଶଙ୍କର୍ଷଣ ଶତପଥୀ ସ୍ଵୀୟ ବକ୍ତବ୍ୟରେ ଉଭୟ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଦୁଇଟି ସୁନ୍ଦର ତଥ୍ୟାବଳୀ ସମ୍ବଳିତ ସାରଗର୍ଭକ ନିବନ୍ଧ ପାଠ ଓ ଦୀର୍ଘ କବିତା ପାଠ କରିଥିଲେ।ସମସ୍ତ ବକ୍ତା ସ୍ୱୀୟ ସ୍ୱୀୟ ବକ୍ତବ୍ୟରେ କହିଥିଲେ ଯେ ଚଳିତ ମାସରେ ମାଳତୀ ଚୌଧୁରୀଙ୍କ ୧୨୨ତମ ଜନ୍ମଦିନ।ଶାନ୍ତିନିକେତନରେ ଶିକ୍ଷା ଲାଭ ସମୟରେ ସେ ରବୀନ୍ଦ୍ରନାଥ ଟାଗୋରଙ୍କ ସଂସ୍ପର୍ଶରେ ଆସିଥିଲେ।ସେ ନବକୃଷ୍ଣ ଚୌଧୁରୀଙ୍କୁ ବିବାହ କରି ଓଡ଼ିଶା ଆସିଥିଲେ।ଉଭୟ ପତିପତ୍ନୀ ସ୍ବାଧୀନତା ଆନ୍ଦୋଳନ,ସମାଜବାଦୀ ଆନ୍ଦୋଳନ,କୃଷକ ସଂଗ୍ରାମ, ଗଡ଼ଜାତ ପ୍ରଜା ଆନ୍ଦୋଳନରେ ପ୍ରମୁଖ ନେତୃତ୍ୱ ନେଲେ।ଗାନ୍ଧିଜୀ ଓଡ଼ିଶାରେ ପଦଯାତ୍ରା କରିବା ସମୟରେ ତାଙ୍କୁ ‘ତୁଫାନୀ’ ବୋଲି ସମ୍ବୋଧନ କରୁଥିଲେ।ନୀଳଗିରି ପ୍ରଜାମଣ୍ଡଳର ସଶସ୍ତ୍ର ଆନ୍ଦୋଳନରେ ତାଙ୍କ ଭୂମିକାକୁ ଦେଖି ତାଙ୍କୁ ‘ଜୋଆନ ଅଫ୍ ଆର୍କ’ ସହ ତୁଳନା କରାଯାଉଥିଲା।ସେ ଥିଲେ ଜଣେ ସାଲିସବିହୀନ ବ୍ୟକ୍ତିତ୍ବ।ତାଳଚେର ପ୍ରଜା ଆନ୍ଦୋଳନ,ସ୍ବାଧୀନତା ଆନ୍ଦୋଳନର ବିଭିନ୍ନ ପର୍ଯ୍ୟାୟରେ ଗିରଫ ହୋଇ ଜେଲ୍ ଦଣ୍ଡ ଭୋଗିଛନ୍ତି।ତାଙ୍କଦ୍ୱାରା ବାଜି ରାଉତ ଛାତ୍ରାବାସ ପ୍ରତିଷ୍ଠାର ମୂଳ ଉଦ୍ଦେଶ୍ୟ ଥିଲା,ସ୍ବାଧୀନତା ସଂଗ୍ରାମୀଙ୍କ ଅବହେଳିତ ସନ୍ତାନ ଓ ସମାଜର ଦୁସ୍ଥ ତଥା ଆଦିବାସୀ ପିଲାମାନଙ୍କୁ ଏକ ସୁସ୍ଥ ବାତାବରଣ ଭିତରେ ଶିକ୍ଷା ଦେବା ମୌଳିକ ଶିକ୍ଷାଦାନ ଏହି ଅନୁଷ୍ଠାନର ଅନ୍ତଃ ସ୍ବର।ଗୋପବନ୍ଧୁ ଚୌଧୁରୀଙ୍କର ଅନୁପ୍ରେରଣାରେ ଗଢ଼ିଥିଲେ ଉତ୍କଳ ନବଜୀବନ ମଣ୍ଡଳ ଯାହା ଆଦିବାସୀ ଓ ଅନ୍ୟାନ୍ୟ ଅନୁନ୍ନତ ଶ୍ରେଣୀର କଲ୍ୟାଣ ନିମିତ୍ତ କାର୍ଯ୍ୟ କରୁଥିଲା।ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚିବା ସମାଜସେବୀ ମାଳତୀ ଦେବୀ ନିଶା ନିବାରଣ,ଖଦି ଆନ୍ଦୋଳନ,ଖଜୁରୀ ଓ ତାଳଗୁଡ଼ ପ୍ରସ୍ତୁତି ଉପରେ ଦୃଷ୍ଟି ନିବଦ୍ଧ କରିଥିଲେ।ଅନୁଗୋଳରେ ରହୁଥିଲେ ମଧ୍ୟ ସମଗ୍ର ଓଡ଼ିଶା ଥିଲା ତାଙ୍କର କର୍ମକ୍ଷେତ୍ର।ଏହି ବହ୍ନିମାନ, ଓଜସ୍ବନୀ,ମହିୟସୀ ମହିଳାଙ୍କ ୧୯୯୮ ମାର୍ଚ୍ଚ ୧୫ ତାରିଖରେ ଦେହାବସାନ ହୋଇଥିଲା।ସେହିପରି କଳ୍ପନା ଦାଶ (୭ ଜୁଲାଇ ୧୯୬୬ – ୨୩ ମଇ ୨୦୧୯) ପ୍ରଥମ ଓଡ଼ିଆ,ପ୍ରଥମ ଭାରତୀୟ ବେସାମରିକ ଓ ସବୁଠାରୁ ବୟସ୍କା ମହିଳା (୪୨) ଏଭରେଷ୍ଟ ଶୃଙ୍ଗ ଆରୋହଣ କରିଥିଲେ।କଳ୍ପନା ଦାଶ ଜୁଲାଇ ୭,୧୯୬୬ ସାରିଆପଦା,ଢେଙ୍କାନାଳ,ଓଡ଼ିଶାରେ ଜନ୍ମ ହୋଇଥିଲେ।ସେ ଆଇନରେ ସ୍ନାତକ,ବୃତ୍ତି ଓକିଲାତି ପ୍ରବୃତ୍ତି ପର୍ବତାରୋହୀ ଭାବରେ ପ୍ରସିଦ୍ଧି ପାଇଥିଲେ।ନିଜ ସଫଳତାର ଶ୍ରେୟ ସେ ଓଡ଼ିଶାବାସୀଙ୍କୁ ଦେଇ କହିଥିଲେ,ସେମାନଙ୍କର ଶୁଭକାମନା ଯୋଗୁଁ ଏହା ସମ୍ଭବ ହୋଇ ପାରିଲା।ତାଙ୍କର ସଫଳତା ପରେ ତାଙ୍କୁ ରାଜ୍ୟପାଳ ମାନନୀୟ ରାମେଶ୍ବର ଠାକୁର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ବାରା ରାଜ ଭବନ ଭୁବନେଶ୍ବରରେ ସମ୍ବର୍ଦ୍ଧିତ କରାଯାଇଥିଲା।ପରିଶେଷରେ ବରିଷ୍ଠ କବୀ ନିର୍ମଳା ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଡା. ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

