ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାକ୍ଷୀ ପର୍ବ ପୂର୍ବରୁ ଜୁନାଗଡ଼ ରେ ଚଢ଼ାଉ: ୩୫ କେଜି ବାସି ଖାଦ୍ୟ ନଷ୍ଟ, ୨୦୦ କେଜି ପଲିଥିନ୍ ଜବତ

ରାକ୍ଷୀ ପର୍ବ ପୂର୍ବରୁ ଜୁନାଗଡ଼ ରେ ଚଢ଼ାଉ: ୩୫ କେଜି ବାସି ଖାଦ୍ୟ ନଷ୍ଟ, ୨୦୦ କେଜି ପଲିଥିନ୍ ଜବତ

ଜୁନାଗଡ଼ : ଆଗାମୀ ରାକ୍ଷୀ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନଏସି ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିଭାଗ, ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକ ବଡ଼ଧରଣର ମିଳିତ ଚଢ଼ାଉ କରାଯାଇଛି। ପର୍ବପର୍ବାଣୀ ସମୟରେ ମିଠା ଓ ପନିର ଭଳି ସାମଗ୍ରୀର ଚାହିଦା ବଢୁଥିବାରୁ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସଚେତନତା ପାଇଁ ଏହି ବିଶେଷ ଅଭିଯାନ ହୋଇଥିଲା।ଏହି ଅଭିଯାନରେ ସହରର ପ୍ରାୟ ୨୪ଟି ଖାଦ୍ୟ ପ୍ରତିଷ୍ଠାନ ଓ ମିଠା ଦୋକାନରେ ଖୋଳତାଡ଼ କରାଯାଇଥିଲା। ଯାଞ୍ଚ ସମୟରେ ବିଭିନ୍ନ ଦୋକାନରୁ ପ୍ରାୟ ୩୫ କିଲୋଗ୍ରାମ ବାସି ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ କୃତ୍ରିମ ରଙ୍ଗ ମିଶ୍ରିତ ଖାଦ୍ୟ ସାମଗ୍ରୀ ଚିହ୍ନଟ ହୋଇଥିଲା। ଏହି ସବୁ ସାମଗ୍ରୀ ବ୍ୟବହାର ଅନୁପଯୁକ୍ତ ହୋଇଥିବାରୁ ଟିମ୍ ପକ୍ଷରୁ ତାହାକୁ ତୁରନ୍ତ ଘଟଣାସ୍ଥଳରେ ନଷ୍ଟ କରିଦିଆଯାଇଛି। ସେହିପରି ଖାଦ୍ୟ ନିରାପତ୍ତା ନିୟମ ଉଲ୍ଲଂଘନ କରିଥିବା ବ୍ୟବସାୟୀଙ୍କ ଠାରୁ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଧାରା ୬୯ ଅନୁଯାୟୀ ମୋଟ ୯,୩୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ପନିରରେ ମିଶ୍ରଣ ହେଉଥିବା ଷ୍ଟାର୍ଚ୍ଚ (ଭେଜାଲ) ଚିହ୍ନଟ ପାଇଁ ୭ଟି ପ୍ରତିଷ୍ଠାନରୁ ପନିର ସଂଗ୍ରହ କରାଯାଇ ‘ରାପିଡ୍ ଆୟୋଡିନ୍ ପରୀକ୍ଷା’ କରାଯାଇଥିଲା। ତେବେ ସମସ୍ତ ୭ଟି ଯାକ ନମୁନା ନେଗେଟିଭ୍ ଆସିଥିଲା, ଅର୍ଥାତ୍ ସେଥିରେ ଷ୍ଟାର୍ଚ୍ଚ ମିଳିନଥିଲା। ଏହା ସହିତ ଅଧିକ ବିସ୍ତୃତ ଯାଞ୍ଚ ପାଇଁ ମିଠା ଓ ପନିର ସମେତ ଆଉ ୮ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ଲ୍ୟାବ୍‌କୁ ପଠାଯାଇଛି। ଖାଦ୍ୟ ସହିତ ପରିବେଶ ଓ ସ୍ୱଚ୍ଛତା ଉପରେ ମଧ୍ୟ ପ୍ରଶାସନ ନଜର ରଖିଥିଲା। ଜୁନାଗଡ଼ ଏନଏସି ଟିମ୍ ପକ୍ଷରୁ ବିଭିନ୍ନ ଦୋକାନରୁ ପ୍ରାୟ ୨୦୦ କିଲୋଗ୍ରାମ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ୍ ଏବଂ ବ୍ୟାନ୍ ହୋଇଥିବା ପଲିଥିନ୍ ଜବତ କରାଯାଇଛି। ନିୟମ ଭାଙ୍ଗି ଏହାକୁ ବ୍ୟବହାର କରୁଥିବା ୧୨ ଜଣ ବ୍ୟବସାୟୀଙ୍କ ଠାରୁ ୫,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ସ୍ପେଶାଲ ଡ୍ରାଇଭ୍‌ରେ କଳାହାଣ୍ଡି ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ବିଶ୍ୱଜିତ ନାଏକ, ଜୁନାଗଡ଼ ଏନଏସିର ସାନିଟେସନ୍ ଏକ୍ସପର୍ଟ ବାଳକୃଷ୍ଣ ବଞ୍ଜାରା, ଖାଦ୍ୟ ନିରାପତ୍ତା ସହାୟକ ରାଜୀବ ଲୋଚନ ରଣା, ଜୁନାଗଡ଼ ଥାନାର ଏସ୍‌ଆଇ ତପନ କୁମାର କାଲୋଙ୍କ ସମେତ ପୋଲିସ ଓ ଖାଦ୍ୟ ନିରାପତ୍ତା ବିଭାଗର କର୍ମଚାରୀମାନେ ସାମିଲ ଥିଲେ। ପର୍ବପର୍ବାଣୀ ସମୟରେ ଗ୍ରାହକମାନେ ଯେପରି ଶୁଦ୍ଧ ଓ ନିରାପଦ ଖାଦ୍ୟ ପାଇପାରିବେ, ସେଥିପାଇଁ ବ୍ୟବସାୟୀମାନଙ୍କୁ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି ଖାଦ୍ୟ ନିରାପତ୍ତା ଅଧିକାରୀ ଶ୍ରୀ ନାଏକ ସୂଚନା ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବାଲ୍ୟ ବିବାହ ରୋକିଲେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ପୋଲିସ

Sunil Chandra Nayak

ଅବକାରୀ ଚଢାଉ: ୧୦୫ ଲିଟର ମଦ ଜବତ , ୪ ଗିରଫ୍

masiha

ନୂଆପଡା ଜିଲ୍ଲା ପୋଲିସ କୁ ବଡ଼ ସଫଳତା, ସ୍ୱର୍ଣ୍ଣ ଲକ୍ଷ୍ମୀ ସୁନା ଗହଣା ଦୋକାନ ଚୋରି ଘଟଣାର ୨୪ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ, ତିନି ଅଭିଯୁକ୍ତ ଗିରଫ ୭ ଲକ୍ଷ ରୁ ଉର୍ଦ୍ଧ ପାଞ୍ଚ ଗୋଟି ସୁନା ଚେନ ଉଦ୍ଧାର

Leave a Comment

error: Content is protected !!