ଜହ୍ନ ରାତି
ସେଦିନର ଜହ୍ନ ରାତି ଭରିଥିଲା
ମୋଦେହରେ ପ୍ରୀତି ତାତି
କୁଆଁର ପୁନେଇଁ ଓଷା କରି ତୁମେ
ଖୋଜୁଥିଲ ପ୍ରିୟ ସାଥୀ ।1।
ଶତ ଶିହରଣ ହୃଦୟେ କମ୍ପନ
ଦେଖି ତୁମ ଗୋରା ତନୁ
ତୁମ ଚାହାଣୀର ଅକୁହା କଥାକୁ
ଏଯାଏଁ ଭୁଲିନି ମନୁ ।2।
ହସରେ ତୁମର ଥିଲାକି କୁହୁକ
ମୋମନକୁ ନେଲ କିଣି
ତୁମରି ପ୍ରେମରେ ବନ୍ଦୀ ଯାଯାବର
ଆପେ ଧରାଦେଲା ଜାଣି ।3।
ଆକାଶରେ ଥିଲା ପୂର୍ଣ୍ଣମାସୀ ଜହ୍ନ
ହସୁଥିଲା ଜହ୍ନ ରାତି
ଚାରିଆଖି ଆମ ଏକ ହୋଇଗଲା
ମନେ ଭରି ଚୋରା ପ୍ରୀତି ।4।
ହଳଦୀ ରଙ୍ଗର ପାଟ ଶାଢ଼ୀ ବେଶ
ହୃଦୟେ ତୋଳିଲା ଘର
ଗୋଲାପୀ ଅଧରେ ହସର ଜୁଆର
ତୁମକୁ କଲା ନିଜର ।5।
ରାତିର ସପନେ ଆସୁଛ ଗୋପନେ
ରୂପସୀ ପ୍ରେୟସୀ ମୋର
ନିଦ ଭାଙ୍ଗିଗଲେ ଖୋଜୁଛି ତୁମକୁ
ଆସ ପ୍ରିୟତ୍ତମା ମୋର ।6।
ଏହି ଜହ୍ନ ରାତି ଆମ ମିଳନର
ଅଭୁଲା ଅତୀତ ସ୍ମୃତି
ଜହ୍ନକୁ ଦେଖିଲେ ଆକାଶ ଛାତିରେ
ମନେପଡେ ତୁମ ପ୍ରୀତି ।7।
କବିର କବିତା ପ୍ରିୟା ପ୍ରୀତି କଥା
ସବୁ ସାକ୍ଷୀ ଜହ୍ନ ରାତି
ପ୍ରୀତି ମନ୍ଦାକିନୀ ପ୍ରେୟସୀ ମାନିନୀ
ପ୍ରୀତିମୟ ହେଉ ରାତି ।8।
ଏହି ଜହ୍ନ ରାତି ଆମ ପ୍ରେମ ପାଇଁ
ଆଣିଦେଉ ହସଖୁସି
ପ୍ରୀତି ମଲ୍ଳାରକୁ ଆମ ସ୍ମୃତି ପାଇଁ
ଗାଇ ଶୁଣାଇବ ବସି ।9।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ ,ଯାଜପୁର