ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଆମସେନା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ  ଲୋକାଭିମୁଖୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ନୂଆପଡ଼ା ଆମସେନା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଲୋକାଭିମୁଖୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ବ୍ଲକ ଅନ୍ତର୍ଗତ ଆମସେନା ଗ୍ରାମ ପଞ୍ଚାୟତର ଗୁରୁକୁଳ ଆଶ୍ରମ ପରିସରରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରବାସୀ ଶ୍ରମିକ ନିରାକରଣ ସଚେତନତା ଶିବିର ଏବଂ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଦ୍ୱାରିକାନାଥ ଶତପଥୀ, ନୂଆପଡ଼ା ବିଡିଓ ରୋହିତ ଭୋଇ, ତହସିଲଦାର ଲଲାଟେନ୍ଦୁ ଦଣ୍ଡସେନା, ଗୁରୁକୁଳ ଆଶ୍ରମର ପ୍ରଧାନାଚାର୍ଯ୍ୟ ଆଚାର୍ଯ୍ୟ ବ୍ରତାନନ୍ଦ ସରସ୍ୱତୀ ଏବଂ ଆମସେନା ସରପଞ୍ଚ ସବିତା ଚୌହାନ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଶ୍ରମିକ, କୃଷକ, ମହିଳା ଏବଂ ସାଧାରଣ ଜନତାଙ୍କୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନ କରିଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ ‘ଝିଅ ପାଇଁ ଗଛଟିଏ’ ଏବଂ ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ଜଣେ ନବଜାତ କନ୍ୟା ଶିଶୁକୁ କୋଳରେ ଧରି ତାହାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶିଶୁର ପିତାମାତାଙ୍କୁ ଉପହାର ଏବଂ ବୃକ୍ଷଚାରା ପ୍ରଦାନ କରିଥିଲେ। ସେହିପରି ଗର୍ଭବତୀ ମହିଳାମାନଙ୍କୁ ଫଳ, ପନିପରିବା, ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଏବଂ ବିଭିନ୍ନ ଉପହାର ବଣ୍ଟନ କରାଯାଇଥିଲା।

ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଚେତନତାଧର୍ମୀ ନୃତ୍ୟ ପରିବେଷଣ କରିଥିଲେ।ଉଦ୍‌ବୋଧନ ଦେଇ ଜିଲ୍ଲାପାଳ ମଧୁସୂଦନ ଦାଶ କହିଥିଲେ ଯେ, ପ୍ରବାସୀ ଶ୍ରମିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦଲାଲମୁକ୍ତ ନୂଆପଡ଼ା ଗଠନ ଅତ୍ୟନ୍ତ ଆବଶ୍ୟକ। ଅର୍ଥର ପ୍ରଲୋଭନ ଦେଖାଇ ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟକୁ ପଠାଉଥିବା ଦଲାଲଙ୍କ ବିରୋଧରେ ସମସ୍ତେ ସଚେତନ ହେବାକୁ ସେ ଆହ୍ୱାନ ଦେଇଥିଲେ। ଭିବିଜି-ରାମ-ଜି (VBG-RAM-G) କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ପରିବାର ଲକ୍ଷାଧିକ ଟଙ୍କା ଆୟ କରିପାରିବେ ବୋଲି ସେ କହିଥିଲେ। ଆମସେନା ପଞ୍ଚାୟତରେ ସମସ୍ତ ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ସରପଞ୍ଚଙ୍କ ନେତୃତ୍ୱରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସେହିପରି ଗ୍ରାମକୁ ଏକକ ବ୍ୟବହୃତ ପ୍ଲାଷ୍ଟିକମୁକ୍ତ ରଖିବାକୁ ମଧ୍ୟ ଆହ୍ୱାନ ଜଣାଇଥିଲେ।

ଏହି ଅବସରରେ ଭୋଜ କୁମାରୀ ମାଝୀ, କଲାନାଥ ମାଝୀ, କାମିନୀ ସବର, ସେତ ରାମ ସବର, ନରେନ୍ଦ୍ର କୁମାର ପାଣ୍ଡେ, ପୁନି ବାଇ ପାଣ୍ଡେ ଏବଂ ବିଜୟଲକ୍ଷ୍ମୀ ସାହୁଙ୍କୁ ନିର୍ମାଣ ଶ୍ରମିକ ପରିଚୟପତ୍ର ପ୍ରଦାନ କରାଯାଇଥିଲା।ଡୁମେରପାଣି ଗ୍ରାମ ପଞ୍ଚାୟତର ମୀନା ବାଇ ମାଝୀ ଏବଂ ଆମସେନା ଗ୍ରାମ ପଞ୍ଚାୟତର ରାମଚରଣ ଟାଣ୍ଡିଙ୍କୁ ‘ସ୍ୱଚ୍ଛତା ଦୂତ ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିପରି ଗତ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା (ମନରେଗା) ଅଧୀନରେ ୧୦୦ ଦିନ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ଫୁଲେଶ୍ୱରୀ ସାହୁ ଓ ହୀରାସିଂ ସବରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ‘ପକ୍ଷୀ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷା ଓ ଜୈବ ବିବିଧତା ସଂରକ୍ଷଣର ବାର୍ତ୍ତା ପ୍ରଦାନ କରାଯାଇଥିଲା।

Related posts

ବିଦ୍ୟୁତ ବାଣିଜ୍ୟ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟରେ ଚାଷୀ ଅସନ୍ତୋଷ

Sunil Chandra Nayak

ବାମନଘାଟୀ ପ୍ରେସ୍ କ୍ଲବ ଆନୁକୁଲ୍ୟରେ ବିଶ୍ୱ ପ୍ରେସ୍ ସ୍ଵାଧୀନତା ଦିବସ ପାଳିତ

masiha

ଜୁନାଗଡ଼ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!