ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୌରାଞ୍ଚଳରେ ବିକାଶ, ପଞ୍ଚାୟତ ଅଞ୍ଚଳରେ ଦୁର୍ଦ୍ଦଶା ସାଇପ୍ରିୟା ନଗରବାସୀଙ୍କ ଦୁଃଖ ବଢ଼ାଉଛି ରାସ୍ତା, ନାଳ ଓ ପାଣି ସମସ୍ୟା — ପ୍ରଶାସନର ହସ୍ତକ୍ଷେପ ଦାବି

ପୌରାଞ୍ଚଳରେ ବିକାଶ, ପଞ୍ଚାୟତ ଅଞ୍ଚଳରେ ଦୁର୍ଦ୍ଦଶା

ସାଇପ୍ରିୟା ନଗରବାସୀଙ୍କ ଦୁଃଖ ବଢ଼ାଉଛି ରାସ୍ତା, ନାଳ ଓ ପାଣି ସମସ୍ୟା — ପ୍ରଶାସନର ହସ୍ତକ୍ଷେପ ଦାବି

ରାୟଗଡ଼ା: ରାୟଗଡ଼ା ସହରର ଏକ ବୃହତ୍ ଅଞ୍ଚଳ ଭାବେ ପରିଚିତ ସାଇପ୍ରିୟା ନଗର ଏବେ ବିକାଶର ଅସମାନତାକୁ ନେଇ ଚର୍ଚ୍ଚାରେ। ଏହି ଅଞ୍ଚଳର ଗୋଟିଏ ଅଂଶ ପୌରପରିଷଦ ଅଧୀନରେ ଥିବାବେଳେ ଅନ୍ୟ ଅଂଶ ଦୁଇଟି ପଞ୍ଚାୟତ ଅଧୀନରେ ରହିଛି। ପୌରାଞ୍ଚଳ ଅଧୀନରେ ଥିବା ଅଞ୍ଚଳରେ କିଛି ନା କିଛି ଉନ୍ନୟନମୂଳକ କାର୍ଯ୍ୟ ହେଉଥିବା ବେଳେ ପଞ୍ଚାୟତ ଅଧୀନରେ ଥିବା ଅଞ୍ଚଳର ବାସିନ୍ଦାମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହୋଇଛି।

ବିଶେଷକରି ପଞ୍ଚାୟତ ଅଞ୍ଚଳରେ ପାନୀୟ ଜଳ, ପକ୍କା ରାସ୍ତା ଓ ନାଳ ବ୍ୟବସ୍ଥା ନଥିବାରୁ ଲୋକଙ୍କ ସମସ୍ୟା ଦିନକୁ ଦିନ ଗୁରୁତର ହେଉଛି। ସାମାନ୍ୟ ବର୍ଷା ହେଲେ ମଧ୍ୟ ନାଳରେ ଜମି ରହୁଥିବା ନର୍ଦ୍ଦମା ପାଣି ରାସ୍ତା ଉପରେ ପ୍ରବାହିତ ହେବା ସହ ଅନେକ ସମୟରେ ଘର ଭିତରକୁ ପଶିଯାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଫଳରେ ଘରଦ୍ୱାର ଅପରିଷ୍କାର ହେବା ସହ ଦୂଷିତ ପରିବେଶ ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି।

ବର୍ଷା ଋତୁରେ ପରିସ୍ଥିତି ଆହୁରି ଦୟନୀୟ ହୋଇପଡ଼ୁଥିବା ବେଳେ ଛୋଟ ପିଲା, ବୃଦ୍ଧବୃଦ୍ଧା ଓ ମହିଳାମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ କାଦୁଅ ଓ ନର୍ଦ୍ଦମା ପାଣି ଜମି ରହିବାରୁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଛି।ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ସମସ୍ୟା ସମ୍ପର୍କରେ ବାରମ୍ବାର ସରପଞ୍ଚଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନାହିଁ। ସମସ୍ୟା ନେଇ ପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ ବ୍ଲକ୍ କାର୍ଯ୍ୟାଳୟକୁ ଯିବାକୁ କୁହାଯାଉଛି, ପୁଣି ବ୍ଲକ୍ କାର୍ଯ୍ୟାଳୟକୁ ଗଲେ ପଞ୍ଚାୟତ ସ୍ତରରେ ସମାଧାନ କରିବାକୁ କୁହାଯାଉଛି। ଏଭଳି ଭାବେ ଲୋକେ କାର୍ଯ୍ୟାଳୟରୁ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ସମସ୍ୟାର ସମାଧାନ ମିଳୁନଥିବା ଅଭିଯୋଗ କରିଛନ୍ତି।

“ଆମ ସମସ୍ୟା କାହାକୁ କହିବୁ ଏବଂ କିଏ ସମାଧାନ କରିବ, ତାହା ବୁଝି ହେଉନାହିଁ। ବର୍ଷା ହେଲେ ନର୍ଦ୍ଦମା ପାଣି ଘରେ ପଶୁଛି। ରାସ୍ତା ଓ ନାଳ ନଥିବାରୁ ଆମେ ଅତ୍ୟନ୍ତ ଅସୁବିଧାରେ ଅଛୁ,” ବୋଲି ସ୍ଥାନୀୟ ବାସିନ୍ଦା ରାମା ରାଓ, ଲୋକେଶ, ଚିଡ଼ମ୍ବରମ ଓ ଚିନ୍ନାରାଓ କହିଛନ୍ତି।

ସହରର ଏକ ବୃହତ୍ ଅଞ୍ଚଳ ହୋଇଥିବା ସତ୍ତ୍ୱେ ଏଠାରେ ମୌଳିକ ନାଗରିକ ସୁବିଧାର ଏଭଳି ଅଭାବ ରହିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଅଞ୍ଚଳର ପ୍ରଶାସନିକ ସୀମା ଯେଉଁଠି ଯାହା ହେଉ, ସ୍ଥାନୀୟ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ଉଭୟ ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନର ଦାୟିତ୍ୱ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ତେଣୁ ଜିଲ୍ଲା ପ୍ରଶାସନ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ସାଇପ୍ରିୟା ନଗରର ପଞ୍ଚାୟତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ, ରାସ୍ତା ନିର୍ମାଣ, ନାଳ ନିର୍ମାଣ ଓ ଜଳ ନିଷ୍କାସନର ସୁବ୍ୟବସ୍ଥା କରିବା ସହ ଲୋକଙ୍କ ଦୀର୍ଘଦିନର ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି। ବର୍ଷା ଋତୁରେ ପରିସ୍ଥିତି ଆହୁରି ଜଟିଳ ହେବା ପୂର୍ବରୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଗୁହାରି କରିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୋଟି କୋଟି ଟଙ୍କା ର ପ୍ରକଳ୍ପ ଅଥଚ ନାହିଁ ଶ୍ରମିକ ଙ୍କ ପାଇଁ ନିଜସ୍ବ ବିଶ୍ରାମ ସ୍ଥଳ

Sunil Chandra Nayak

ବାରବାଟୀରେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍ ଅଧାରୁ ବନ୍ଦ ହେଲା ମ୍ୟାଚ 

masiha

ବ୍ଲକ ସ୍ତରୀୟ ପରାମର୍ଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!