ଗରିବ ଓ ଭୂମିହୀନଙ୍କ ଦାବି ନେଇ ରାୟଗଡ଼ାରେ ୨୪ ଘଣ୍ଟିଆ ସତ୍ୟାଗ୍ରହ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ AIARLAର ଅନଶନ; ବିଭିନ୍ନ ଦାବିରେ ସରକାରଙ୍କୁ ଚେତାବନୀ
ରାୟଗଡ଼ା, ୧୩/୦୮: ଗରିବ, ଭୂମିହୀନ ଓ ଗ୍ରାମୀଣ ଶ୍ରମିକଙ୍କ ବିଭିନ୍ନ ଦାବି ନେଇ ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ (AIARLA) ପକ୍ଷରୁ ୨୪ ଘଣ୍ଟିଆ ଦେଶବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ପାଳିତ ହୋଇଛି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ସହରସ୍ଥିତ ସଦର ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରୁ ସଂଘର କର୍ମକର୍ତ୍ତା ଓ ସମର୍ଥକମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।
ସେଠାରେ ସଂଘ ପକ୍ଷରୁ ୨୪ ଘଣ୍ଟିଆ ଅନଶନ ଓ ସତ୍ୟାଗ୍ରହ ଆରମ୍ଭ କରାଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ AIARLAର ରାଜ୍ୟ ସମ୍ପାଦକ ତ୍ରିପତି ଗମାଙ୍ଗ, ଅନିରୁଦ୍ଧ ନିଶିକାଙ୍କ ସମେତ ବିଭିନ୍ନ ନେତା ଓ ଶ୍ରମିକ ପ୍ରତିନିଧିମାନେ ଯୋଗଦେଇ ଗରିବ ଓ ଶ୍ରମିକଙ୍କ ସମସ୍ୟା ଏବଂ ସେମାନଙ୍କ ବିଭିନ୍ନ ଦାବି ଉପରେ ମତବ୍ୟକ୍ତ କରିଥିଲେ।
ସଂଘ ପକ୍ଷରୁ ସମାନ କାମକୁ ସମାନ ମଜୁରୀ ପ୍ରଦାନ, ଗରିବ ଓ ଭୂମିହୀନଙ୍କ କୁଡ଼ିଆ ଘର ଉଚ୍ଛେଦ ପାଇଁ ବୁଲଡୋଜର ବ୍ୟବହାର ବନ୍ଦ କରିବା, ବାସିନ୍ଦା ପ୍ରମାଣପତ୍ର ଆଧାରରେ ଘରଡିହ ପଟ୍ଟା ପ୍ରଦାନ, ପ୍ରତ୍ୟେକ ପଞ୍ଚାୟତରେ ଭୂମିହୀନଙ୍କ ପାଇଁ ସରକାରୀ ବାସଗୃହ କଲୋନୀ ନିର୍ମାଣ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୭ ଲକ୍ଷ ଟଙ୍କା ନଗଦ ସହାୟତା ପ୍ରଦାନ ଆଦି ଦାବି କରାଯାଇଥିଲା।
ସେହିପରି ଭିବି ଜି ରାମ ଜୀ ଯୋଜନାରେ ୧୨୫ ଦିନର କାମର ଗ୍ୟାରେଣ୍ଟି ସହ ଦୈନିକ ସର୍ବନିମ୍ନ ୭୦୦ ଟଙ୍କା ମଜୁରୀ ପ୍ରଦାନ, କାମ ନମିଳିଲେ ବେକାରୀ ଭତ୍ତା ପାଇଁ ବ୍ୟବସ୍ଥା, SIR ଆଧାରରେ ଗରିବ ଓ ଭୂମିହୀନଙ୍କ ରାସନ କାର୍ଡରୁ ନାମ ବାଦ ଦେବା ବନ୍ଦ, ଗରିବ ଓ ଭୂମିହୀନ ପରିବାରର ପିଲାମାନଙ୍କୁ ମାଗଣା ଉଚ୍ଚଶିକ୍ଷାର ଗ୍ୟାରେଣ୍ଟି ଏବଂ ସାମାଜିକ ସୁରକ୍ଷା ପେନସନରୁ ନାମ ବାଦ ଦେବା ବନ୍ଦ କରିବାକୁ ଦାବି ହୋଇଥିଲା।ଏଥିସହ ସମସ୍ତ ବୃଦ୍ଧଙ୍କୁ ମାସିକ ୫ ହଜାର ଟଙ୍କା ସାମାଜିକ ସୁରକ୍ଷା ପେନସନ, ସାଟେଲାଇଟ୍ ଟାଉନସିପ୍ ନାମରେ ଚାଷୀଙ୍କ ଜମି ଜବରଦଖଲ ବନ୍ଦ, ପଞ୍ଚାୟତ ଗୃହ, ରାସ୍ତା ଓ ପାଣି ଭଳି ମୌଳିକ ସେବା ଉପରେ ବେଆଇନ ଟିକସ ଲାଗୁ କରିବା ବନ୍ଦ କରିବା ଭଳି ଦାବି ଉଠାଯାଇଥିଲା।
ସଭାରେ ରାଜ୍ୟ ସମ୍ପାଦକ ତ୍ରିପତି ଗମାଙ୍ଗ ଉପରୋକ୍ତ ଦାବିଗୁଡ଼ିକ ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ।
ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅନିରୁଦ୍ଧ ନିଶିକା (ପୂର୍ବତନ ସରପଞ୍ଚ), ମୂର୍ତ୍ତି ମିଣିଆକା, ଲୋକନାଥ ନାଉରି, ରାମାରାଓ କୁତ୍ରୁକା, ମାଣିକଦେଇ ହାତିମୁଣିଆ, ମୁରଲୀ ମୁଟୁକା, ଚବିଲାଲ ହିହାଲ, କ୍ରିଷ୍ଣା ପାଲକା, ଅଷ୍ଟମ ଉଲକା, ଆଛାନା ମାଣ୍ଡାଙ୍ଗି, ରବିନ୍ଦ୍ର କଣ୍ଡାଗରି, ସିମାଦ୍ରି ପାତିକାଙ୍କ ସମେତ ବହୁ ସଂଖ୍ୟକ ଶ୍ରମିକ ଓ ସଂଘର କର୍ମକର୍ତ୍ତା ଉପସ୍ଥିତ ରହି ଦାବିଗୁଡ଼ିକ ସମର୍ଥନରେ ପ୍ରତିବାଦ କରିଥିଲେ।
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

