ଏକାଠି ହେଲେ ମାଳିପୁଟ ମେଲୋଡିସ୍ ଟିମ୍ ଓ ନବରଙ୍ଗପୁରର କଣ୍ଟେଣ୍ଟ କ୍ରିଏଟର
୧୮ ତାରିଖରେ ଅବିଭକ୍ତ କୋରାପୁଟର ସିନେମା ହଲ୍ରେ ମୁକ୍ତିଲାଭ
ନବରଙ୍ଗପୁର:(୧୪|୯)(ରବି ନାରାୟଣ ମହାନ୍ତି)ଆଦିବାସୀ ପରମ୍ପରା, ସାହିତ୍ୟ, ସଂସ୍କୃତି ଓ ଲୋକଜୀବନକୁ ନେଇ ନିର୍ମିତ ଭିନ୍ନଧରଣର ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡିସ୍’ ଆସନ୍ତା ୧୮ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସିନେମା ହଲ୍ରେ ମୁକ୍ତିଲାଭ କରିବ। ଏହାର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଚଳଚ୍ଚିତ୍ରର ଟିମ୍ ନବରଙ୍ଗପୁର ଗସ୍ତ କରି ସ୍ଥାନୀୟ କଳାକାର ଓ କଣ୍ଟେଣ୍ଟ କ୍ରିଏଟରମାନଙ୍କ ସହ ଆଲୋଚନା କରିଛନ୍ତି।ଏହି ଅବସରରେ ନବରଙ୍ଗପୁରଠାରେ ଆୟୋଜିତ ଏକ ମିଳନ ପର୍ବରେ
ଟେଲିଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବିଭକ୍ତ କୋରାପୁଟ ଅଞ୍ଚଳର ସମସ୍ତ କଳାକାର ଓ କଳାପ୍ରେମୀଙ୍କୁ ନିଜ ପରିବାର ସହ ସ୍ଥାନୀୟ ସିନେମା ହଲ୍ରେ ଚଳଚ୍ଚିତ୍ରଟି ଦେଖିବାକୁ ଅନୁରୋଧ କରିଥିଲେ।ମଞ୍ଚରେ ଅନ୍ୟତମ ଅତିଥି ଭାବେ ଅଭିନେତ୍ରୀ ତଥା ଅଧ୍ୟାପିକା ସଂଯୁକ୍ତା ପଣ୍ଡା, ବରିଷ୍ଠ ଅଭିନେତା ଜୟନ୍ତ ସାନ୍ତରା, ମହମ୍ମଦ ସରିଫ, ଶିଶିର ଦାସ, ଚନ୍ଦନ ସାହୁ ଏବଂ ସଙ୍ଗୀତ ନିର୍ଦ୍ଦେଶକ ତସ ନନ୍ଦ ପ୍ରମୁଖ ଫିଲ୍ମ ସମ୍ପର୍କରେ ନିଜ ମତ ପୋଷଣ କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ତଥା ନାଟ୍ୟ ନିର୍ଦ୍ଦେଶକ ଦେବଦାସ ମହାଙ୍କୁଡ଼ ମାଳିପୁଟ ଟିମ୍ର ସଫଳତା କାମନା କରିଛନ୍ତି।ସଭାରେ ଜିଲ୍ଲାର ବହୁ ପ୍ରତିଷ୍ଠିତ କଳାକାର ଯୋଗଦେଇ ଚଳଚ୍ଚିତ୍ରର ସଫଳତା କାମନା କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଟିକି ସୁନା, ସୁରେଶ ମହାନ୍ତି, ଯୁଗଳ ତ୍ରିପାଠୀ, ଗାୟକ ସୀମା ପାଣିଗ୍ରାହୀ, ଦିଲୀପ ପାଣିଗ୍ରାହୀ, ଅଭିନେତା ମାନସ ପଣ୍ଡା, ବୁଲୁ ପାଢ଼ୀ, ତୁଷାରକାନ୍ତି ଖୋସଲା, ନିର୍ମଳ ସାହୁ, ଶଙ୍କର ନାୟକ ସମାଜସେବୀ ତଥା ଅଭିନେତା ଜି. ରବି ପ୍ରସାଦ, କୁନି ଅଭିନେତ୍ରୀ ରୁହାନୀ ପଣ୍ଡା, ଯନ୍ତ୍ର ସଙ୍ଗୀତ ପରିଚାଳକ ମୁନା ମହେନ୍ଦ୍ର, ଭିଡିଓ ଏଡିଟର୍ ଚନ୍ଦନ ବାହାଦୁର ଏବଂ ବଂଶୀ ବାଦକ ଏ. ସନ୍ତୋଷ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଚଳଚ୍ଚିତ୍ରର ବରିଷ୍ଠ କଳାକାର ଜୟନ୍ତ ସାନ୍ତରା ଚଳଚ୍ଚିତ୍ରରେ ଅବିଭକ୍ତ କୋରାପୁଟ ଅଞ୍ଚଳର ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ନିଆରା ବାସ୍ନାକୁ କିପରି ଉପସ୍ଥାପନ କରାଯାଇଛି, ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ଚଳଚ୍ଚିତ୍ରଟି କିପରି ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚିବ ଏବଂ ସଫଳତା ହାସଲ କରିବ, ସେନେଇ ନବରଙ୍ଗପୁର ଜିଲ୍ଲାର ପ୍ରତିଷ୍ଠିତ କଣ୍ଟେଣ୍ଟ କ୍ରିଏଟରମାନଙ୍କ ସହ ଆଲୋଚନା କରାଯାଇଥିଲା। ଯୁବ ସଙ୍ଗୀତ ନିର୍ଦ୍ଦେଶକ ଆନନ୍ଦ ଦାସ, ଯୁବ ଗାୟକ ଶିବ ପ୍ରସାଦ ମହାପାତ୍ରଙ୍କ ସମେତ ଅନ୍ୟ କଣ୍ଟେଣ୍ଟ କ୍ରିଏଟରମାନେ ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାରରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।ସୂଚନାଯୋଗ୍ୟ, ‘ମାଳିପୁଟ ମେଲୋଡିସ୍’ ଚଳଚ୍ଚିତ୍ରରେ ବରିଷ୍ଠ କଳାକାର ଜୟନ୍ତ ସାନ୍ତରା, ଶିଶିର ଦାସ, ସୁଷମା ମିଶ୍ର, ମହମ୍ମଦ ସରିଫ, ବୁଲୁ ଷଡ଼ଙ୍ଗୀ, ନରେନ୍ଦ୍ର ପଟ୍ଟନାୟକ, ଚନ୍ଦନ ସାହୁ, ଦିବ୍ୟ ବେହେରା, ଆଶୁତୋଷ ପାଳ ଓ ଧନ ହରିଜନ ପ୍ରମୁଖ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି କୌଶିକ ଦାସ, ସହପ୍ରଯୋଜନା କରିଛନ୍ତି ରାମପ୍ରଭା ପଟ୍ଟନାୟକ ଓ କୌସ୍ତବ ଦାସ। ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ତସ ନନ୍ଦ, ଏବଂ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ପଟ୍ଟନାୟକ। ଏଇ ସମସ୍ତ କାର୍ଯ୍ୟକ୍ରମ ଯୁବ ସଙ୍ଗୀତ ନିର୍ଦ୍ଦେଶକ ଆନନ୍ଦ ଦାସ ଓ ଯୁବ କଣ୍ଠଶିଳ୍ପୀ ଶିବ ପ୍ରସାଦ ମହାପାତ୍ର ପରିଚାଳନା କରିଥିଲେ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

