ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖମ୍ବସିଂ–ସୁରୀ ରାସ୍ତାରେ ଖାଲ ହିଁ ଖାଲ ବର୍ଷ ବର୍ଷ ଧରି ମରାମତି ନାହିଁ; ଆମ୍ବୁଲାନ୍ସ ପହଞ୍ଚିବା କଷ୍ଟକର, ରାସ୍ତାରୋକ ଚେତାବନୀ

ଖମ୍ବସିଂ–ସୁରୀ ରାସ୍ତାରେ ଖାଲ ହିଁ ଖାଲ

ବର୍ଷ ବର୍ଷ ଧରି ମରାମତି ନାହିଁ; ଆମ୍ବୁଲାନ୍ସ ପହଞ୍ଚିବା କଷ୍ଟକର, ରାସ୍ତାରୋକ ଚେତାବନୀ

କୋଲନରା, ୧୩।୯: ରାସ୍ତା ଅଛି, ହେଲେ ଚାଲିବାକୁ ଭୟ। ସ୍ଥାନେ ସ୍ଥାନେ ବଡ଼ ବଡ଼ ଖାଲ, ଢେପ ଓ ଅସମତଳ ରାସ୍ତା। ଦୀର୍ଘଦିନ ଧରି ମରାମତି ଅଭାବରୁ ଏଭଳି ଦୁର୍ଦ୍ଦଶା ଭୋଗୁଛି କୋଲନରା ବ୍ଲକ୍‌ ସୁରୀ ପଞ୍ଚାୟତର ଖମ୍ବସିଂ ଗାଁଠାରୁ ସୁରୀ ଗାଁ ପର୍ଯ୍ୟନ୍ତ ରାସ୍ତା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବଢ଼ିଚାଲିଛି ଅସନ୍ତୋଷ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତାର ଦୁରବସ୍ଥା ସମ୍ପର୍କରେ ବାରମ୍ବାର କୋଲନରା ବିଡିଓଙ୍କୁ ଜଣାଇଛନ୍ତି। କୋଲନରାରେ ଅନୁଷ୍ଠିତ ଗ୍ରୀଭେନ୍ସ ଶୁଣାଣିରେ ମଧ୍ୟ ଲିଖିତ ଅଭିଯୋଗ ଦିଆଯାଇଛି। ଜିଲ୍ଲାପାଳଙ୍କୁ ମଧ୍ୟ ସମସ୍ୟା ଜଣାଇବା ପରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ମିଳିଥିଲା। ହେଲେ ଆଶ୍ୱାସନକୁ ଦୀର୍ଘଦିନ ବିତିଥିଲେ ମଧ୍ୟ ରାସ୍ତାର ଚିତ୍ର ବଦଳିନାହିଁ।

ଆମ୍ବୁଲାନ୍ସ ପାଇଁ ବିପଦ

ରାସ୍ତାର ଦୁରବସ୍ଥା ଯୋଗୁଁ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ପହଞ୍ଚିବା କଷ୍ଟକର ହୋଇପଡ଼ୁଛି। ବିଶେଷକରି ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କୁ ହସ୍ପିଟାଲ ନେବାବେଳେ ପରିବାର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ରାସ୍ତାର ଖାଲ ଓ ଢେପ ଯୋଗୁଁ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ମଧ୍ୟ ବିପଦପୂର୍ଣ୍ଣ ହୋଇଛି।

ଏହି ରାସ୍ତା ଉପରେ ଖମ୍ବସିଂ ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ଦୈନନ୍ଦିନ ଯାତାୟାତ ନିର୍ଭର କରୁଛି। ରାସ୍ତାର ଦୁରବସ୍ଥା ଯୋଗୁଁ ଛାତ୍ରଛାତ୍ରୀ, ଚାଷୀ, ଶ୍ରମିକ ଓ ସାଧାରଣ ଲୋକେ ନିୟମିତ ହଇରାଣ ହେଉଛନ୍ତି। ବର୍ଷା ଦିନରେ ସମସ୍ୟା ଆହୁରି ଜଟିଳ ହେଉଥିବା ଗ୍ରାମବାସୀ କହିଛନ୍ତି।

ଆଶ୍ୱାସନ ମିଳୁଛି, କାମ ହେଉନି

ବାରମ୍ବାର ଅଭିଯୋଗ, ଗ୍ରୀଭେନ୍ସରେ ଲିଖିତ ଅଭିଯୋଗ ଏବଂ ଜିଲ୍ଲାପାଳଙ୍କ ଆଶ୍ୱାସନ ପରେ ବି ରାସ୍ତା ମରାମତି ନହେବାକୁ ନେଇ ପ୍ରଶାସନର କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନ ଉଠିଛି।

ତୁରନ୍ତ ରାସ୍ତା ମରାମତି କରାନଗଲେ ଆଗାମୀ ଦିନରେ ରାସ୍ତାରୋକ କରି ଆନ୍ଦୋଳନ କରାଯିବ ବୋଲି ଖମ୍ବସିଂ ଗ୍ରାମର କୃଷ୍ଣଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ଲକ୍ଷ୍ମୀକାନ୍ତ ଚୌଧୁରୀ, ବଳରାମ ଗୌଡ଼, ହୁଇକା କଣ୍ଟୁ ପ୍ରମୁଖ ଚେତାବନୀ ଦେଇଛନ୍ତି।ଗ୍ରାମବାସୀଙ୍କ ଦାବି, ରାସ୍ତାର ସ୍ଥିତି ତୁରନ୍ତ ଅନୁଧ୍ୟାନ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଆରମ୍ଭ କରାଯାଉ। ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସମାଜ ସେବୀ ରସିକ ମଙ୍ଗରାଜ ଆଉ ନାହାନ୍ତି

Sunil Chandra Nayak

ବ୍ୟାଡ଼ମିଣ୍ଟନ ଆସୋସିଏସନ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୭୬ ୟୁନିଟ୍ ରକ୍ତ ସଂଗୃହୀତ 

masiha

୭୬ ତମ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!