ସୁନ୍ଦରଗଡରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ
ସୁନ୍ଦରଗଡ, ୨୧/୦୯/୨୬: ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦେଶର ତୃତୀୟ ପର୍ଯ୍ୟାୟରେ ଚଳିତ ବର୍ଷ ମଇ ୨୦ ତାରିଖରୁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର୍ ପ୍ରକ୍ରିୟା। ଏହି କ୍ରମରେ ସମଗ୍ର ରାଜ୍ୟରେ ଆଜି ପ୍ରକାଶ ପାଇଛି ଚୂଡ଼ାନ୍ତ ଭୋଟର ତାଲିକା। ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପ୍ରକାଶିତ ହୋଇଛି ଏହି ଚୂଡ଼ାନ୍ତ ଭୋଟର ତାଲିକା।
ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ସମସ୍ତ ରାଜନୈତିକ ଦଳ ଗୁଡ଼ିକର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ପ୍ରକାଶିତ ହୋଇଛି ଜିଲ୍ଲାର ଏହି ଚୂଡ଼ାନ୍ତ ଭୋଟର ତାଲିକା। ସେହିଭଳି ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ଏବଂ ଜିଲ୍ଲାର ସମସ୍ତ ବୁଥ ମାନଙ୍କରେ ମଧ୍ୟ ପ୍ରକାଶିତ ହେଉଛି ଏହି ଚୂଡ଼ାନ୍ତ ଭୋଟର ତାଲିକା।
ଏହି ଅବସର ରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଡ଼ା ଶୁଭଙ୍କର ମହାପାତ୍ର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟ ପରିଚାଳନା ନିମନ୍ତେ ବିଶେଷ କରି ଜିଲ୍ଲାର ସମସ୍ତ ଜନସାଧାରଣ,ସମସ୍ତ ରାଜନୈତିକ ଦଳ, ସମସ୍ତ ନାଗରିକ ସମାଜ ଓ ଗଣମାଧ୍ୟମଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେହିଭଳି ଏହି ପ୍ରକ୍ରିୟାରେ ସାମିଲ ହୋଇ କାର୍ଯ୍ୟକୁ ସଫଳ ଭାବେ ସମାପନ କରିଥିବା ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ତଥା ଅନ୍ୟାନ୍ୟ ଅଧିକାରୀ, ବୁଥ ସ୍ତରୀୟ ଅଧିକାରୀ, ସୁପର ଭାଇଜର, ବୁଥ୍ ସ୍ତରୀୟ ଏଜେଣ୍ଟମାନଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ପାଇଁ ପ୍ରଶଂସା କରିଥିଲେ।
ଆଜିର ଏହି ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ ୧୩୯୫୯୮୧ ଜଣ ଭୋଟର ତାଲିକାରେ ରହିଛନ୍ତି। ସେଥିମଧ୍ୟରୁ ପୁରୁଷ ଭୋଟର ହେଉଛନ୍ତି ୬୯୦୮୩୯ ମହିଳା ଭୋଟର ସଂଖ୍ୟା ୭୦୫୦୨୭ ଏବଂ ତୃତୀୟ ଲିଙ୍ଗି ଭୋଟରଙ୍କ ସଂଖ୍ୟା ହେଉଛି ୧୧୫।
ତଳସରା ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ହେଉଛନ୍ତି ୧୯୯୯୦୦ ଏବଂ ଏଥିରୁ ପୁରୁଷ ଭୋଟର ହେଉଛନ୍ତି ୯୮୩୦୭, ମହିଳା ଭୋଟର ୧୦୧୫୮୨ ଜଣ ଓ ତୃତୀୟ ଲିଙ୍ଗି ଭୋଟର ୧୧ ଜଣ। ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ହେଉଛି ୨୧୨୦୫୪ ଏବଂ ଏଥିରୁ ପୁରୁଷ ଭୋଟର ୧୦୪୪୦୮, ମହିଳା ଭୋଟର ୧୦୭୬୩୩ ଓ ତୃତୀୟ ଲିଙ୍ଗିି ଭୋଟର ହେଉଛନ୍ତି ୧୩ ଜଣ। ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ହେଉଛି ୨୩୦୫୯୧ ଏବଂ ଏଥିରୁ ପୁରୁଷ ଭୋଟର ଙ୍କ ସଂଖ୍ୟା ୧୧୩୫୫୧ , ମହିଳା ଭୋଟର ୧୧୭୦୩୧ ଜଣ ଓ ତୃତୀୟ ଲିଙ୍ଗି ଭୋଟର ୯ ଜଣ। ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ୧୪୩୩୪୮ ଏବଂ ଏଥିରୁ ପୁରୁଷ ଭୋଟର ସଂଖ୍ୟା ୭୧୫୬୮, ମହିଳା ଭୋଟର ସଂଖ୍ୟା ୭୧୭୬୮ ଓ ତୃତୀୟ ଲିଙ୍ଗି ଭୋଟର ୧୨ ଜଣ। ରାଉରକେଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋଟ ଭୋଟର ହେଉଛନ୍ତି ୧୭୧୦୨୧ ଏବଂ ଏଥିରୁ ପୁରୁଷ ଭୋଟର ହେଉଛନ୍ତି ୮୬୩୮୦, ମହିଳା ଭୋଟର ସଂଖ୍ୟା ହେଉଛି ୮୪୬୧୬ ଓ ତୃତୀୟ ଲିଙ୍ଗି ଭୋଟର ହେଉଛନ୍ତି ୨୫ ଜଣ। ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ର ମୋଟ ଭୋଟର ସଂଖ୍ୟା ହେଉଛି ୨୨୦୬୮୧ ଏବଂ ଏଥିରୁ ପୁରୁଷ ଭୋଟର ହେଲେ ୧୦୯୧୬୮, ମହିଳା ଭୋଟର ସଂଖ୍ୟା ହେଉଛି ୧୧୧୪୮୯ ଓ ତୃତୀୟ ଲିଙ୍ଗି ଭୋଟର ହେଲେ ୨୪ । ସେହିଭଳି ବଣାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋଟ ଭୋଟର ସଂଖ୍ୟା ହେଉଛି ୨୧୮୩୮୬ ଏବଂ ଏଥିରୁ ପୁରୁଷ ଭୋଟର ହେଲେ ୧୦୭୪୫୭, ମହିଳା ଭୋଟର ସଂଖ୍ୟା ୧୧୦୯୦୮ ଓ ତୃତୀୟ ଲିଙ୍ଗି ଭୋଟର ସଂଖ୍ୟା ହେଉଛି ୨୧ ଜଣ।
ସେହିଭଳି କୌଣସି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ମାନଙ୍କ ନିଷ୍ପତି ଉପରେ ଆପତ୍ତି ଅଭିଯୋଗ ରହିଥିଲେ ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୦ ଅନୁସାରେ ସେହି ବ୍ୟକ୍ତି ବିଶେଷ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବାରୁ ୧୫ ଦିନ ମଧ୍ୟରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଠାରେ ଆବେଦନ କରିପାରିବେ। ସେହିପରି ଯଦି ସେହି ବ୍ୟକ୍ତି ବିଶେଷ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିଷ୍ପତି ଉପରେ ଆପତ୍ତି ଅଭିଯୋଗ ରହିଥିଲେ ପ୍ରତିନିଧିତ୍ୱ ଅଧିନିୟମ ୧୯୬୦ ଅନୁସାରେ ସେ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଜିଲ୍ଲାପାଳଙ୍କ ନିଷ୍ପତ୍ତିର ୩୦ ଦିନ ମଧ୍ୟରେ ଦ୍ୱିତୀୟ ଆବେଦନ କରି ପାରିବେ। ସେହିପରି ଜିଲ୍ଲାର ସମସ୍ତ ଭୋଟର ମାନେ ଏହି ଚୂଡ଼ାନ୍ତ ଭୋଟର ତାଲିକା ରେ ନିଜର ନାମ ଯାଞ୍ଚ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ବାସୀଙ୍କୁ ଅନୁରୋଧ କରାଯାଇଛି ଏବଂ ଆବଶ୍ୟକ ଥିଲେ ଭୋଟର ତାଲିକା ରେ ଅର୍ନ୍ତଭୁକ୍ତ ନିମନ୍ତେ ଫର୍ମ ୬, ସଂଶୋଧନ ନିମନ୍ତେ ଫର୍ମ ୮ କିମ୍ବା ତାଲିକା ରୁ ବାଦ୍ ଦେବା ପାଇଁ ଫର୍ମ ୭ ଉଭୟ ଅନଲାଇନ୍ ବା ଅଫଲାଇନ ରେ ଦାଖଲ କରି ପାରିବେ। ସେହିଭଳି ଏହି ପ୍ରକ୍ରିୟା ନିମନ୍ତେ କୌଣସି ସ୍ପଷ୍ଟୀକରଣ ନିମନ୍ତେ ଟୋଲ୍ ଫ୍ରି ନମ୍ୱର୍ ୧୯୫୦ କୁ ଯୋଗାଯୋଗ କରିପାରିବେ। ଆଜିର ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵୀନି ବେହେରା, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ପ୍ରଧାନ, ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଡେପୁଟି କଲେକ୍ଟର ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ତଥା ଅନ୍ୟାନ୍ୟ ଅଧିକାରୀ ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ଶ୍ରୀ ଜୟ ନାରାୟଣ ତ୍ରିପାଠୀ , ଶ୍ରୀ ଅଶୋକ କୁମାର ସ୍ୱାଇଁ, ଶ୍ରୀ ପର୍ଶୁରାମ ସରାଫ ,ଶ୍ରୀ ସୁରେନ୍ଦ୍ର ଦାଶ, ଶ୍ରୀ ବିଶ୍ୱନାଥ, ଶ୍ରୀ ଅରୁଣ କୁମାର ଦୀକ୍ଷିତ, ଶ୍ରୀ ରାଧାରମଣ ପଟେଲ, ଶ୍ରୀ ବିଶ୍ୱନାଥ ଲେଙ୍କା,ଶ୍ରୀ ବାବୁଲୁ କିଷାନ ଶ୍ରୀ ଅଜିତ ପ୍ରସାଦ,ଶ୍ରୀ ଭେସଜ ରଥ , ଶ୍ରୀ ପ୍ରଭାତ କୁମାର ନନ୍ଦ ,ଶ୍ରୀମତୀ କୁସୁମ ଟେଟେ, ଶ୍ରୀମତୀ ପୂର୍ଣ୍ଣିମା କେରକେଟା ପ୍ରମୁଖ ଉପସ୍ଥିତ ଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

