ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ଗଙ୍ଗା ପାର

ଗଙ୍ଗା ପାର

 

ରାଗ : କଳସା 

 

ଯଜ୍ଞ ରକ୍ଷା ନିମନ୍ତରେ ଶ୍ରୀରାମ ଲକ୍ଷ୍ମଣ,  

ବିଶ୍ୱାମିତ୍ର ଋଷି ସଙ୍ଗେ ଗଲେ ଘୋର ବନ l

ତାଡ଼ାକା ସୁବାହୁ ବଦ୍ଧ କରି ରଘୁନାଥ,  

ଅହଲ୍ୟା ଉଦ୍ଧାର କଲେ ଦଶରଥ ସୁତ l

ସୀତା ସ୍ଵୟମ୍ବର ହୁଏ ମିଥିଳା ଦେଶରେ, 

ଋଷି ଆଜ୍ଞାଦେଲେ ଚାଲ ଦେଖିବା ସେଠାରେ l

ପ୍ରଭାତ ସମୟେ ଅତି ଶୁଭ ମୁହୂର୍ତ୍ତରେ, 

ଗଙ୍ଗା କୂଳେ ଋଷି ଦୁହି ଶିଷ୍ୟଙ୍କ ସଙ୍ଗରେ l

ଅତି ପୁଣ୍ୟତୋୟା ସେହି ବିଷ୍ଣୁପଦୀ ମାତା, 

ପବିତ୍ର ଅଟଇ ଜଳ ପାପ ନାଶ କର୍ତ୍ତା l

ଥଳ କୁଳ ପାଏନାହିଁ ଜଳ ଭର ପୁର, 

ଶ୍ରୀରାମ କୁହନ୍ତି କିପରି ହୋଇବା ପାର l

ବିଶ୍ଵାମିତ୍ର କହୁଛନ୍ତି ଶ୍ରୀରାମଙ୍କୁ ଚାହିଁ, 

ନାବିକ ରହିଛି ପାରି କରିବାର ପାଇଁ l

ଦୂରୁ ଦେଖୁଥିଲା ସେହି ବିଜ୍ଞାନୀ ନାବିକ, 

ସରଳ ନିରୀହ ଅଟେ ତାହାରି ବିବେକ l

ପଦ ରେଣୁ ପଡ଼ି ପାଷାଣ ହେଲା ନାୟିକା, 

କର୍ଣ୍ଣେ ସେହି ଶୁଣିଥିଲା ମନେ କଲା ଶଙ୍କା l

ପୁରୁଣା ଦଦରା ନାବ ତାହାର ଅଟଇ, 

ବହୁ କଷ୍ଟେ ପରିବାର ସେଥିରେ ପୋଷଇ l

ନଉକା ହୋଇବ ଯେବେ ନାୟିକା ତାହାର, 

କେଉଁପରି ପୋଷିବ ସେ ନିଜ ପରିବାର l

ଋଷିଙ୍କର ଅନୁରୋଧ ଅବଜ୍ଞା କରିଲା, 

ଶ୍ରୀରାମଙ୍କ ଡାକ ଶୁଣି ନିକଟେ ମିଳିଲା l

ରଖିଥିଲା ସର୍ତ୍ତ ସେହି ଧୋଇବ ପୟର, 

ତେବେ ଯାଇ ନଉକାରେ ଯିବେ ରଘୁବୀର l

ବିଜ୍ଞାନୀ କୈବର୍ତ୍ତ ସେହି ଅତି ବୁଦ୍ଧିବାନ, 

ଚରଣ ବଢ଼ାଇ ଦେଲେ ଶ୍ରୀରଘୁନନ୍ଦନ l

ବ୍ରହ୍ମା ଶିବ ଦେବା ଦେବୀ କେତେ ତପ କରି, 

ଶ୍ରୀରାମଙ୍କ ପୟରକୁ ନପାରନ୍ତି ଧରି l

ନିଜ ଭକ୍ତି ସରଳତା ପଣକୁ ଦେଖାଇ, 

ରାଘବଙ୍କ ପଦ ଧୌତ ଧୀବର କରଇ l

ପିନ୍ଧିଥିବା ବସନରେ ପାଦକୁ ପୋଛିଲା, 

ସୁକୋମଳ ପତ୍ର ଆଣି ନାଆରେ ପାରିଲା l

ବେନି ଭ୍ରାତାଙ୍କ ସହିତ ଋଷି ସଙ୍ଗତରେ, 

କୈବର୍ତ୍ତ ବୁହାଏ ନାବ ଗଙ୍ଗା ଜଳ ପରେ l

ପୂଣ୍ୟ ସେହି ଗଙ୍ଗା ମାତା ପୂଣ୍ୟ ପରିବେଶ, 

ପୂଣ୍ୟ ସେହି କଇବର୍ତ୍ତ ପୂଣ୍ୟ ତା’ର ଦେଶ l

ଗଙ୍ଗା ପାର ହୋଇ ନାବ ଲାଗିଲା କୂଳରେ, 

ନାବରୁ ଓଲ୍ହାଇ ଧୀରେ ଚଳିଲେ ସକଳେ l

କରୁଣା ବାରିଧି ପ୍ରଭୁ ରାଜୀବଲୋଚନ, 

କୃପା କରିଲେ ଧୀବର ହୋଇଗଲା ଧନ୍ୟ l

ଶୁଦ୍ଧ ସୁବର୍ଣ୍ଣ ହୋଇଲା ଧୀବରର ନାଆ, 

ଯୁଗ ଯୁଗରେ ରହିଲା ତା’ର ସେହି ନାଆଁ l

ସୁଦୟା କରିବ ପ୍ରଭୁ ରାଜୀବ ଲୋଚନ, 

ମୁଖେ ଧରି ତୁମ ନାମ ଯାଉ ଏ ଜୀବନ l

ପ୍ରଶାନ୍ତ କୁମାର ଶତପଥୀ

ଛତ୍ରପୁର,ଗଞ୍ଜାମ

Related posts

ଲଙ୍କେଶ୍ବରୀ ମନ୍ଦିର ର ରାସ୍ତା ଅବରୋଧ ଅଭିଯୋଗ 

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ଇମ୍ପେକ୍ଟ ଫାଉଣ୍ଡେସନ ଇଣ୍ଡିଆ,  ରେଲମନ୍ତ୍ରଣାଳୟ ପକ୍ଷରୁ ବିଶ୍ଵର ପ୍ରଥମ ଭ୍ରାମ୍ୟମାଣ ଅସ୍ତ୍ରୋପଚାର ଚିକିତ୍ସା ସେବା ଲାଇଫ ଲାଇନ ଚିକିତ୍ସା ଆରମ୍ଭ

Leave a Comment

error: Content is protected !!