ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଜିଲ୍ଲାର ୭ ବନାଞ୍ଚଳରେ ସ୍ଥାୟୀ ରେଞ୍ଜର ନାହାନ୍ତି ଅତିରିକ୍ତ ଦାୟିତ୍ୱରେ ଚାଲିଛି ବନାଞ୍ଚଳ ପରିଚାଳନା, ବନ ସୁରକ୍ଷା ନେଇ ବଢୁଛି ଚିନ୍ତା

ରାୟଗଡ଼ା ଜିଲ୍ଲାର ୭ ବନାଞ୍ଚଳରେ ସ୍ଥାୟୀ ରେଞ୍ଜର ନାହାନ୍ତି

ଅତିରିକ୍ତ ଦାୟିତ୍ୱରେ ଚାଲିଛି ବନାଞ୍ଚଳ ପରିଚାଳନା, ବନ ସୁରକ୍ଷା ନେଇ ବଢୁଛି ଚିନ୍ତା

 ରାୟଗଡ଼ା ଜିଲ୍ଲାରେ ବନ ସୁରକ୍ଷା ଓ ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଜିଲ୍ଲାର ବିଭିନ୍ନ ରେଞ୍ଜରେ ଦୀର୍ଘଦିନ ଧରି ସ୍ଥାୟୀ ବନାଞ୍ଚଳ ଅଧିକାରୀ (ରେଞ୍ଜର) ନଥିବାରୁ ଅନେକ ରେଞ୍ଜ ଅତିରିକ୍ତ ଦାୟିତ୍ୱରେ ଚାଲିଥିବା ଜଣାପଡ଼ିଛି। ଫଳରେ ବନ ସୁରକ୍ଷା, ଅବୈଧ କାଠ ଚାଲାଣ ରୋକିବା, ବନ୍ୟଜନ୍ତୁ ସୁରକ୍ଷା ଓ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ନେଇ ସାଧାରଣରେ ଚିନ୍ତା ବଢ଼ିଛି।

ସୂଚନା ଅନୁସାରେ, କାଶୀପୁର ବନାଞ୍ଚଳ ଅଧିକାରୀଙ୍କୁ କଲ୍ୟାଣସିଂହପୁର ରେଞ୍ଜର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ଟିକିରି ବନାଞ୍ଚଳ ଅଧିକାରୀ ରାୟଗଡ଼ା ରେଞ୍ଜର ଅତିରିକ୍ତ ଦାୟିତ୍ୱରେ ଥିବାବେଳେ, ଗୁଣୁପୁର ବନାଞ୍ଚଳ ଅଧିକାରୀ ଗୁଡାରି ରେଞ୍ଜର ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି। ଏଭଳି ଭାବେ ଜଣେ ଅଧିକାରୀଙ୍କ ଉପରେ ଦୁଇଟି ରେଞ୍ଜର ଦାୟିତ୍ୱ ରହିବାରୁ ନିଜ ରେଞ୍ଜ ସହ ଅତିରିକ୍ତ ରେଞ୍ଜର କାର୍ଯ୍ୟକୁ ସମାନ ଭାବରେ ତଦାରଖ କରିବା କଷ୍ଟକର ହେଉଥିବା ଚର୍ଚ୍ଚା ହେଉଛି।

ବିଶେଷକରି କଲ୍ୟାଣସିଂହପୁର ରେଞ୍ଜରେ ସ୍ଥାୟୀ ରେଞ୍ଜର ନଥିବା ପରିସ୍ଥିତିକୁ ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ୧୭ ତାରିଖରେ ଏକ ଦୁର୍ଘଟଣାରେ କଲ୍ୟାଣସିଂହପୁର ବନାଞ୍ଚଳ ଅଧିକାରୀ ସ୍ୱର୍ଗତ ଚନ୍ଦନ କୁମାର ଗୋମାଙ୍ଗଙ୍କ ଦେହାନ୍ତ ପରେ କାଶୀପୁର ରେଞ୍ଜରଙ୍କୁ କଲ୍ୟାଣସିଂହପୁରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଏହି ପଦବୀରେ ସ୍ଥାୟୀ ନିଯୁକ୍ତି ହୋଇନଥିବା ଅଭିଯୋଗ ହେଉଛି।

ଜଣେ ଅଧିକାରୀଙ୍କୁ ନିଜ ରେଞ୍ଜର ସମସ୍ତ ପ୍ରଶାସନିକ ଓ କ୍ଷେତ୍ରସ୍ତରୀୟ କାର୍ଯ୍ୟ ସମ୍ଭାଳିବା ସହ ଅନ୍ୟ ଏକ ରେଞ୍ଜର ଅତିରିକ୍ତ ଦାୟିତ୍ୱ ଦିଆଯିବା ଫଳରେ ଉଭୟ ଅଞ୍ଚଳରେ ନିୟମିତ ତଦାରଖ କରିବାରେ ସମସ୍ୟା ସୃଷ୍ଟି ହେବା ସ୍ୱାଭାବିକ। ଅଧିକାରୀମାନେ ଦୁଇଟି ରେଞ୍ଜ ମଧ୍ୟରେ ସମୟ ବାଣ୍ଟିବାକୁ ବାଧ୍ୟ ହେଉଥିବାରୁ ଦୂରଦୂରାନ୍ତ ଜଙ୍ଗଲ ଅଞ୍ଚଳରେ ନିୟମିତ ଗସ୍ତ, ବନ ସୁରକ୍ଷା କାର୍ଯ୍ୟ ଓ ବନ୍ୟଜନ୍ତୁ ଉପରେ ନଜରଦାରୀ ପ୍ରଭାବିତ ହେବାର ଆଶଙ୍କା ରହିଛି।

ଅନ୍ୟପଟେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀପଲଙ୍କ ଚଳପ୍ରଚଳ ଜାରି ରହିଛି। ହାତୀଙ୍କ ଗତିବିଧି ଉପରେ ନଜର ରଖିବା, ହାତୀ-ମଣିଷ ସଂଘର୍ଷ ରୋକିବା ଓ ଆବଶ୍ୟକ ସମୟରେ ଲୋକଙ୍କୁ ସତର୍କ କରିବା ପାଇଁ ନିୟମିତ କ୍ଷେତ୍ର ତଦାରଖ ଆବଶ୍ୟକ। ସେହିପରି ଜଙ୍ଗଲରୁ ଅବୈଧ ଭାବେ କାଠ କାଟିବା ଓ ଚୋରାଚାଲାଣ ରୋକିବା ପାଇଁ ମଧ୍ୟ ଦୃଢ଼ ନଜରଦାରୀ ଜରୁରୀ।

ସ୍ଥାନୀୟ ବୁଦ୍ଧିଜୀବୀ ଓ ପରିବେଶପ୍ରେମୀଙ୍କ ମତରେ, ରେଞ୍ଜର ପଦବୀ ଦୀର୍ଘ ସମୟ ଧରି ଖାଲି ରହିବା ଏବଂ ଅତିରିକ୍ତ ଦାୟିତ୍ୱରେ ରେଞ୍ଜ ପରିଚାଳନା ହେବା ଦ୍ୱାରା କ୍ଷେତ୍ରସ୍ତରୀୟ ନିରୀକ୍ଷଣ ବ୍ୟବସ୍ଥା ଦୁର୍ବଳ ହୋଇପାରେ। ଏହାର ସୁଯୋଗ ନେଇ କାଠ ମାଫିଆ ସକ୍ରିୟ ହେବାର ଆଶଙ୍କା ମଧ୍ୟ ରହିଛି। ତେବେ ଅବୈଧ କାଠ ଚୋରାଚାଲାଣ ସମ୍ପର୍କିତ ଅଭିଯୋଗ ଉପରେ ବନ ବିଭାଗ ପକ୍ଷରୁ ନିୟମିତ ତଦାରଖ ଓ କାର୍ଯ୍ୟାନୁଷ୍ଠାନ ଜାରି ରହିବା ଆବଶ୍ୟକ।

ଏଭଳି ସ୍ଥିତିରେ ଜିଲ୍ଲାର ସମସ୍ତ ରେଞ୍ଜରେ ସ୍ଥାୟୀ ବନାଞ୍ଚଳ ଅଧିକାରୀ ନିଯୁକ୍ତ କରିବାକୁ ସାଧାରଣରେ ଦାବି ଜୋର ଧରିଛି। ରେଞ୍ଜଗୁଡ଼ିକରେ ସ୍ଥାୟୀ ଅଧିକାରୀ ରହିଲେ ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁ ସୁରକ୍ଷା, ଅବୈଧ କାଠ ଚାଲାଣ ଉପରେ ନଜରଦାରୀ ସହ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ହୋଇପାରିବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।

ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ଶୀଘ୍ର ଖାଲି ଥିବା ରେଞ୍ଜର ପଦବୀଗୁଡ଼ିକ ପୂରଣ କରିବା ସହ ବନ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଦାବି ହେଉଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

‘ମୋନ୍ଥା’ ପ୍ରଭାବ ରେ ଓଷାଦେବୀ ହାଇସ୍କୁଲରଛାତ୍ରୀନିବାସ ପାଚେରୀ ଭାଙ୍ଗିଲା 

Sunil Chandra Nayak

ବିବେକ ଜଳ ତରଫରୁ ଜଳଛତ୍ର ଉଦଘାଟିତ

Sunil Chandra Nayak

ଜୈବିକ ପ୍ରଣାଳୀରେ କୃଷି କାର୍ଯ୍ଯ କରିବା ପାଇଁ କୃଷକ ମାନଙ୍କୁ ନେଇ ବୈଠକ ଅନୁଷ୍ଟିତ

Sunil Chandra Nayak

Leave a Comment

error: Content is protected !!