ଗଙ୍ଗା ପାର
ରାଗ : କଳସା
ଯଜ୍ଞ ରକ୍ଷା ନିମନ୍ତରେ ଶ୍ରୀରାମ ଲକ୍ଷ୍ମଣ,
ବିଶ୍ୱାମିତ୍ର ଋଷି ସଙ୍ଗେ ଗଲେ ଘୋର ବନ l
ତାଡ଼ାକା ସୁବାହୁ ବଦ୍ଧ କରି ରଘୁନାଥ,
ଅହଲ୍ୟା ଉଦ୍ଧାର କଲେ ଦଶରଥ ସୁତ l
ସୀତା ସ୍ଵୟମ୍ବର ହୁଏ ମିଥିଳା ଦେଶରେ,
ଋଷି ଆଜ୍ଞାଦେଲେ ଚାଲ ଦେଖିବା ସେଠାରେ l
ପ୍ରଭାତ ସମୟେ ଅତି ଶୁଭ ମୁହୂର୍ତ୍ତରେ,
ଗଙ୍ଗା କୂଳେ ଋଷି ଦୁହି ଶିଷ୍ୟଙ୍କ ସଙ୍ଗରେ l
ଅତି ପୁଣ୍ୟତୋୟା ସେହି ବିଷ୍ଣୁପଦୀ ମାତା,
ପବିତ୍ର ଅଟଇ ଜଳ ପାପ ନାଶ କର୍ତ୍ତା l
ଥଳ କୁଳ ପାଏନାହିଁ ଜଳ ଭର ପୁର,
ଶ୍ରୀରାମ କୁହନ୍ତି କିପରି ହୋଇବା ପାର l
ବିଶ୍ଵାମିତ୍ର କହୁଛନ୍ତି ଶ୍ରୀରାମଙ୍କୁ ଚାହିଁ,
ନାବିକ ରହିଛି ପାରି କରିବାର ପାଇଁ l
ଦୂରୁ ଦେଖୁଥିଲା ସେହି ବିଜ୍ଞାନୀ ନାବିକ,
ସରଳ ନିରୀହ ଅଟେ ତାହାରି ବିବେକ l
ପଦ ରେଣୁ ପଡ଼ି ପାଷାଣ ହେଲା ନାୟିକା,
କର୍ଣ୍ଣେ ସେହି ଶୁଣିଥିଲା ମନେ କଲା ଶଙ୍କା l
ପୁରୁଣା ଦଦରା ନାବ ତାହାର ଅଟଇ,
ବହୁ କଷ୍ଟେ ପରିବାର ସେଥିରେ ପୋଷଇ l
ନଉକା ହୋଇବ ଯେବେ ନାୟିକା ତାହାର,
କେଉଁପରି ପୋଷିବ ସେ ନିଜ ପରିବାର l
ଋଷିଙ୍କର ଅନୁରୋଧ ଅବଜ୍ଞା କରିଲା,
ଶ୍ରୀରାମଙ୍କ ଡାକ ଶୁଣି ନିକଟେ ମିଳିଲା l
ରଖିଥିଲା ସର୍ତ୍ତ ସେହି ଧୋଇବ ପୟର,
ତେବେ ଯାଇ ନଉକାରେ ଯିବେ ରଘୁବୀର l
ବିଜ୍ଞାନୀ କୈବର୍ତ୍ତ ସେହି ଅତି ବୁଦ୍ଧିବାନ,
ଚରଣ ବଢ଼ାଇ ଦେଲେ ଶ୍ରୀରଘୁନନ୍ଦନ l
ବ୍ରହ୍ମା ଶିବ ଦେବା ଦେବୀ କେତେ ତପ କରି,
ଶ୍ରୀରାମଙ୍କ ପୟରକୁ ନପାରନ୍ତି ଧରି l
ନିଜ ଭକ୍ତି ସରଳତା ପଣକୁ ଦେଖାଇ,
ରାଘବଙ୍କ ପଦ ଧୌତ ଧୀବର କରଇ l
ପିନ୍ଧିଥିବା ବସନରେ ପାଦକୁ ପୋଛିଲା,
ସୁକୋମଳ ପତ୍ର ଆଣି ନାଆରେ ପାରିଲା l
ବେନି ଭ୍ରାତାଙ୍କ ସହିତ ଋଷି ସଙ୍ଗତରେ,
କୈବର୍ତ୍ତ ବୁହାଏ ନାବ ଗଙ୍ଗା ଜଳ ପରେ l
ପୂଣ୍ୟ ସେହି ଗଙ୍ଗା ମାତା ପୂଣ୍ୟ ପରିବେଶ,
ପୂଣ୍ୟ ସେହି କଇବର୍ତ୍ତ ପୂଣ୍ୟ ତା’ର ଦେଶ l
ଗଙ୍ଗା ପାର ହୋଇ ନାବ ଲାଗିଲା କୂଳରେ,
ନାବରୁ ଓଲ୍ହାଇ ଧୀରେ ଚଳିଲେ ସକଳେ l
କରୁଣା ବାରିଧି ପ୍ରଭୁ ରାଜୀବଲୋଚନ,
କୃପା କରିଲେ ଧୀବର ହୋଇଗଲା ଧନ୍ୟ l
ଶୁଦ୍ଧ ସୁବର୍ଣ୍ଣ ହୋଇଲା ଧୀବରର ନାଆ,
ଯୁଗ ଯୁଗରେ ରହିଲା ତା’ର ସେହି ନାଆଁ l
ସୁଦୟା କରିବ ପ୍ରଭୁ ରାଜୀବ ଲୋଚନ,
ମୁଖେ ଧରି ତୁମ ନାମ ଯାଉ ଏ ଜୀବନ l
ପ୍ରଶାନ୍ତ କୁମାର ଶତପଥୀ
ଛତ୍ରପୁର,ଗଞ୍ଜାମ