ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଗିକ କୃଷିରୁ ନିଶାମୁକ୍ତ ସମାଜ ଗଠନର ଆହ୍ୱାନ ଗୁଣୁପୁର ଓ ଗୁମୁଡ଼ାରେ ସଚେତନତା କାର୍ଯ୍ୟକ୍ରମ; ଯୁବପିଢ଼ିଙ୍କୁ ଦକ୍ଷତା ବିକାଶ ଓ ଶୃଙ୍ଖଳିତ ଜୀବନର ବାର୍ତ୍ତା

ଯୋଗିକ କୃଷିରୁ ନିଶାମୁକ୍ତ ସମାଜ ଗଠନର ଆହ୍ୱାନ

ଗୁଣୁପୁର ଓ ଗୁମୁଡ଼ାରେ ସଚେତନତା କାର୍ଯ୍ୟକ୍ରମ; ଯୁବପିଢ଼ିଙ୍କୁ ଦକ୍ଷତା ବିକାଶ ଓ ଶୃଙ୍ଖଳିତ ଜୀବନର ବାର୍ତ୍ତା

ଗୁଣୁପୁର, ୧୦/୯: ଯୋଗିକ କୃଷି, ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ ଓ ନିଶାମୁକ୍ତ ସମାଜ ଗଠନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଗୁଣୁପୁର ଓ ଗୁମୁଡ଼ାରେ ଦୁଇଟି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସୁସ୍ଥ ଜୀବନଶୈଳୀ ସହ ସକାରାତ୍ମକ ଚିନ୍ତାଧାରା ଓ ନୈତିକ ମୂଲ୍ୟବୋଧ ବିକାଶ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି।

କୃଷି ବିଜ୍ଞାନ କେନ୍ଦ୍ର, ଗୁଣୁପୁରଠାରେ ସ୍ଥାୟୀ ଯୋଗିକ କୃଷି ଉପରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ମାଉଣ୍ଟ ଆବୁର ରାଜଯୋଗୀ ବି.କେ. ବୀରେନ୍ଦ୍ର ଭାଇ ଅତିଥି ବକ୍ତା ଭାବେ ଯୋଗଦେଇଥିଲେ। ମାଉଣ୍ଟ ଆବୁର ରାଜଯୋଗୀ ବି.କେ. ସୁନ୍ଦରଲାଲ ଭାଇ ମଧ୍ୟ ଉପସ୍ଥିତ ରହି କୃଷି ଓ ଆଧ୍ୟାତ୍ମିକ ଜୀବନର ସମନ୍ୱୟ ଉପରେ ଆଲୋକପାତ କରିଥିଲେ।

ବକ୍ତାମାନେ କହିଥିଲେ, କୃଷିରେ ବୈଜ୍ଞାନିକ ପଦ୍ଧତି ସହ ଯୋଗ, ଧ୍ୟାନ ଓ ଆଧ୍ୟାତ୍ମିକ ମୂଲ୍ୟବୋଧର ସମନ୍ୱୟ କୃଷକଙ୍କ ଜୀବନକୁ ଅଧିକ ସୁସ୍ଥ ଓ ସନ୍ତୁଳିତ କରିପାରିବ। ସ୍ଥାୟୀ ଓ ପରିବେଶ ଅନୁକୂଳ କୃଷି ପଦ୍ଧତି ଆପଣାଇବା ସହ ସକାରାତ୍ମକ ମାନସିକତା ଓ ଶୃଙ୍ଖଳିତ ଜୀବନଧାରା ଆପଣାଇବାକୁ ସେମାନେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଆର୍‌ଟିଡି ପ୍ରିନ୍ସିପାଲ ବି.କେ. ସୁରେନ୍ଦ୍ର ମହାନ୍ତି, ବି.କେ. ଗୁଣୟା ଓ ବି.କେ. ଜ୍ୟୋତି ଉପସ୍ଥିତ ଥିଲେ। ବରିଷ୍ଠ ବୈଜ୍ଞାନିକ ଡ. ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ନିଶାଠାରୁ ଦୂରେ ରୁହ, ଦକ୍ଷତା ବିକାଶ କର

ଗୁମୁଡ଼ାସ୍ଥିତ ସରକାରୀ ଦ୍ରୌପଦୀ ବିଦ୍ୟାପୀଠରେ ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ ଓ ନିଶାମୁକ୍ତ ଜୀବନ ଉପରେ ଅନ୍ୟ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।

ଏଥିରେ ମାଉଣ୍ଟ ଆବୁର ରାଜଯୋଗୀ ବି.କେ. ବୀରେନ୍ଦ୍ର ଭାଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଶିକ୍ଷା ସହ ନିଯୁକ୍ତିଯୋଗ୍ୟ ଦକ୍ଷତା, ଆତ୍ମଶୃଙ୍ଖଳା ଓ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ବୁଝାଇଥିଲେ। ନିଶା ଓ ଅନ୍ୟାନ୍ୟ କ୍ଷତିକାରକ ଅଭ୍ୟାସ ଯୁବପିଢ଼ିର ଭବିଷ୍ୟତକୁ ବିପଥଗାମୀ କରିପାରେ ବୋଲି ସତର୍କ କରିବା ସହ ଏଥିରୁ ଦୂରେ ରହିବାକୁ ସେ ଆହ୍ୱାନ ଦେଇଥିଲେ।

ସମୟର ସଦୁପଯୋଗ, ଆତ୍ମବିଶ୍ୱାସ ବୃଦ୍ଧି ଓ ଦକ୍ଷତା ହାସଲ ମାଧ୍ୟମରେ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢ଼ିବା ସହ ସୁସ୍ଥ ଓ ଦାୟିତ୍ୱବାନ ସମାଜ ଗଠନରେ ଭୂମିକା ନେବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଆର୍‌ଟିଡି ପ୍ରିନ୍ସିପାଲ ବି.କେ. ସୁରେନ୍ଦ୍ର ମହାନ୍ତି, ବି.କେ. ଜ୍ୟୋତି ଓ ସେବାକେନ୍ଦ୍ର ଇନ୍‌ଚାର୍ଜ ବି.କେ. ରୀତା ଉପସ୍ଥିତ ଥିଲେ। ଦିବ୍ୟ ଭାରତୀ ସାବରା ଧନ୍ୟବାଦ ଅର୍ପଣ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅପହରଣ ସନ୍ଦେହ କରି ଦୁଇ ଜଣ ନିଶାସକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼

masiha

ଜବାହର ନବୋଦୟ ବିଦ୍ୟାଳୟ ରେ ଝାଡାବାନ୍ତି |୧୨୨ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କୁ ଆଗୁଆ ପ୍ରତିଷେଧକ ଔଷଧ ପ୍ରଦାନ । ଡେରା ପକାଇଛନ୍ତି ସ୍ୱାସ୍ଥ୍ୟ ଟିମ 

masiha

ଶିକ୍ଷକ ନୀଳଲୋହିତ ସିଂ ମାଝୀଙ୍କ ଦଶାହ କ୍ରିୟାରେ ପ୍ରାଥମିକ ଶିକ୍ଷକ ସଂଘର ମାନବିକ ସହଯୋଗ

Leave a Comment

error: Content is protected !!