ଇନ୍ଦ୍ରାବତୀ ର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଲେ ଇନ୍ଦ୍ରାବତୀ ନାଗରିକ ମଞ୍ଚ : ବିଧାୟକ ଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ ଦାବୀ ପୂରଣ ନ ହେଲେ ଆନ୍ଦୋଲନ ନିଷ୍ପତ୍ତି
ତେନ୍ତୁଳିଖୁଣ୍ଟି -୩୦/୦୭/୨୬ — ନବରଙ୍ଗପୁର ଜିଲ୍ଲା ରେ ଇନ୍ଦ୍ରାବତୀ ବୋଲି ଏକ ସ୍ଥାନ ଅଛି ବୋଲି ସଭିଏଁ ଜାଣନ୍ତି କିନ୍ତୁ ରାଜସ୍ୱ ରେକର୍ଡ ରେ ଇନ୍ଦ୍ରାବତୀ ବୋଲି ଗ୍ରାମ ନାହିଁ ।କେବଳ କିଛି ସ୍ଥାନରେ ଥିବା ଅଫିସ ର ନାମ ଇନ୍ଦ୍ରାବତୀ ଡ୍ୟାମ ସର୍କଲ, ଉପର ଇନ୍ଦ୍ରାବତୀ ଇରିଗେଶନ ପ୍ରକଳ୍ପ,ଇନ୍ଦ୍ରାବତୀ ଓ କୋଲାବ ବେସିନ ରହିଛି। ସେଥି ମଧ୍ୟରୁ ତଥାକଥିତ ଇନ୍ଦ୍ରାବତୀରେ ଇନ୍ଦ୍ରାବତୀ ଡ୍ୟାମ ସର୍କଲ ବୋଲି ଆର୍ଥିକ କ୍ଷମତା ଶୂନ୍ୟ କାର୍ଯ୍ୟଳୟ ରହିଛି। ୨୪ ଜୁଲାଇ ରେ ହୋଇଥିବା ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ,ଇନ୍ଦ୍ରାବତୀ ଡ୍ୟାମ ସର୍କଲ କାର୍ଯ୍ୟଳୟ କଳାହାଣ୍ଡି ର ନର୍ଲା କୁ ସ୍ଥାନାନ୍ତର ନିଷ୍ପତ୍ତି ହୋଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ ଇନ୍ଦ୍ରାବତୀ ର ଅସ୍ତିତ୍ୱ ଲୋପ ପାଇଯିବ। ସରକାରୀ ଶବ୍ଦ କୋଷ ରୁ ଇନ୍ଦ୍ରାବତୀ ଶବ୍ଦ କେବଳ ଡ୍ୟାମ ହୋଇଥିବା ନଦୀ ହୋଇ ରହିଯିବ! ଏଣୁ ନବରଙ୍ଗପୁର ଜିଲ୍ଲାରେ ଇନ୍ଦ୍ରାବତୀ ଶବ୍ଦ କୁ ବଞ୍ଚାଇ ରଖିବା ପାଇଁ କିଛି ପ୍ରୟାସ ପାଇଁ ଇନ୍ଦ୍ରାବତୀ ନାଗରିକ ମଞ୍ଚ ଆଗକୁ ଆସିଛି । ଆଜି ଗୋପାଳ ଶ୍ରୀକ୍ଷେତ୍ର କଲ୍ୟାଣ ମଣ୍ଡପ ପ୍ରାଙ୍ଗଣ ରେ ଦଳୀୟ ଚିନ୍ତାଧାରା ଉର୍ଦ୍ଧ୍ୱ ରେ ରହି ବଞ୍ଚାଇବା ପାଇଁ ବିଭିନ୍ନ ଦଳ ,ସଂଗଠନ ର ବ୍ୟକ୍ତିବିଶେଷ ଯୋଗ ଦେଇ ଆଲୋଚନା କରିବା ସହ ଆଗାମୀ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି। ପ୍ରକୃତରେ ଇନ୍ଦ୍ରାବତୀ କେବଳ ଏକ ଶବ୍ଦ ନୁହେଁ, ଏହା ନବରଙ୍ଗପୁର ଜିଲ୍ଲାର ଇତିହାସ, ବିକାଶ ଓ ପରିଚୟ ସହ ଅତି ନିବିଡ଼ ଭାବେ ଜଡ଼ିତ ବୋଲି ମତ ଦେବା ସହ ଆଗାମୀ ଦିନରେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଙ୍କୁ ଭେଟି ଇନ୍ଦ୍ରାବତୀ ଠାରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ କାର୍ଯ୍ୟାଳୟ କରିବା ,ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କୁ ହସ୍ତାନ୍ତର,ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କୁ ହସ୍ତାନ୍ତର, ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ୱାରା ଅଧିଗୃହୀତ ବ୍ୟବହୃତ ଓ ଅବ୍ୟବହୃତ ଜମି କୁ ରାଜସ୍ବ ବିଭାଗ କୁ ହସ୍ତାନ୍ତର କରାଯାଇ ବିକାଶ କାର୍ଯ୍ୟରେ ବ୍ୟବହାର କରିବା ଦାବୀ ଉପସ୍ଥାପନ କରିବା ନିଷ୍ପତ୍ତି ନିଆଯାଇଥିଲା। ରାଜସ୍ୱ ରେକର୍ଡରେ ଇନ୍ଦ୍ରାବତୀ ନାମରେ କୌଣସି ଗ୍ରାମ ନାହିଁ, କିନ୍ତୁ ବର୍ଷ ବର୍ଷ ଧରି ଉପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ, ଇନ୍ଦ୍ରାବତୀ ଡ୍ୟାମ ସର୍କଲ ଏବଂ ଇନ୍ଦ୍ରାବତୀ–କୋଲାବ ବେସିନ ଭଳି ସରକାରୀ ପ୍ରତିଷ୍ଠାନ ମାଧ୍ୟମରେ ଏହି ନାମ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଣୁ ଏହାକୁ ବଞ୍ଚାଇ ରଖିବା ପାଇଁ ଯଦି ପଦକ୍ଷେପ ସରକାର ନ ନିଅନ୍ତି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଇନ୍ଦ୍ରାବତୀ ନାଗରିକ ମଞ୍ଚ ବାଧ୍ୟ ହେବ ବୋଲି ମିଳିତ ନିଷ୍ପତ୍ତି ନିଆଯାଇଥିଲା। ଆଜିର ବୈଠକ ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋପାଳ କୃଷ୍ଣ ଭଞ୍ଜ ସଭାପତିତ୍ୱ କରିଥିବା ବେଳେ ଖବରଦାତା ପୃଥିରାଜ ପାଇକରାୟ ପରିଚାଳନା କରିଥିଲେ। ବୈଠକ ରେ ମଞ୍ଚା ଗାଁ ସରପଞ୍ଚ ତ୍ରିପତି ମହାନ୍ତି ,ଗୌଡ଼ ଦେଓ ପାଲି ସମିତି ସଭ୍ୟ ସୁଧୀର ଖୁରା ତେନ୍ତୁଳିଖୁଣ୍ଟି ମଣ୍ଡଳ ବିଜେପି ସଭାପତି ପ୍ରଶାନ୍ତ ନାୟକ,ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳୀୟ ଗଣ ପରିଷଦ ସମ୍ପାଦକ ସୁଧୀର ସୁନା ,ଜିଲ୍ଲା ଓ ୟୁ ଜେ ସାଧାରଣ ସମ୍ପାଦକ ଚିଦାନନ୍ଦ ସାହୁ, ଚନ୍ଦ୍ର ଶେଖର ଦଳେଇ ,ସୁରେଶ ଦାସ, ଜଗବନ୍ଧୁ ସାମଲ, ପ୍ରବୀର ପ୍ରଧାନ , ସାଧୁସୁଦନ ବରାଳ , ମହେଶ୍ୱର ମହାନ୍ତି,ଗୋବର୍ଦ୍ଧନ ସାହୁ, ହରିଶ୍ଚନ୍ଦ୍ର ନାୟକ,ହରେକୃଷ୍ଣ ମୁଦୁଲି, ଇନ୍ଦ୍ରାବତୀ ବଣିକ ସଂଘ୍ ପରାମର୍ଶଦାତା ମୃତ୍ୟୁଞ୍ଜୟ ପାତ୍ର, ଖବରଦାତା କୃପାନିଧି ରାଉତ,ପରଜା ବାରଙ୍ଗ ପଦର ଶକ୍ତିକେନ୍ଦ୍ର ପ୍ରମୁଖ ମହେଶ୍ୱର ଦଳେଇ,ଲମତାଗୁଡ଼ା ସରପଞ୍ଚ ସମେତ ବହୁ ମାନ୍ୟଗଣ୍ୟ ନାଗରିକ ଉପସ୍ଥିତ ରହି ନିଜ ନିଜ ମତ ରଖିଥିଲେ।
ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

