ବିଶୋଇ ବ୍ଲକର ୩୯ ସ୍କୁଲ ଓ ଅଙ୍ଗନବାଡି ଜରାଜୀର୍ଣ ଗୃହକୁ ନେଇ ବିଜେପି ଯୁବ ମୋର୍ଚାର ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଅଧ୍ୟକ୍ଷାଙ୍କୁ ଦାବିପତ୍ର ସହ ନୂତନ ଗୃହ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ
ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ)୧୦।୦୯ : ମୟୂରଭଂଜ ଜିଲ୍ଲାର ବିଶୋଇ ବ୍ଲକରେ ଜରାଜୀର୍ଣ୍ଣ ହୋଇ ପଡି ରହିଥିବା ସମୁଦାୟ ୩୯ ଗୋଟି ସ୍କୁଲ ଓ ଅଙ୍ଗନବାଡି ଗୃହର ମରାମତି ସାଙ୍ଗକୁ ଆବଶ୍ୟକ ସ୍ଥଳୀରେ ନୂତନ ଗୃହ ନିର୍ମାଣ ପାଇଁ ପଶ୍ଚିମ ମୟୂରଭଞ୍ଜ ସାଙ୍ଗଠନିକ ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।ମୟୂରଭଞ୍ଜ ଗସ୍ତରେ ଆସିଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ବିଶୋଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଆସିଥିବା ସମୟରେ ତାଙ୍କୁ ଭେଟି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆନନ୍ଦ କୁମାର ରାମ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।ସୂଚନାଯୋଗ୍ୟକି,ବିଶୋଇ ବ୍ଲକରେ ୧୩ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୨୬ ଗୋଟି ଅଙ୍ଗନବାଡି କେନ୍ଦ୍ର ଏବେ ଜରାଜୀର୍ଣ୍ଣ ଭଗ୍ନ ଅବସ୍ଥାରେ ପଡି ରହିଛି।ଦୀର୍ଘବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମି ଦୁର୍ବଳ ହୋଇ ପଡିଥିବାବେଳେ ଏହି ଶିକ୍ଷାନୁଷ୍ଠାନ ଗୁଡିକରେ ପଢ଼ୁଥିବା କୁନିକୁନି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଏବେ ବିପଦ ଘେରରେ ରହିଛନ୍ତି।ଯେକୌଣସି ମୁହୂର୍ତ୍ତରେ ଏହି ବିଦ୍ୟାଳୟ ଗୁଡିକରେ ଦୁର୍ଘଟଣା ଘଟି ଜୀବନହାନୀ ଘଟିବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଉଛି।ତେଣୁ ଏଥିପ୍ରତି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ଯୁଧ୍ୟକାଳୀନ ଭିତ୍ତିରେ ଉକ୍ତ ୩୯ ଗୋଟି ଶିକ୍ଷାନୁଷ୍ଠାନ ଗୁଡିକର ମରାମତି ସାଙ୍ଗକୁ ଆବଶ୍ୟକ ସ୍ଥଳରେ ନୂତନ ବିଲ୍ଡିଂ ନିର୍ମାଣ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି।ଦାବିପତ୍ର ପ୍ରଦାନ ସମୟରେ ବିଜେପି ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି,ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ,ବିଶୋଇ ମଣ୍ଡଳ ସଭାପତି ବନମାଳୀ ଗିରି,ଖଡ଼ମବେଡା ସରପଞ୍ଚ ସୋମବାରୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

