ରାଇରଙ୍ଗପୁର ଷ୍ପୋର୍ଟସ କମ୍ପ୍ଲେକ୍ସ ରେ ୭,୮,୯ ୭୨ ତମ ରାଜ୍ୟସ୍ତରୀୟ କନିଷ୍ଠ ଵର୍ଗର ଖେଳକୁଦ କୁମ୍ଭମେଳା ନେଇ ପ୍ରଶାସନ ତରଫରୁ ସାମ୍ବାଦିକ ସମ୍ମିଳନୀ
ରାଇରଙ୍ଗପୁର, ତାରିଖ:୦୬-୦୮-୨୦୨୬ ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନକୁ ନେଇ ରାଇରଙ୍ଗପୁର ସ୍ପୋର୍ଟ୍ସ କମ୍ପେକ୍ସ ପରିସରରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁବାର ଅପରାହ୍ନ ୪ ଘଟିକାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମ, ଓଡିଶା ଅଲମ୍ପିକ ଆସୋସିଏସନ ଓ ଓଡିଶା ଆଥେଲଟିକ ଆସୋସିଏସନର ଟେକ୍ନିକାଲ ମୁଖ୍ୟ . ପ୍ରବବୋଧ କୁମାର ମହାନ୍ତି ଜିଲ୍ଲା କ୍ରୀଡାଧିକାରୀ ଡ଼ ସୁଭାଶିଷ ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ଡ଼. ଶୁଭାଶିଷ ନାୟକ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିବା ସହ ଉକ୍ତ ପ୍ରତିଯୋଗିତା ବିଷୟରେ ବିସ୍ତୃତ ସୂଚନା ପ୍ରଦାନ ପୂର୍ବକ କହିଥିଲେ । ଏହି ରାଜ୍ୟସ୍ତରୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ, ଜିଲ୍ଲା ପ୍ରଶାସନ ଓ ମୟୂରଭଞ୍ଜ କ୍ରୀଡା ସଙ୍ଘର ମିଳିତ ସହଯୋଗରେ ଓଡିଶା କ୍ରୀଡା ସଙ୍ଘ ଦ୍ୱାରା ଆୟୋଜିତ ହେବାକୁ ଯାଉଛି। ଚଳିତ ଅଗଷ୍ଟ ୭ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୯ତାରିଖ ପର୍ଯ୍ୟନ୍ତ, ମୋଟ ୩ଦିନ ଧରି ରାଇରଙ୍ଗପୁର ସ୍ଥିତ ନବ ନିର୍ମିତ କ୍ରୀଡ଼ା କମ୍ପ୍ଲେକ୍ସ ଠାରେ ଏହା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ପ୍ରଥମ ପର୍ଯ୍ୟାୟ ସକାଳ ୭ଘଟିକା ଠାରୁ ଆରମ୍ଭ ହୋଇ ଦିବା ୧୧-୩୦ ପର୍ଯ୍ୟନ୍ତ ଏବଂ ଦ୍ୱତୀୟ ପର୍ଯ୍ୟାୟ ଅପରାହ୍ନ ୨-୩୦ ରୁ ରାତ୍ର ୭-୩୦ ମିନିଟ ପର୍ଯ୍ୟନ୍ତ ବିଭିନ୍ନ ଖେଳକୁଦ ଇଭେଣ୍ଟ ଚାଲିବ। ନିମନ୍ତ୍ରିତ ଅତିଥି ବୃନ୍ଦଙ୍କ ଉପସ୍ଥିତିରେ ୭ତାରିଖ ଅପରାହ୍ନରେ ଏହାର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ। ବୟସ ଆଧାରରେ ପ୍ରତିଯୋଗିତା ୪ଟି ବର୍ଗରେ ଯଥାକ୍ରମେ ୧୪ ବର୍ଷରୁ କମ, ୧୬ ବର୍ଷରୁ କମ, ୧୮ ବର୍ଷରୁ କମ ଓ ୨୦ ବର୍ଷରୁ କମ ବୟସ ଉଭୟ ବାଳକ ଓ ବାଳିକା ଖେଳାଳୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ୩୦ଟି ଜିଲ୍ଲା ଏବଂ ପ୍ରମୁଖ ସହର ଭୁବନେଶ୍ୱର, ରାଉରକେଲା,ପାରାଦ୍ବୀପ ଓ କିଟସ ଅନୁଷ୍ଠାନକୁ ମିଶାଇ ମୋଟ ୩୪ଟି ସ୍ଥାନରୁ ୩୫୮ ବାଳକ ଓ ୨୪୪ ଜଣ ବାଳିକାଙ୍କୁ ମିଶାଇ ମୋଟ ୬୦୨ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିବେ। ଏଥି ସହିତ ମହିଳା କ୍ରୀଡ଼ାବିତ୍, ପ୍ରଶିକ୍ଷକ, ଅଧିକାରୀ ଓ କ୍ରୀଡା ଜଗତର ଅନ୍ୟାନ୍ୟ ଅତିଥି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାର ସୁପରିଚାଳନା ପାଇଁ ୮୦ଜଣ ଟେକ୍ନିକାଲ ଅଫିସର ଓ ୧୨୦ ଜଣ ଅର୍ଗାନାଇଜ଼ର ନିୟୋଜିତ ହୋଇଛନ୍ତି।ଉଭୟ ବାଳକ ଓ ବାଳିକା ବର୍ଗରେ ଦୌଡ଼, ଲମ୍ଫ, ଥ୍ରୋ ଇତ୍ୟାଦି ସହ ଦୌଡ଼କୁଦ ଅନ୍ତର୍ଗତ ଅନ୍ୟାନ୍ୟ ଖେଳକୁ ମିଶାଇ ପାଖାପାଖି ୨୬ଟି ଇଭେଣ୍ଟ ଅନୁଷ୍ଠିତ ହେବ। ପ୍ରତ୍ୟେକ ଇଭେଣ୍ଟ ପୃଥକ ପୃଥକ ଭାବେ ଉଭୟ ବାଳକ ଓ ବାଳିକା ମାନଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରତ୍ୟେକ ଇଭେଣ୍ଟରେ ପ୍ରତିଯୋଗିତା ଶେଷରେ ତତକ୍ଷଣାତ ମେଡାଲ ଉତ୍ସବ ଆୟୋଜନ କରାଯାଇ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର ପ୍ରତିଯୋଗିତାର ପ୍ରସ୍ତୁତି ଓ ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରି କହିଥିଲେ ଯେ, ରାଜ୍ୟର ଏକ ପ୍ରମୁଖ କ୍ରୀଡ଼ା ଆୟୋଜନ ଭାବେ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାକୁ ସୁଚାରୁ, ଶୃଙ୍ଖଳିତ ଓ ସଫଳ ଭାବେ ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି।ଏହି ଆକର୍ଷଣୀୟ କ୍ରୀଡା କୁମ୍ଭମେଳାରେ କ୍ରୀଡ଼ାପ୍ରେମୀ,ରାଇରଙ୍ଗପୁର ଅଞ୍ଚଳବାସୀ ବହୁ ସଂଖ୍ୟାରେ ଯୋଗ ଦେଇ ଖେଳକୁ ଉପଭୋଗ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର,ଉପଜିଲ୍ଲାପାଳ ଉଗ୍ରସେନ ଓରାମ ସହଯୋଗ କାମନା କରିଛନ୍ତି ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

