ରାଇଘର ବ୍ଲକରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ନବରଙ୍ଗପୁର:( ତା. ୨୪.୦୮.୨୦୨୬)(ରବି ନାରାୟଣ ମହାନ୍ତି)ଆଜି ରାଇଘର ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଏବଂ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ଶବରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ବି ଡି ଓ ରିତୁ ସିଂ,ତହସିଲଦାର ମନ ମୋହନ ସାହୁ ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ।ଆଜିର ଜନ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୩୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୯ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୭ଟି ସାମୂହିକ ଅଭିଯୋଗ ରହିଥିଲା।
ଭାରୀରୁ ଅତିଭାରୀ ବର୍ଷା ଓ ବଜ୍ରପାତ ଆଶଙ୍କା: ୨୪ ଅଗଷ୍ଟରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ବନ୍ଦ
ନବରଙ୍ଗପୁର:( ତା. ୨୩.୦୮.୨୦୨୬)(ରବି ନାରାୟଣ ମହାନ୍ତି)ଭାରତୀୟ ପାଣିପାଗ ବିଭାଗ (IMD), ଭୁବନେଶ୍ୱର ପକ୍ଷରୁ ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ୨୪ ଅଗଷ୍ଟ ୨୦୨୬ ତାରିଖରେ ଭାରୀରୁ ଅତିଭାରୀ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ନେଇ ପୂର୍ବାନୁମାନ ଜାରି କରାଯାଇଛି। ଏଥିସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଜାରି ରହିଥିବାରୁ ରାସ୍ତାଘାଟରେ ଜଳଜମା, ଯାତାୟାତରେ ବାଧା ଏବଂ ଛାତ୍ରଛାତ୍ରୀଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି ହେବାର ସମ୍ଭାବନା ରହିଛି l ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ନିମନ୍ତେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସମସ୍ତ ସରକାରୀ ବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ଘରୋଇ ବିଦ୍ୟାଳୟଗୁଡ଼ିକୁ ୨୪.୦୮.୨୦୨୬ ତାରିଖରେ ବନ୍ଦ ରଖିବାକୁ ଜିଲ୍ଲାପାଳ, ନବରଙ୍ଗପୁରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।ଏହି ନିଷ୍ପତ୍ତି ଅନୁସାରେ ଉକ୍ତ ଦିନ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟଗୁଡ଼ିକରେ ଶିଶୁ ଓ ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ା ଓ ଅନ୍ୟାନ୍ୟ ଶିକ୍ଷାକାର୍ଯ୍ୟ ବନ୍ଦ ରହିବ। ତେବେ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଙ୍ଗନବାଡ଼ି କର୍ମୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ନିଜ ନିଜ ଅନୁଷ୍ଠାନରେ ସାଧାରଣ ଭାବେ ଉପସ୍ଥିତ ରହିବେ।ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ, ଶିକ୍ଷକ- ଶିକ୍ଷୟିତ୍ରୀ, ଅଙ୍ଗନବାଡ଼ି କର୍ମୀ ଓ ସମ୍ପୃକ୍ତ କର୍ମଚାରୀମାନଙ୍କୁ ନିଜ ନିଜ ଅନୁଷ୍ଠାନର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ସହିତ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାମା ପାଳନ କରିବାକୁ କୁହାଯାଇଛି।ଏହି ସମୟରେ ଅଭିଭାବକମାନେ ନିଜ ନିଜ ଶିଶୁ ଓ ଛାତ୍ରଛାତ୍ରୀ ଙ୍କୁ ଅନାବଶ୍ୟକ ଭାବେ ଘରୁ ବାହାରକୁ ନପଠାଇବାକୁ ଏବଂ ପାଣିପାଗର ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ବର୍ଷା ସମୟରେ ଜଳଭର୍ତ୍ତି ରାସ୍ତା, ନାଳ, ନଦୀ ଓ ଅନ୍ୟାନ୍ୟ ବିପଦସଙ୍କୁଳ ସ୍ଥାନ ଦେଇ ଯାତାୟାତ ନକରିବାକୁ ମଧ୍ୟ ସତର୍କ କରାଯାଇଛି।ବିଶେଷକରି ବଜ୍ରପାତ ସମୟରେ ଖୋଲା ପଡ଼ିଆ, ଗଛ ତଳେ, ଜଳାଶୟ ନିକଟରେ କିମ୍ବା ଅନ୍ୟାନ୍ୟ ଅସୁରକ୍ଷିତ ସ୍ଥାନରେ ନରହି ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।
ନବରଂଗପୁର ଠାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୬ ପାଇଁ ପ୍ରସ୍ତୁତି
ନବରଙ୍ଗପୁର:( ୨୨.୮.୨୦୨୬)(ରବି ନାରାୟଣମହାନ୍ତି)ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶ କ୍ରମେ ଆସନ୍ତା ସେପ୍ଟେମ୍ବର ୧୨ ତାରିଖ ଶନିବାର ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୬ ଅନୁଷ୍ଠୀତ ହେବାକୁ ଯାଉଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଆଦେଶ କ୍ରମେ ନବରଙ୍ଗପୁର, କୋଡିଙ୍ଗା, ଉମରକୋଟ, ରାଇଘର, ଚନ୍ଦହାଣ୍ଡି ଓ ଝରିଗାଁ ରେ ଥିବା ବିଚାରାଳୟ ଗୁଡିକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୬ ଅନୁଷ୍ଟିତ ହେବାକୁ ଯାଉଛି । ଏହି ରାଷ୍ଟ୍ରୀୟ ଲୋକ ସମ୍ପର୍କ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରଧୀନ ମକଦ୍ଧମା ଯଥା-ଦେୱାନୀ, ଫୌଜଦାରୀ (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟ।ଙ୍କ ଋଣ, ବିଦୁତ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନ୍ସ, ଇତ୍ୟାଦି ମକଦ୍ଧମାର ଅପୋକ୍ଷ ସହମତିରେ ସହଜ,ସରଳ ଓ ଚୁଡାନ୍ତ ସମାଧାନ ହୋଇଥାଏ । ଏହି ଲୋକ ଅଦାଲତରେ କେବଳ ବିଚାରଧୀନ ମକଦ୍ଧମା ନୁହେଁ, ବରଂ ପ୍ରାକ- ମକଦ୍ଧମା ସ୍ତରୀୟ (ମକଦ୍ଧମାକୁ ଯିବା ପୂର୍ବରୁ) ବିବାଦ ଯଥା- ବ୍ୟ।ଙ୍କ ଋଣ ଦେୟ, ବିଜୁଳି/ ଜଳଯୋଗାଣ ଦେୟ, ଚେକ ବାଉନ୍ସ ସମ୍ବଦ୍ଧିୟ ବିବାଦ, ଶ୍ରମବିବାଦ ଇତ୍ୟାଦିର ଅପୋକ୍ଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ । ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର, ତାଲୁକ ଆଇନ ସେବା କମିଟି, ଉମରକୋଟ, ଚନ୍ଦହାଣ୍ଡି ଓ ଝରିଗାଁ ସହ ତୁରନ୍ତ ଯୋଗାଯୋଗ କରନ୍ତୁବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିସ୍ପା ଗୋଛାୟତ ସୂଚନା ଦେଇଛନ୍ତି। ଯୋଗାଯୋଗ ନମ୍ବର. ୧୫୧୦୦/ ୭୬୫୬୮୯୦୮୬୬/ ୦୬୮୫୮-୨୨୨୪୪୫/ ୦୬୮୫୮-୨୨୨୫୪୫.
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

