ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଞ୍ଜେଇ ଚାଲାଣ ଉପରେ ଇଆଇ ଆଣ୍ଡ ଇବିର ବଡ଼ ଚଢ଼ାଉ; ୧୦୬ କେଜି ଗଞ୍ଜେଇ ଜବତ  ବୋଲେରୋ ନିଓ, ପଲସର ସହ ୬ ମୋବାଇଲ ଜବତ; ନୟାଗଡ଼ର ୩ ଗିରଫ, ମାଷ୍ଟରମାଇଣ୍ଡ ଫେରାର 

ଗଞ୍ଜେଇ ଚାଲାଣ ଉପରେ ଇଆଇ ଆଣ୍ଡ ଇବିର ବଡ଼ ଚଢ଼ାଉ; ୧୦୬ କେଜି ଗଞ୍ଜେଇ ଜବତ 

ବୋଲେରୋ ନିଓ, ପଲସର ସହ ୬ ମୋବାଇଲ ଜବତ; ନୟାଗଡ଼ର ୩ ଗିରଫ, ମାଷ୍ଟରମାଇଣ୍ଡ ଫେରାର 

ବ୍ରହ୍ମପୁର, ୧୪/୮: ଗଞ୍ଜେଇ ଚାଲାଣ ଉପରେ ଏନ୍‌ଫୋର୍ସମେଣ୍ଟ, ଇଣ୍ଟେଲିଜେନ୍ସ ଆଣ୍ଡ ଏନ୍‌ଫୋର୍ସମେଣ୍ଟ ବ୍ୟୁରୋ (EI&EB)ର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ବ୍ରହ୍ମପୁର-ଜଗଦଲପୁର ରୋଡ୍‌ ଏନ୍‌ଏଚ୍‌-୫୯ର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ସକାଳେ ଚଢ଼ାଉ କରି ୧ କ୍ୱିଣ୍ଟାଲ ୬ କେଜି ଗଞ୍ଜେଇ ଜବତ କରିଛି ଟିମ୍‌। ଏହି ଘଟଣାରେ ନୟାଗଡ଼ ଜିଲ୍ଲାର ୩ ଜଣଙ୍କୁ ଗିରଫ କରାଯାଇଛି। ଚଢ଼ାଉ ସମୟରେ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ବୋଲେରୋ ନିଓ କାର୍‌, ଚାଲାଣକାରୀଙ୍କୁ ଏସ୍‌କର୍ଟ କରୁଥିବା ଏକ ପଲସର ବାଇକ୍‌ ଏବଂ ୬ଟି ଆଣ୍ଡ୍ରଏଡ୍‌ ମୋବାଇଲ ଫୋନ୍‌ ମଧ୍ୟ ଜବତ ହୋଇଛି। ଗଞ୍ଜେଇ ଚାଲାଣର ଏକ ସୁସଂଗଠିତ ନେଟ୍‌ୱର୍କ ସମ୍ପର୍କରେ ଏହି ଚଢ଼ାଉରୁ ସୁରାକ ମିଳିଥିବା ବେଳେ ତଦନ୍ତକୁ ଆହୁରି ବ୍ୟାପକ କରାଯାଇଛି। ତେବେ ଚଢ଼ାଉ ବେଳେ ଗଞ୍ଜେଇ କାରବାରର ମୁଖ୍ୟ କାର୍ପଟଦାର ତଥା ମାଷ୍ଟରମାଇଣ୍ଡ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡ଼ିଛି। ତାକୁ ଧରିବା ପାଇଁ ତଦନ୍ତ ଜୋରଦାର କରାଯାଇଛି। ମାମଲା ସହ ଜଡ଼ିତ ଅନ୍ୟମାନଙ୍କ ସମ୍ପର୍କରେ ମଧ୍ୟ ଖୋଳତାଡ଼ ଚାଲିଛି। ଫେରାର ମାଷ୍ଟରମାଇଣ୍ଡ ପୂର୍ବରୁ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ସାନ ଭାଇ ବୋଲି ଜଣାପଡ଼ିଛି। ଗତ ୯ ଅଗଷ୍ଟରେ କନ୍ଧମାଳ ଜିଲ୍ଲା ମୋବାଇଲ୍‌ ୟୁନିଟ୍‌ ପକ୍ଷରୁ ହୋଇଥିବା ଚଢ଼ାଉରେ ତାଙ୍କ ଭାଇଙ୍କ ନିକଟରୁ ଏକ ମହିନ୍ଦ୍ରା ପିକ୍‌ଅପ୍‌, ୧୬୩ କେଜି ଗଞ୍ଜେଇ ଓ ୨ଟି ବେଆଇନ ପିସ୍ତଲ ଜବତ ହୋଇଥିଲା।ଏହି ପୂର୍ବ ମାମଲା ସହ ବର୍ତ୍ତମାନର ଘଟଣାର କୌଣସି ସମ୍ପର୍କ ରହିଛି କି ନାହିଁ, ଗଞ୍ଜେଇ ଚାଲାଣ ପଛରେ ଆଉ କେଉଁମାନେ ରହିଛନ୍ତି ଏବଂ ଏହି ନେଟ୍‌ୱର୍କ କେତେଦୂର ବ୍ୟାପିଛି, ସେନେଇ ତଦନ୍ତ ଜାରି ରହିଛି। ମାଷ୍ଟରମାଇଣ୍ଡ ସମେତ ଚାଲାଣ ଚକ୍ରରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବାକୁ ତଦନ୍ତକାରୀ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ଏହି ଚଢ଼ାଉରେ ଏସ୍‌ଆଇ ଗିରିଜାନନ୍ଦନ ଜେନା, ଏଏସ୍‌ଆଇ ଅମରଜିତ ସାହୁ, ପ୍ରବୀର ସାମଲ, ସନ୍ତୋଷ ନାୟକ, କୁମୁଦ ପ୍ରଧାନ, ସରୋଜ ସ୍ୱାଇଁ, ପରେଶ ବେହେରା ଓ ଡ୍ରାଇଭର ବାଦଲ ପ୍ରମୁଖ ସାମିଲ ଥିଲେ।

Related posts

ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ 

Sunil Chandra Nayak

ଅନ୍ଧବିଶ୍ୱାସର କରାଳ ରୂପ ଡାହାଣୀ ସନ୍ଦେହରେ ମହିଳାଙ୍କୁ ନିର୍ମମ ଆକ୍ରମଣ; ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ଯୋଡ଼ା ପୁଲିସ

Sunil Chandra Nayak

ବିତ୍ତୀୟ ଅନୁଷ୍ଠାନ ରେ ଋଣ ସୁନା ହେରଫେର,ଦୁଇ ନିଲମ୍ବନ,ଯୋଡ଼ାରେ ଚର୍ଚ୍ଚା 

masiha

Leave a Comment

error: Content is protected !!