ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ପର୍ଯ୍ୟଟନ ବିକାଶ ନେଇ ବୈଠକ; ଜିଲ୍ଲାକୁ ‘ଟୁରିଜମ୍ ହବ୍’ ଭାବେ ଗଢ଼ିବା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ ପର୍ଯ୍ୟଟନ ସମ୍ଭାବନାର ପ୍ରଚାର-ପ୍ରସାର ସହ ନିବେଶ ଓ ସହଭାଗିତା ଉପରେ ଗୁରୁତ୍ୱ

ନୂଆପଡ଼ାରେ ପର୍ଯ୍ୟଟନ ବିକାଶ ନେଇ ବୈଠକ; ଜିଲ୍ଲାକୁ ‘ଟୁରିଜମ୍ ହବ୍’ ଭାବେ ଗଢ଼ିବା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

ପର୍ଯ୍ୟଟନ ସମ୍ଭାବନାର ପ୍ରଚାର-ପ୍ରସାର ସହ ନିବେଶ ଓ ସହଭାଗିତା ଉପରେ ଗୁରୁତ୍ୱ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନାକୁ ବ୍ୟାପକ ଭାବେ ବିକଶିତ କରି ଜିଲ୍ଲାକୁ ଏକ ପ୍ରମୁଖ ‘ଟୁରିଜମ୍ ହବ୍’ ଭାବେ ପରିଣତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ହୋଟେଲ ମାଲିକ ଓ ଟ୍ରାଭେଲ ଏଜେନ୍ସିଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ, ନୂଆପଡ଼ାରେ ପ୍ରାକୃତିକ ସୌନ୍ଦର୍ଯ୍ୟ, ଜଙ୍ଗଲ, ଜଳପ୍ରପାତ, ଐତିହ୍ୟ ଓ ସାଂସ୍କୃତିକ ବିବିଧତା ସମେତ ପର୍ଯ୍ୟଟନର ବ୍ୟାପକ ସମ୍ଭାବନା ରହିଛି। ଏହି ସମ୍ଭାବନାକୁ ଏବେ ବ୍ୟବସ୍ଥିତ ଭାବରେ ଲୋକଲୋଚନକୁ ଆଣିବାର ସମୟ ଆସିଛି। ପର୍ଯ୍ୟଟନକୁ ଜିଲ୍ଲାର ଏକ ପ୍ରମୁଖ ଶିଳ୍ପ ଭାବେ ବିକଶିତ କରି ରୋଜଗାର ଓ ସ୍ଥାନୀୟ ଅର୍ଥନୀତିକୁ ଗତି ଦେବା ଦିଗରେ ସମନ୍ୱିତ ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଥିଲେ।ଜିଲ୍ଲାର ପର୍ଯ୍ୟଟନ ବିକାଶରେ ସମସ୍ତଙ୍କ ସହଯୋଗ ଓ ସହଭାଗିତା ଆବଶ୍ୟକ ବୋଲି ଜିଲ୍ଲାପାଳ କହିବା ସହ ହୋଟେଲ ମାଲିକ ଓ ଟ୍ରାଭେଲ ଏଜେନ୍ସିଗୁଡ଼ିକୁ ଏହି ପ୍ରୟାସରେ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ହୋଟେଲ ମାଲିକମାନଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ପାଇଁ ଏକ ସମନ୍ୱିତ ସଂଗଠନ ଗଠନ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ନୂଆପଡ଼ାର ସୁନାବେଡ଼ା ଅଭୟାରଣ୍ୟ, ମନୋରମ ପତୋରା ଜଳଭଣ୍ଡାର, ଗୋଧାସ ଓ ବେନିଆଧସ ଭଳି ଆକର୍ଷଣୀୟ ଜଳପ୍ରପାତ ଏବଂ ବୁଢ଼ୀକୋମନାର ଐତିହାସିକ ପାତାଳେଶ୍ୱର ମନ୍ଦିର ଭଳି ପର୍ଯ୍ୟଟନସ୍ଥଳୀଗୁଡ଼ିକର ବ୍ୟାପକ ପ୍ରଚାର-ପ୍ରସାର ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ପର୍ଯ୍ୟଟନସ୍ଥଳୀ, ରହଣି ବ୍ୟବସ୍ଥା, ଯାତାୟାତ ସୁବିଧା ଓ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟକୁ ଏକ ସ୍ଥାନରେ ଉପଲବ୍ଧ କରାଇବା ପାଇଁ ଜିଲ୍ଲାସ୍ତରରେ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ ୱେବସାଇଟ୍ ବିକଶିତ କରାଯିବ। ଏହା ମାଧ୍ୟମରେ ନୂଆପଡ଼ାର ପର୍ଯ୍ୟଟନ ସମ୍ପର୍କିତ ସୂଚନା ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନର ପର୍ଯ୍ୟଟକଙ୍କ ନିକଟରେ ସହଜରେ ପହଞ୍ଚିପାରିବ।

ବୈଠକରେ ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି, ୨୦୨୬ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ଉପଲବ୍ଧ ପୁଞ୍ଜିନିବେଶ ଅନୁଦାନ (Capital Investment Subsidy) ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ନୂତନ ପର୍ଯ୍ୟଟନ ପ୍ରକଳ୍ପରେ ନିବେଶ ପାଇଁ ଆଗ୍ରହୀ ନିବେଶକମାନେ ସରକାରଙ୍କ Go-SWIFT ପୋର୍ଟାଲ୍ ମାଧ୍ୟମରେ ଆବେଦନ କରି ନୀତି ଅନୁଯାୟୀ ଉପଲବ୍ଧ ସୁବିଧା ଓ ପ୍ରୋତ୍ସାହନର ଲାଭ ନେଇପାରିବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଓଡ଼ିଶାର ୨୦୨୬ ପର୍ଯ୍ୟଟନ ନୀତିରେ ଯୋଗ୍ୟ ପର୍ଯ୍ୟଟନ ୟୁନିଟ୍‌ଗୁଡ଼ିକ ପାଇଁ ପୁଞ୍ଜିନିବେଶ ଅନୁଦାନର ବ୍ୟବସ୍ଥା ରହିଛି। ନୂଆପଡ଼ାର କାରିଗରମାନଙ୍କ ଦକ୍ଷତା ଓ ସୃଜନଶୀଳତାକୁ ପର୍ଯ୍ୟଟନ ସହ ଯୋଡ଼ିବା ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ନୂଆପଡ଼ାର କାରିଗରମାନେ ବିଶ୍ୱସ୍ତରୀୟ ମାନର କଳାକୃତି ସୃଷ୍ଟି କରୁଥିବା ଉଲ୍ଲେଖ କରି ସେମାନଙ୍କ ଉତ୍ପାଦକୁ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚାଇବା ଓ ସ୍ଥାନୀୟ ଅର୍ଥନୀତିକୁ ଏଥିରୁ ଲାଭାନ୍ୱିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିସହ ଜିଲ୍ଲାରେ ଆଗ୍ରି-ଟୁରିଜମ୍ର ବିକାଶ ପାଇଁ ମଧ୍ୟ ସମ୍ଭାବନା ରହିଛି ବୋଲି କୁହାଯାଇଥିଲା।ଜିଲ୍ଲାପାଳ ହୋଟେଲ ମାଲିକମାନଙ୍କୁ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ସୃଷ୍ଟିରେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ପର୍ଯ୍ୟଟନସ୍ଥଳୀର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟ ରକ୍ଷାରେ ହୋଟେଲ ଓ ଟ୍ରାଭେଲ ଏଜେନ୍ସିଗୁଡ଼ିକର ସକ୍ରିୟ ଭୂମିକା ରହିବା ଆବଶ୍ୟକ ବୋଲି ସେ କହିଥିଲେ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମି ସୋରେନ୍, ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ) ସମୀର ସାହୁ, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ୍ ଖାନ୍, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କ୍ଷମାନିଧି ଭୋଇ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରୋଶନ ଜେନା, ଡେପୁଟି ଜ଼ିଲ୍ଲାପାଳ ଶେଖ ନସିମ୍‌ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲାର ହୋଟେଲ ମାଲିକ ଓ ଟ୍ରାଭେଲ ଏଜେନ୍ସି ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Related posts

ଉତ୍କଳ ଗୌବର ମଧୁବାବୁଙ୍କ  ଜୟନ୍ତୀ ତଥା ଓକିଲ ଦିବସ ପାଳିତ

Sunil Chandra Nayak

କମ୍ଯୁନ୍ ର ରାଉରକେଲା ରେ ପଞ୍ଚମ ଓପନ ମାଇକ ସଭିଙ୍କୁ କଲା ମନ୍ତ୍ରମୁଗ୍ଧ

masiha

ପଲମ ଓ ହାତିଖୋଜ୍ ଠାରେ ଛତୁ ଚାଷ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!