ଖାଦ୍ୟ ସୁରକ୍ଷାରୁ ବଂଚିତ ଛାତ୍ରୀ ପଢ଼ାରେ ବାନ୍ଧିଲେ ଡ଼ୋରି
ରାଇରଙ୍ଗପୁର ତା.୨୦/୦୯ ; ମୟୁରଭଞ୍ଜ ଜିଲ୍ଲା,ଗୋପବନ୍ଧୁନଗର ବ୍ଲକ, ସାନଖୁଂଟା ପଂଚାୟତ, ଗୋଠପୁରା ଗ୍ରାମର ବାସିନ୍ଦା ସମାୟ ସୋରେନଙ୍କ ୧୬ ବର୍ଷ ବୟସର କନ୍ୟା ସସ୍ମିତା ସୋରେନ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଥିବାର ଜଣାଯାଇଛି । ପରିବାରକୁ ମିଳିଥିବା ରାସନ କାର୍ଡ଼ରେ ସସ୍ମିତାଙ୍କ ନାମ ଯୋଡ଼ାଯାଇ ନଥିବାରୁ ସରକାର ଯୋଗାଇ ଦେଉଥିବା ମୁଣ୍ଡପିଛା ୫ କିଗ୍ରା ଚାଉଳ ସେ ପାଇପାରୁ ନଥିବାର କଥା ଜଣାଇଛନ୍ତି । ପରିବାରର ଆର୍ଥିକ ଅବସ୍ଥା ସ୍ୱଛଳ ନଥିବା ବେଳେ ଦିନମଜୁରିଆ ଭାବରେ କାମ କରି ସମାୟ ସୋରେନ ପରିବାର ଚଳାଉଥିବାର କହିଛନ୍ତି । ଝିଅର ନାମକୁ ରାସନ କାର୍ଡ଼ରେ ଯୋଡ଼ିଦେବା ପାଇଁ ପଂଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ବାରମ୍ବାର ଗୁହାରି ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବାର ସେ ଅଭିଯୋଗ କରିଛନ୍ତି । ସେହିପରି କନ୍ୟା ସସ୍ମିତା ଖୁଂଟାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିଲେ । କିନ୍ତୁ ଆଜକୁ ୨ବର୍ଷ ଧରି ସେ ଆଦୌ ବିଦ୍ୟାଳୟ ଯାଇନଥିବାର କଥା ପରିବାରର ଲୋକେ ଜଣାଇଛନ୍ତି । ତେବେ ବିଦ୍ୟାଳୟ ଖାତାରେ ତାଙ୍କର ନାମ ଗଡିଚାଲିଛି କି କଟି ଯାଇଛି ଏ କଥା ତାଙ୍କୁ ଜଣାନଥିବାର କହିଛନ୍ତି । ବିଦ୍ୟାଳୟକୁ ପିଲା ଆସନ୍ତୁ କି ନଆସନ୍ତୁ ସରକାରୀ ଫାଇଲ ଚାଷରେ ସବୁ ଠିକ୍ ଚାଲିଛି ବୋଲି ଦର୍ଶାଯାଉଥିବାର କଥା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ସରକାରୀ ବିଦ୍ୟାଳୟ ମାନଙ୍କରେ ଏହା ଏକ ନିତି ଦିନିଆ ଘଟଣା ବୋଲି ଶୁଣିବାକୁ ମିଳୁଛି । ତେବେ ସସ୍ମିତାଙ୍କ କ୍ଷେତ୍ରରେ ବାସ୍ତବ ଚିତ୍ର କଣ ଏହା ତଦନ୍ତ ପରେ ଜଣାପଡ଼ିବ ବୋଲି କୁହାଯାଉଛି । ଏପରିକି ବିଦ୍ୟାଳୟ ତରଫରୁ ସସ୍ମିତାଙ୍କୁ ଥରଟିଏବି ଖୋଜା ପଡ଼ିନଥିବାର ପରିବାରର ଲୋକେ ଜଣାଇଛନ୍ତି । ଏହି ବୟସର ପିଲାମାନେ ପାଠ ଠାରୁ ଦୁରେଇ ଯିବା ଦ୍ୱାରା ବାଲ୍ୟ ବିବାହ ଦୃତ ଗତିରେ ବଢ଼ି ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହା ଦେଶକୁ ଭୟଙ୍କର ବିପଦ ଡ଼ାକି ଆଣୁଛି ବୋଲି ବହୁ ଲୋକ ମତ ଦେଇଛନ୍ତି । ବିଭାଗୀୟ କର୍ତୃପକ୍ଷ ଏହାର ତଦନ୍ତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱେଛାସେବି ସଂଗଠନମାନେ ଅନୁରୋଧ ଜଣାଇଛନ୍ତି ।
ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

