ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା–ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ୮ଟି ଜଙ୍ଗଲୀ ହାତୀଙ୍କ ଚଳପ୍ରଚଳ

ଓଡ଼ିଶା–ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ୮ଟି ଜଙ୍ଗଲୀ ହାତୀଙ୍କ ଚଳପ୍ରଚଳ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଓଡ଼ିଶା–ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରେ ୮ଟି ଜଙ୍ଗଲୀ ହାତୀଙ୍କ ଏକ ପଲ ଚଳପ୍ରଚଳ କରୁଥିବାରୁ ସୀମାନ୍ତ ଅଞ୍ଚଳର ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ଏହି ହାତୀପଲରେ ୬ଟି ବୟସ୍କ ମାଈ ହାତୀ ଓ ୨ଟି ଛୁଆ ହାତୀ ରହିଛନ୍ତି।

ସୂଚନା ଅନୁଯାୟୀ, ଏହି ହାତୀପଲ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଆସିଥିବା ବେଳେ ଗତକାଲି ରାୟଗଡ଼ା ବନଖଣ୍ଡ ଅଧୀନ କେରେଡ଼ା ବିଟ୍‌ର ଅନିଜା ରିସର୍ଟ ନିକଟରେ ଦେଖିବାକୁ ମିଳିଥିଲା। ବନ ବିଭାଗର ସୂଚନା ଅନୁସାରେ, ଗତରାତିରେ ହାତୀପଲଟି ଆନ୍ଧ୍ରପ୍ରଦେଶର ଆମ୍ପାଲାଭାଲସା ଗ୍ରାମ ଦିଗକୁ ଗତି କରିଥିଲା।

ତେବେ ସୋମବାର ହାତୀପଲଟି କେରେଡ଼ା ବିଟ୍‌ ଅଧୀନ ମିଟି କେରେଡ଼ା ଗ୍ରାମ ନିକଟରେ ରହିଥିବା ଜଣାପଡ଼ିଥିଲା। ସନ୍ଧ୍ୟା ସମୟରେ ହାତୀପଲଟି କେରେଡ଼ା ବନ ବିଟ୍‌ ଅଞ୍ଚଳର କୁସା ଓ ସୁଲଭା ଗ୍ରାମ ନିକଟରେ ଚଳପ୍ରଚଳ କରୁଥିବା ଖବର ମିଳିଛି।ହାତୀପଲର ଚଳପ୍ରଚଳକୁ ଦୃଷ୍ଟିରେ ରଖି ବନ ବିଭାଗ, ବିଦ୍ୟୁତ ବିଭାଗ ଓ ରେଳ ବିଭାଗ ପରସ୍ପର ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖି ହାତୀଙ୍କ ସୁରକ୍ଷିତ ଗତିବିଧି ଏବଂ କୌଣସି ଅଘଟଣ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଅନିଜା, ବୋରାହାଲୁଆ, ଆମ୍ପାଲାଭାଲସା, କେରେଡ଼ା ଓ ମିଟି କେରେଡ଼ା ଗ୍ରାମବାସୀଙ୍କୁ ସତର୍କ ରହିବା ସହ ହାତୀଙ୍କ ନିକଟକୁ ନଯିବା ଏବଂ ସେମାନଙ୍କୁ ଉତ୍ତେଜିତ କିମ୍ବା ବିଚଳିତ ନକରିବାକୁ ସତର୍କ କରାଯାଇଛି।ବନ ବିଭାଗର ଗଜସାଥୀ କର୍ମଚାରୀ ଓ ପାରା ଫରେଷ୍ଟ ଷ୍ଟାଫ୍‌ଙ୍କ ସମେତ ବନ କର୍ମଚାରୀମାନେ ଓଡ଼ିଶା–ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରେ ହାତୀପଲର ଗତିବିଧି ଉପରେ ନିରନ୍ତର ନଜର ରଖିବା ସହ ସେମାନଙ୍କ ସୁରକ୍ଷିତ ଗତିପଥ ପାଇଁ ଆବଶ୍ୟକ ବ୍ୟବସ୍ଥା କରୁଛନ୍ତି।

ରାୟଗଡ଼ା ବନାଞ୍ଚଳ ଅଧିକାରୀ ଅନିଲ କୁମାର ପାଣିଗ୍ରାହୀ ସମଗ୍ର ପରିସ୍ଥିତି ଉପରେ ବ୍ୟକ୍ତିଗତ ଭାବେ ନଜର ରଖିବା ସହ କ୍ଷେତ୍ରସ୍ତରୀୟ ବ୍ୟବସ୍ଥାର ସମନ୍ୱୟ କରୁଛନ୍ତି।

କେରେଡ଼ା ବିଟ୍‌ର ଫରେଷ୍ଟର ଗୌରୀ ଶଙ୍କର ସାହୁ, ଫରେଷ୍ଟ ଗାର୍ଡ ସିବ ପ୍ରସାଦ ମାଝୀ ଏବଂ ପାରା ଫରେଷ୍ଟ ଷ୍ଟାଫ୍‌ ଲକ୍ଷ୍ମଣ ସାମଲ, ବଳରାମ ସ୍ୱାଇଁ, ସୂର୍ଯ୍ୟ ନାରାୟଣ ମିନିଆକା ଓ ପ୍ରସାଦ ପିରିଡ଼ି ହାତୀପଲର ଗତିବିଧି ଉପରେ ସକ୍ରିୟ ଭାବେ ନଜର ରଖିବା ସହ ହାତୀଙ୍କ ସୁରକ୍ଷିତ ଗତିବିଧି ପାଇଁ ସମନ୍ୱୟ ରକ୍ଷା କରୁଛନ୍ତି।

ବନ ବିଭାଗ ପକ୍ଷରୁ ପ୍ରଭାବିତ ଗ୍ରାମବାସୀଙ୍କୁ ସତର୍କ ଓ ସଚେତନ ରହିବା, ହାତୀଙ୍କ ନିକଟକୁ ନଯିବା ଏବଂ ଗ୍ରାମ ନିକଟରେ କିମ୍ବା ଗ୍ରାମ ଭିତରେ ହାତୀପଲ ଦେଖାଗଲେ ତୁରନ୍ତ ବନ ବିଭାଗ କର୍ମଚାରୀଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗୁହାଳ ଘରେ ନିଆଁ ଲାଗି ଦଶରୁ ଉର୍ଦ୍ଧ ଛେଳି ଜୀବନ୍ତ ଦଗ୍ଧ, ଦୁଇ ଆହତ 

masiha

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜୀବିକା ପାଇଁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ତାଲିମ ଓ କର୍ମଶାଳା

Sunil Chandra Nayak

ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!