ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧-ସାପୁଆ ନଈ ପଠାରେ ଧୋବ ଫରଫର କାଶତଣ୍ଡୀ , ୨- କନ୍ଧରାରେ ଧୁମଧାମରେ ଖୁଦୁରୁକୁଣୀ ଭସାଣି ଉତ୍ସବ, ୩-ଗବଗଡା ଗ୍ରାମବାସୀ ଦୀର୍ଘ ଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ,୪- ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସାମ୍ବାଦିକ ସଂଘର ନବମ ମାସିକ ବୈଠକ , ୫-ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଶେଷ ଖୁଦୁରୁକୁଣୀ ଓଷା ପାଳିତ, ୬- ଜିଲା ବିଜ୍ଞାନ ନାଟକ ପ୍ରତିଯୋଗିତାରେ କାମାକ୍ଷାନଗର ବ୍ଲକର କୃତିତ୍ୱ , ୭- ବିଦ୍ୟୁତ ସମସ୍ୟା ନେଇ ମହାବିରୋଡ଼ ଅଞ୍ଚଳ ବାସୀ ଥାନା ଅଧିକାରୀଙ୍କୁ ଦେଲେ ଦାବିପତ୍ର , ୮- ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭମାଟି ଅନୁକୂଳ, ୯- ଗଡ଼ଜାତ ଗାନ୍ଧି ସାରଙ୍ଗଧର ଦାସଙ୍କ ୬୯ତମ ଶ୍ରାଦ୍ଧ ଦିବସ ରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ “ଗଡ଼ଜାତ ଗାନ୍ଧି ସ୍ମୃତି ସୁରକ୍ଷା ସମ୍ମାନ”, ୧୦-ସେନା କର୍ମଚାରୀଙ୍କର ଅକାଳ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ 

ସାପୁଆ ନଈ ପଠାରେ ଧୋବ ଫରଫର କାଶତଣ୍ଡୀ

ଢ଼େଙ୍କାନାଳ – ଭାପୁର ଛଦେଶ ଅଞ୍ଚଳରେ ବହି ଯାଇଥିବା ସାପୁଆ ନଈ ପଠାରେ ଦେଖିବକୁ ମିଳିଛି ଧୋବ ଫରଫର କାଶତଣ୍ଡି। ସୁଗନ୍ଧ ନଥିଲେ ବି ଅତ୍ଯନ୍ତ ମନଲୋଭା। ଧୀର ପବନରେ କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟ କବି,ଭାବୁକ ଓ ବାଟଚଲା ଲୋକଙ୍କ ମନରେ ହରସ ଆଣୁଛି। ପ୍ରକୃତି କୋଳରେ କାଶତଣ୍ଡୀ ପାର୍ବଣ ଆଗମନର ସନ୍ଦେଶ ଦେଉଛି। କାକର ଭିଜା ସରୁ ଓଢଣୀ ଟାଣି ରାସ୍ତା କଡ଼,ନଈପ‌ଠା ଓ ପୋଖରୀ ହୁଡାରେ ମା’ଙ୍କ ଆଗମନକୁ ଚାହିଁରହିଛି। ଆକାଶର ଛାଇ ଆଲୁଅ ଖେଳରେ କାଶତଣ୍ଡି ଫୁଲ ହସରେ ତାଳଦେଇ ପ୍ରକୃତି ବି ହସୁଛି। ଶାରଦୀୟ ଶୋଭାବଦ୍ଧନର ଅପୂର୍ବ ସମ୍ଭାର ଆଣିଥାଏ କାଶତଣ୍ଡୀ। ମା’ ଦଶଭୂଜାଙ୍କ ପୂଜାରେ ଏହି ଫୁଲ ଲାଗିବା ପରମ୍ପରା ରହିଆସିଛି। ଏହା କେବଳ ସୌନ୍ଦର୍ଯ୍ୟ ନୁହେଁ,ଫୁଲ ଝଡିଗଲା ପରେ ଘରୋଇ ଉପକରଣ ତିଆରିରେ ଲାଗିଥାଏ। ଏହାର ଶୁଖୁଲା ଖାଡ଼ିରେ ମାଣ,ଡାଲା,ଟୋକେଇ ଆଦି ତିଆରି ହୋଇଥାଏ। ଏହି ଉପକରଣ ପରିବାରକୁ ରୋଜଗାର ଦେଇଥାଏ। ମାଟିକୁ ଜାବୁଡି ଧରିଥିବା ଏହି କାଶତଣ୍ଡୀ ଗଛ ମୂର୍ତ୍ତିକା କ୍ଷୟ ହେବାକୁ ଦିଏ ନାହିଁ।

କନ୍ଧରାରେ ଧୁମଧାମରେ ଖୁଦୁରୁକୁଣୀ ଭସାଣି ଉତ୍ସବ

  କାମାକ୍ଷାନଗର -b ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କନ୍ଧରା ଗ୍ରାମରେ ଧୁମଧାମରେ ପାଳିତ ହୋଇଛି ଖୁଦୁରୁକୁଣୀ ଭସାଣି ଉତ୍ସବ।କନ୍ଧରା ଗ୍ରାମର ବିଭିନ୍ନ ସାହିରୁ ମୋଟ ୯ଟି ମେଢ଼କୁ ନେଇ ମେଳଣ ପଡ଼ିଆରେ ଏକାଠି ହୋଇଥିଲା ଭକ୍ତଙ୍କ ଭିଡ଼। ପରେ ୯ଟି ମେଢ଼ ଏକାସାଙ୍ଗରେ ଭବ୍ୟ ଶୋଭାଯାତ୍ରାରେ ବାହାରିଥିଲା।ଢୋଲ, ମହୁରୀ, ବାଦ୍ୟବାଜଣା,ଡିଜେ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ପ୍ରସେସନ୍ ଆଗକୁ ବଢ଼ିଥିଲା। ବିଶେଷକରି ରଙ୍ଗମାଟିଆ ସାହିର ପ୍ରସେସନ୍ ଉପସ୍ଥିତ ଲୋକଙ୍କ ମନକୁ ମୁଗ୍ଧ କରିଥିଲା.ପାରମ୍ପରିକ ବେଶଭୂଷା, ନୃତ୍ୟ ଓ ବାଦ୍ୟର ତାଳରେ ଉତ୍ସବସ୍ଥଳୀ ହୋଇଉଠିଥିଲା ଉତ୍ସବମୁଖର।ଏହି ଭସାଣି ଉତ୍ସବରେ କନ୍ଧରା ଗ୍ରାମର ବିଭିନ୍ନ ସାହିର ଶ୍ରଦ୍ଧାଳୁ ଓ ଶତାଧିକ ଲୋକ ସାମିଲ ହୋଇ ଉତ୍ସବର ଆନନ୍ଦ ଉପଭୋଗ କରିଥିଲେ।ପାରମ୍ପରିକ ପରମ୍ପରା ଓ ଭାଇଚାରାର ବାର୍ତ୍ତା ନେଇ ଅନୁଷ୍ଠିତ ଏହି ଖୁଦୁରୁକୁଣୀ ଭସାଣି ଉତ୍ସବ କନ୍ଧରା ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି କରିଥିଲା ଉତ୍ସାହ ଓ ଆନନ୍ଦର ପରିବେଶ।

ଗବଗଡା ଗ୍ରାମବାସୀ ଦୀର୍ଘ ଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ

 କାମାକ୍ଷାନଗର- କାମାକ୍ଷାନଗର ଉପଖଣ୍ଡ ର ମଠକରଗୋଳା ବିଦ୍ୟୁତ ସେକ୍ସନ ଅନ୍ତର୍ଗତ ଗବଗଡା ଗ୍ରାମବାସୀ ଦୀର୍ଘଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ରହୁଥିବାର ଅଭିଯୋଗ ହୋଇଛି l ଗବଗଡା ଗ୍ରାମରେ ଲୋକ ବସବାସ କରୁଥିବା ବେଳେ ପ୍ରତ୍ୟେକ ମାସରେ ବିଦ୍ୟୁତ ବିଲ ମଠକରଗୋଳା ସେକ୍ସନ ରେ ଦାଖଲ କରିଥାନ୍ତି l ଟାଟା ପାୱାର ବିଦ୍ୟୁତ କମ୍ପାନୀ ପକ୍ଷରୁ ମାସିକ ସଠିକ ସମୟ ମଧ୍ୟରେ ଗବଗଡା ଗ୍ରାମବାସୀ ବିଦ୍ୟୁତ ବିଲ ପୈଠ କରୁଥିବା ବିଦ୍ୟୁତ ଉପଭୋକ୍ତଙ୍କୁ ଦୀର୍ଘଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ରଖାଯାଇଛି l ସୂଚନା ଯୋଗ୍ୟ ବିଦ୍ୟୁତ ବିଲ ମଠକରଗୋ ସେକ୍ସନ ରେ ଦାଖଲ କରୁଥିବା ବେଳେ ବିଦ୍ୟୁତ ସେବା ଭୁବନ ସେକ୍ସନ ରୁ ପାଉଛନ୍ତି l ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ କରାଯାଉଥିବା ବେଳେ ବିଦ୍ୟୁତ କମ୍ପାନୀ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ l ସଂପୃକ୍ତ ଗ୍ରାମବାସୀ ଭୁବନ ସେକ୍ସନ ରେ ବିଲ ପୈଠ କରିବାକୁ ଚାହୁଁଥିଲେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଉବାହିଁ l ଏଥିପ୍ରତି ବିଭାଗୀୟ ସ୍ତରରେ କୋଣସି ପଦକ୍ଷୱାପ ନିଆ ଯାଉନଥିବାରୁ ଆଗାମୀ ଦିନରେ ଗ୍ରାମବାସୀମାନେ ୫୩ ନଂ ଜାତୀୟ ରାଜପଥ କୁ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି l

ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସାମ୍ବାଦିକ ସଂଘର ନବମ ମାସିକ ବୈଠକ 

ଢ଼େଙ୍କାନାଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ରାସୋଳ ସ୍ଥିତ ସାପୁଆ ଡ୍ୟାମ ଠାରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସାମ୍ବାଦିକ ସଂଘର ନବମ ମାସିକ ବୈଠକ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ଶ୍ରୀ ପ୍ରଶାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘରେ ଯୋଗଦାନ ପାଇଁ ଇଚ୍ଛା ପ୍ରକାଶ କରିଥିବା ସାମ୍ବାଦିକଙ୍କୁ ସଭ୍ୟ ଭାବେ ଗ୍ରହଣ କରାଯାଇଛି। ନୂତନ କୋଷାଧ୍ୟକ୍ଷ ଭାବେ ତପନ କୁମାର ସାହୁ ନିର୍ଦ୍ଦ୍ୱନ୍ଦ୍ୱରେ ମନୋନୀତ ହୋଇଛନ୍ତି। ୩ ନିର୍ଭୀକ ସାମ୍ବାଦିକ ସଂଘରେ ସାମିଲ,ନେଲେ ଶପଥ । ଏହି ଅବସରରେ ୩ ଜଣ ନିର୍ଭୀକ ଯୁବ ସାମ୍ବାଦିକ ମହେଶ୍ୱର ସାହୁ,ଦୀପକ କୁମାର ନାଏକ ଓ ବଳରାମ ସାହୁଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ବୈଠକରେ ସଂଘର କାୟା ବୃଦ୍ଧି ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିଶଦ ଆଲୋଚନା କରାଯାଇଥିଲା। ସଂଘର ପରାମର୍ଶଦାତା ବିକ୍ରମ ସାହୁ ସମସ୍ତ ସାମ୍ବାଦିକ ନିୟମ ଅନୁସାରେ ପରିଚାଳିତ ହେବା ସହ ପରସ୍ପର ପ୍ରତି ସମ୍ମାନ ଓ ସହଯୋଗ ରଖିବାକୁ ପରାମର୍ଶ ଦେଇଥିଲେ ବରିଷ୍ଠ ଉପଦେଷ୍ଟା। ହିନ୍ଦୋଳ ଓ ଓଡାପଡା ଅଞ୍ଚଳର ଗରିବ,ନିଷ୍ପେସିତ ଓ ଅବହେଳିତ ଲୋକଙ୍କ ସ୍ୱର ହେବାକୁ ସଂଘ ସଦା ପ୍ରସ୍ତୁତ ବୋଲି କହିଥିଲେ। ଶେଷରେ ସାମ୍ବାଦିକ ବିଭୁ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ସାମୂହିକ ମଧ୍ୟାହ୍ନ ଭୋଜନ ସହ ବୈଠକ ଶେଷ ହୋଇଥିଲା। ଏହି ବୈଠକରେ ସଭାପତି ପ୍ରଶାନ୍ତ ଦାସ,ସମ୍ପାଦକ ସୁଜିତ ବେହେରା,ସନାତନ ନାଥ,ସୁଶାନ୍ତ ପାଳ,ସୁବ୍ରତ ମହାପାତ୍ର,ପିଣ୍ଟୁ ସେଠୀ,ସୁମନ୍ତ ବେହେରା,ବିଭୁ ପ୍ରସାଦ ଶତପଥୀ,ଜିତେନ୍ଦ୍ର ନାୟକ,ଦୀପକ ନାୟକ,ଗୋପବନ୍ଧୁ ବାରିକ,ମିହିର କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଶେଷ ଖୁଦୁରୁକୁଣୀ ଓଷା ପାଳିତ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମା’ମଙ୍ଗଳାଙ୍କ ପବିତ୍ର ଖୁଦୁରୁକୁଣୀ ଓଷାର ଶେଷ ପାଳି ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ପ୍ରତ୍ୟୁଷରୁ ମା’ଙ୍କ ପୀଠରେ ସ୍ନାନ,ମାର୍ଜନା,ବସ୍ତ୍ରାଳଙ୍କାର ଲାଗି ଏବଂ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନ ଅଞ୍ଚଳର ମହିଳା ଓ ଝିଅବୋହୂମାନେ ନିଷ୍ଠାର ସହ ଉପବାସ ରଖି ଫଳମୂଳ,ଧୂପ,ଦୀପ ଓ ନୈବେଦ୍ୟ ସହକାରେ ମା’ଙ୍କ ନିକଟରେ ପୂଜା ଅର୍ପଣ କରିଥିଲେ। ସମୂହ ବ୍ରତକଥା ଶ୍ରବଣ ଏବଂ ଆଳତି ଦର୍ଶନ ପାଇଁ ଝିଅବୋହୂଙ୍କ ଗହଳି ଦେଖିବାକୁ ମିଳିଥିଲା। ଗ୍ରାମ ତଥା ଅଞ୍ଚଳର ସୁଖଶାନ୍ତି ଓ ପରିବାରର ମଙ୍ଗଳ ପାଇଁ ଶ୍ରଦ୍ଧାଳୁମାନେ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ପୂଜା ଶେଷରେ ଛୋଟ ପିଲା ଓ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା। ଗ୍ରାମବାସୀଙ୍କ ସହଯୋଗ ଓ ଭକ୍ତିଭାବ ଯୋଗୁଁ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ତଥା ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ବିଭିନ୍ନ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁସାରେ ଝୋଟି ଚିତା ଏବଂ ବିଭିନ୍ନ ପ୍ରକାର ଫୁଲ ଓ ଫଳରେ ମା’ଙ୍କୁ ସଜ୍ଜିତ କରାଯାଇଥିଲା। ଶେଷରେ ଧୂପ,ଦୀପ,ଶଙ୍ଖ ହୁଳହୁଳି ଧ୍ୱନିରେ ପରିବେଶ ଭକ୍ତିମୟ ହୋଇଉଠିଥିଲା ଏବଂ ଶାନ୍ତି ଶୃଙ୍ଖଳାର ସହ ଏହି ବର୍ଷର ଖୁଦୁରୁକୁଣୀ ପୂଜା ଉଦଯାପିତ ହୋଇଛି।

ଜିଲା ବିଜ୍ଞାନ ନାଟକ ପ୍ରତିଯୋଗିତାରେ କାମାକ୍ଷାନଗର ବ୍ଲକର କୃତିତ୍ୱ 

କାମାକ୍ଷାନଗର- ଢେଙ୍କାନାଳ ଜିଲା ଶିକ୍ଷା ବିଭାଗ ଓ ବିଜ୍ଞାନ କେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ବିଜ୍ଞାନ କେନ୍ଦ୍ର ପରିସରରେ ନାଟକ ପ୍ରତିଯୋଗିତା ରେ କାମାକ୍ଷାନଗର ବ୍ଲକ କୃତିତ୍ୱ ହାସଲ କରିଛି l ଏହି ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଜିଲ୍ଲାର ଦଶ ଗୋଟି ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ l କାମାକ୍ଷାନଗର ବ୍ଲକ ର ଭାଗିରଥିପୁର ଉଚ୍ଚ ବିଦ୍ୟାଳୟ, କାନପୁରା ଉଚ୍ଚାନିଦ୍ୟାଳୟ, ସୁନିଆଁମାରୁ ପଞ୍ଚାୟତ ଉଚ୍ଚ ନିଦ୍ୟାଳୟ ଭାଗ ନେଇଥିଲେ l ଭାଗିରଥୀପୁର ଉଚ୍ଚାବିଦ୍ୟାଳୟର ଶିକ୍ଷକ ବିମଳ କୁମାର ପରିଡାଙ୍କ ନିର୍ଦେଶନା ଏବଂ ରାଜେଶ୍ୱରୀ ସେଠିଙ୍କ ରଚିତ ବିଜ୍ଞାନ ନାଟକ ବିଦ୍ୟୁତ ର ବରଦାନ ଶୀର୍ଷକ ନାଟକ ମଞ୍ଚସ୍ଥ କରି ପ୍ରଥମ ସ୍ଥାନ ଅଧିକାର କରିଚି l କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସୁନିଆଁମାରୁ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ବ୍ଲକ କୁ ଗୌରାନ୍ୱିତ କରି ପାରିଛନ୍ତି ।

ବିଦ୍ୟୁତ ସମସ୍ୟା ନେଇ ମହାବିରୋଡ଼ ଅଞ୍ଚଳ ବାସୀ ଥାନା ଅଧିକାରୀଙ୍କୁ ଦେଲେ ଦାବିପତ୍ର 

କାମାକ୍ଷାନଗର – କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ବିଦ୍ୟୁତ ସବଷ୍ଟେସନ ଅଞ୍ଚଳରେ ନୀତିଦିନ ଅଘୋଷିତ ବିଦ୍ୟୁତ କାଟ ନେଇ ଜନ ଅସନ୍ତୋଷ ଦେଖା ଦେଇଛି ।ଗତକାଲି ସକାଳ ୭ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ହୋଇଥିଲା ।ଆଜି ସେହିଭଳି ସକାଳ ୭ ରୁ ବିଦ୍ୟୁତ କାଟ ହୋଇଥିଲା ବେଳେ ଏତେ ପର୍ଯ୍ୟନ୍ତ ଅଞ୍ଚଳରେ ବିଦ୍ୟୁତ ସେବା ମିଳି ପାରିନାହିଁ ।ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି ନୀତିଦିନ ଅଞ୍ଚଳରେ ୧୦ ରୁ ୧୨ ଘଂଟା ବିଦ୍ୟୁତ କାଟ ହେଉଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ୩୩ ଗ୍ରୀଡ଼ ମରାମତି ନାଁରେ ବିଦ୍ୟୁତ କାଟ ହେଉଥିବା ଆଳ ଦେଖାଉଥିବା ଅଭିଯୋଗ ହେଉଛି ।ଆଜି ବିଦ୍ୟୁତ ସମସ୍ୟା ନେଇ ଅଞ୍ଚଳ ବାସୀ ଏକ ଲିଖିତ ଦାବିପତ୍ର ମହାବିରୋଡ଼ ଥାନା ଅଧିକାରୀ କାଶୀନାଥ ହାଁସଦାଙ୍କୁ ଦେଇଛନ୍ତି ।ଅଞ୍ଚଳରେ ନୀତିଦିନ ସମସ୍ୟା ରହୁଥିବା ବେଳେ ଅଞ୍ଚଳର ୯ ଟି ପଞ୍ଚାୟତ ମହାବିରୋଡ଼, ଗଡ଼ପଳାଶୁଣି, ଝିଲ୍ଲୀ,କୁଟୁରିଆ, ଚାନ୍ଦପୁର, ବିରିବୋଲେଇ,ପଙ୍ଗାତିରା,, ଘାଗରାମୁଣ୍ଡା,ଦଶୀପୁର ର ଲୋକମାନେ ବିଦ୍ୟୁତ ଜନିତ ସମସ୍ୟା ନେଇ ହନ୍ତସନ୍ତ ହେଉଛନ୍ତି ।ବିଦ୍ୟୁତ ବିନା ବୃଦ୍ଧ, ବୃଦ୍ଧା, ଛୁଟ ଛୁଆ,ରୋଗଣା ବ୍ୟକ୍ତି ଅସହ୍ୟ ଗୁଳୁଗୁଳିରେ ଜୀବନ ଯନ୍ତ୍ରଣା ଭୋଗୁଛନ୍ତି ।ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟ ଓ ଅନ୍ୟାନ୍ୟ ବିଦ୍ୟୁତ ଜନିତ ସେବାରୁ ଲୋକମାନେ ବଞ୍ଚିତ ରହୁଛନ୍ତି ।ମହାବିରୋଡ଼ ବିଦ୍ୟୁତ ସବଷ୍ଟେସନ କାର୍ଯ୍ୟାଳୟରେ ଜଣେ କନିଷ୍ଠ ଯନ୍ତ୍ରୀ ରହିବା ପାଇଁ ନିୟମ ଥିବାବେଳେ ଏଠି ଯନ୍ତ୍ରୀ ରହୁନଥିବା ରୁ ଅଧିକ ସମସ୍ୟା ଦେଖା ଦେଉଥିବା ଅଭିଯୋଗ ହେଉଛି ।ସେହିପରି ମହାବିରୋଡ଼ ଠାରୁ ଚାଇଁପାଳ ଗ୍ରୀଡ଼ ଦୂରତା ୫୦ କିମି ରୁ ଅଧିକ ହେଉଥିବାରୁ ବିଭାଗୀୟ ଗ୍ରୀଡ଼ ମରାମତି ଆଳ ଦେଖାଇ ଅଘୋସିତ ବିଦ୍ୟୁତ କାଟ ହେଉଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଥାନାଧିକାରୀ ବିଦ୍ୟୁତ ବିଭାଗ ଅଧିକାରୀ ଙ୍କ ସହିତ କଥା ହୋଇଥିଲେ । ଆଗାମୀ ଦିନରେ ଏମିତି ବିଦ୍ୟୁତ ସମସ୍ୟା ଦେଖାଦେଲେ ସବଷ୍ଟେସନ ଘେରାଉ କରିବା ସହିତ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି ।ଏହି ଦାବିପତ୍ର ସମୟରେ ଝିଲ୍ଲୀ ସରପଞ୍ଚ ରୋଜାଲୀନ ସାହୁ, ମହାବିରୋଡ଼ ପୂର୍ବତନ ସରପଞ୍ଚ ଉମେଶ ଚନ୍ଦ୍ର ସାହୁ,କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ସଭାପତି ରାଜେଶ କୁମାର ଦେହୁରୀ,ଅଞ୍ଚଳର ଯୁବ ଗୋଷ୍ଠି ପୃଥିରାଜ ସାହୁ,ହୁମାୟୁନ ବିଶ୍ୱାଳ,ମଙ୍ଗରାଜ ସାହୁ,ଦିନେସ କୁମାର ସାହୁ,ଓମ ପ୍ରକାଶ ବିଶ୍ୱାଳ,ସିବାନନ୍ଦ ସାହୁ,ସତ୍ୟବ୍ରତ ବିଶ୍ୱାଳ,ସୂର୍ୟ୍ଯକାନ୍ତ ସାହୁ,ସଞ୍ଜୀବ କୁମାର ନାୟକ,ରାଜେଶ ସାହୁ,ସିପେନ୍ଦ୍ର ସାହୁ,ଅର୍ଜୁନ ସାହୁ ପ୍ରମୁଖ ଦାବିପତ୍ର ଦେବା ସମୟରେ ଉପସ୍ଥିତ ଥିଲେ ।।

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭମାଟି ଅନୁକୂଳ 

ଢେଙ୍କାନାଳ- ଢେଙ୍କାନାଳ ଗଣପର୍ବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଦୁଇ ପ୍ରମୁଖ ପୂଜା ପ୍ରତିଷ୍ଠାନ ଆଜି ପବିତ୍ର ରାଧାଷ୍ଟମୀ ତିଥିରେ ଶୁଭ ମାଟି ଅନୁକୂଳ କରିଛନ୍ତି। ଏହି ଗଜଲକ୍ଷ୍ମୀ ପୂଜାର ଆଦ୍ୟ ପର୍ବ ଶୁଭ ମାଟି ଅନୁକୂଳ ବେଶ ଧୂମଧାମରେ ପାଳନ ହୋଇଯାଇଛି । ଜଗତ ଜନନୀ ମା ମହାଲକ୍ଷ୍ମୀଙ୍କ ମୁଣ୍ମୟୀ ମୂର୍ତି ନିର୍ମାଣ ଲାଗି ଢେଙ୍କାନାଳ ସ‌ହରର ଏକ ପ୍ରମୁଖ ଶ୍ରୀ ଶ୍ରୀ ସୌଭାଗ୍ୟ ଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଗଣେଶ ବଜାର ଓ ମଉଡମଣୀ ପୂଜା ପ୍ରତିଷ୍ଠାନ ମୀନ ବଜାର ଯଥା ରୀତିନୀତି ପୂଜାବିଧ‌ି କରି ବ୍ରାହ୍ମଣୀ ନଦୀ କୂଳରୁ ମାଟି ଅନୁକୂଳ କରି ସହର ମଧ୍ୟରେ ବିରାଟ ଶୋଭାଯାତ୍ରା ରେ ନିଜ ପୂଜାମଣ୍ଡପରେ ଶୁଭ ମାଟି ସ୍ଥାପନ କରିଛନ୍ତି । ଗଣ ପର୍ବ ଲକ୍ଷ୍ମୀପୂଜାର ଆରମ୍ଭ ହେଲା ବୋଲି ସହରବାସୀଙ୍କ ମନରେ ଖୁସିର ଲହରୀ ସୃଷ୍ଟି ହୋଇଛି। ଆଜି ସକାଳ ଶୁଭ ମୁହୂର୍ତ୍ତରେ ଶ୍ରୀ ଶ୍ରୀ ସୌଭାଗ୍ୟ ଲଷ୍ମୀ ପୂଜା ପ୍ରତିଷ୍ଠାନ ଗଣେଶ ବଜାର ସଭାପତି ସଂଜିପି କୁମାର ବେହରା ଓ ସମ୍ପାଦକ ଏମଡି ରଫିକ ଙ୍କ ପ୍ରତାକ୍ଷତତ୍ଵା ବଧାନରେ ପୂଜକ ଆମରରେନ୍ଦ୍ର ରଥଶର୍ମା, ସରୋଜ କୁମାର ଶତପଥି ଯଥାରୀତିନୀତି ରେ ମୁଖ୍ୟ କର୍ତା ଅତୁଲ କୁମାର ନାୟକ ଓ ସୁଶାନ୍ତ କୁମାର ନାୟକ ବ୍ରହ୍ମଣୀ ନଦୀ କାମଗାର ଘାଟ କୂଳରୁ ମାଟି ପୂଜା କରି ମୁଣ୍ମୟୀ ମୂର୍ତି ନିର୍ମାଣ ଲାଗି ମାଟି ଅନୁକୂଳ କରି ଦୁଇ ପୂଜା ପ୍ରତିଷ୍ଠିନର ସଦସ୍ୟ ଓ ସାହି ବାସିନ୍ଦା ଘଣ୍ଟ ଘଣ୍ଟା, ଖୋଳ ସଂକୀର୍ତନ କରି ବିରାଟ ଶୋଭାଯାତ୍ରାରେ ନିଜ ନିଜ ପୂଜା ଅସ୍ଥାନକୁ ଆଣିଛନ୍ତି l ଏହି ଶୋଭାଯାତ୍ରା ରେ ନିଜ ନିଜ ବଜାର ର ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ।

ଗଡ଼ଜାତ ଗାନ୍ଧି ସାରଙ୍ଗଧର ଦାସଙ୍କ ୬୯ତମ ଶ୍ରାଦ୍ଧ ଦିବସ ରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ “ଗଡ଼ଜାତ ଗାନ୍ଧି ସ୍ମୃତି ସୁରକ୍ଷା ସମ୍ମାନ”

ଢେଙ୍କାନାଳ -ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗଡ଼ଜାତ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ୱ ଗଡ଼ଜାତ ଗାନ୍ଧି ସାରଙ୍ଗଧର ଦାସଙ୍କ ୬୯ତମ ଶ୍ରାଦ୍ଧ ଦିବସ ଗତ ୧୮ ସେପ୍ଟେମ୍ବର ୨୦୨୬ ସନ୍ଧ୍ୟାରେ ରାଜ୍ୟ ସଂସ୍କୃତି ଭବନ ଅଡିଟୋରିଅମ୍, ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଛି।

ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାରଙ୍ଗଧର ଫାଉଣ୍ଡେସନ୍, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସ୍ମୃତିଚାରଣ ସଭାରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଶଶିକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଡ଼ଜାତ ଗାନ୍ଧି ସାରଙ୍ଗଧର ଦାସଙ୍କ ଜୀବନ, ଆଦର୍ଶ ଓ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।

ସଭାର ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାମ୍ବାଦିକ ତଥା ଦୈନିକ ସୁବାର୍ତ୍ତାର ସମ୍ପାଦକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ ସାରଙ୍ଗଧର ଦାସଙ୍କ ଆଦର୍ଶ, ଗଡ଼ଜାତ ଆନ୍ଦୋଳନରେ ତାଙ୍କ ଭୂମିକା ଏବଂ ଓଡ଼ିଶାର ସାମାଜିକ ଓ ରାଜନୈତିକ ଇତିହାସରେ ତାଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ସାରଙ୍ଗଧର ଦାସ ପ୍ରଥମ ଓଡ଼ିଆ ଭାବେ ଆମେରିକା ଯାଇ ରସାୟନ ଶିଳ୍ପ ସମ୍ପର୍କରେ ଅଧ୍ୟୟନ କରିଥିଲେ ଏବଂ ତାଙ୍କ ଜ୍ଞାନକୁ ଢେଙ୍କାନାଳ ମାଟିରେ ପ୍ରୟୋଗ କରିବା ପାଇଁ ଉଦ୍ୟମ କରିଥିବା ସେ ଉଲ୍ଲେଖ କରିଥିଲେ। ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀଙ୍କ ପରାମର୍ଶରେ ସେ ଗଡ଼ଜାତ ଆନ୍ଦୋଳନରେ ସକ୍ରିୟ ଭାବେ ଯୋଗଦେଇଥିଲେ।

ଏହି ଅବସରରେ ବିଶିଷ୍ଟ ଲେଖକ ଡ. ସଂଗ୍ରାମ ଜେନାଙ୍କ ରଚିତ “ସଂଗ୍ରାମୀ ସାରଙ୍ଗଧର” ପୁସ୍ତକକୁ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଶଶିକାନ୍ତ ମିଶ୍ର ଉନ୍ମୋଚନ କରିଥିଲେ।

ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ବାଇସିଆଁ ଗ୍ରାମର ସମାଜସେବୀ ଶ୍ରୀ ଅନ୍ନଦା ପ୍ରସାଦ ପତି ଯୋଗଦେଇ ସାରଙ୍ଗଧର ଦାସଙ୍କ ସହିତ ତାଙ୍କର କିଛି ସମୟର ସହଯୋଗୀ ଅନୁଭୂତି ସମ୍ପର୍କରେ କହିଥିଲେ। ସାରଙ୍ଗଧର ଦାସ ତାଙ୍କ ଜୀବନର ଶେଷ ପର୍ଯ୍ୟାୟରେ ନିଜ ସମ୍ପତ୍ତିକୁ ଟ୍ରଷ୍ଟ ମାଧ୍ୟମରେ ସମାଜର ଉପକାର ପାଇଁ ଉତ୍ସର୍ଗ କରିଥିବା ଏବଂ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ତାହାର ଆୟ ବ୍ୟବହାର କରିବାକୁ ଇଚ୍ଛାପତ୍ରରେ ଉଲ୍ଲେଖ କରିଥିବା ସେ ପ୍ରକାଶ କରିଥିଲେ। ଏହି ଟ୍ରଷ୍ଟର ପୁନର୍ଗଠନ ପାଇଁ ସେ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ ଜଣାଇଥିଲେ।

ନବୀନ ନନ୍ଦଙ୍କୁ “ସ୍ମୃତି ସୁରକ୍ଷା ସମ୍ମାନ”

ସଭାର ଶେଷ ପର୍ଯ୍ୟାୟରେ ଢେଙ୍କାନାଳର ପୂର୍ବତନ ବିଧାୟକ ଶ୍ରୀ ନବୀନ ନନ୍ଦଙ୍କୁ ଗଡ଼ଜାତ ଗାନ୍ଧି ସାରଙ୍ଗଧର ସ୍ମୃତି ସୁରକ୍ଷା ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଗଡ଼ଜାତ ଗାନ୍ଧି ସାରଙ୍ଗଧର ଦାସଙ୍କ ଜନ୍ମଜୟନ୍ତୀ ଓ ଶ୍ରାଦ୍ଧ ଦିବସକୁ ସରକାରୀ ସ୍ତରରେ ପାଳନ କରିବା ପାଇଁ ଶ୍ରୀ ନବୀନ ନନ୍ଦଙ୍କ ଦୀର୍ଘଦିନର ଉଦ୍ୟମ ଏବଂ ତାଙ୍କ ପ୍ରଚେଷ୍ଟାରେ ଗତ ବର୍ଷ ରାଜ୍ୟସ୍ତରୀୟ ଜନ୍ମଜୟନ୍ତୀ ଓ ଚଳିତ ବର୍ଷ ପ୍ରଥମ ଥର ପାଇଁ ସରକାରୀ ସ୍ତରରେ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳନ ହୋଇଥିବା ପରିପ୍ରେକ୍ଷୀରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା।

ଏଥିସହିତ କଟକ ସତୀଚୌରାଠାରେ ସାରଙ୍ଗଧର ଦାସଙ୍କ ସମାଧି ନିକଟରେ ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବ୍ୟକ୍ତିଗତ ଉଦ୍ୟମରେ ତାଙ୍କ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆୟୋଜନ କରିଆସୁଥିବା ଡ. ରବିରଞ୍ଜନ ସାହୁଙ୍କୁ ମଧ୍ୟ ଗଡ଼ଜାତ ଗାନ୍ଧି ସ୍ମୃତି ସମ୍ମାନରେ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଶଶିକାନ୍ତ ମିଶ୍ର ସମ୍ମାନିତ କରିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଡ. ଚନ୍ଦ୍ରଶେଖର ହୋତା ସଭାରେ ସଭାପତିତ୍ୱ କରିଥିବାବେଳେ ସାରଙ୍ଗଧର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ଆଇଚ୍ ସଭା ପରିଚାଳନା କରିଥିଲେ।

ସଭାରେ ସାରଙ୍ଗଧର ଦାସଙ୍କ ଜନ୍ମସ୍ଥାନ ଢେଙ୍କାନାଳ ସଦର ବ୍ଲକ୍‌ର ହରେକୃଷ୍ଣପୁର ଗ୍ରାମର ଚିତ୍ତରଞ୍ଜନ ପୁହାଣ, ବିଶ୍ୱଜିତ୍ ସ୍ୱାଇଁଙ୍କ ସମେତ ୫୦ରୁ ଅଧିକ ସାରଙ୍ଗଧର ପ୍ରେମୀ ଯୋଗଦେଇଥିଲେ। ପ୍ରାକ୍ତନ ପ୍ରଶାସକ ତଥା ଢେଙ୍କାନାଳର ବିଶିଷ୍ଟ ଲେଖକ ଶ୍ରୀ ସନାତନ ମଲ୍ଲିକ, ଡ. ରଜନୀକାନ୍ତ ତରାଇ, ବରିଷ୍ଠ ଆଇନଜୀବୀ ଶ୍ରୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ବିଶ୍ୱଜିତ୍ ଅର୍ଜେନ୍ଦୁ ଜେନା, ସୁବ୍ରତ ନନ୍ଦ, ଶେଷାନନ୍ଦ ମିଶ୍ର, ଟଙ୍କଧର ବାରିକ, ଶେଷଦେବ ରାଉତ, ଯୁଗଳ ନାୟକ, ରଶ୍ମିତା ବେହେରା, ଭୁବନାନନ୍ଦ ମିଶ୍ର, ପ୍ରାକ୍ତନ ମନରେଗା ଲୋକପାଳ ଶ୍ରୀ ଅମରେନ୍ଦ୍ର ମଲ୍ଲ, ସମାଜସେବୀ ଲମ୍ବୋଦର ପରିଡ଼ା, ଅସିତ୍ ମହାନ୍ତି ଏବଂ ଢେଙ୍କାନାଳ-ଅନୁଗୁଳ କଲ୍ଚରାଲ୍ ଆସୋସିଏସନ୍‌ର ସମ୍ପାଦକ ଶ୍ରୀ କିଶୋର ମିଶ୍ରଙ୍କ ସମେତ ଶତାଧିକ କର୍ମକର୍ତ୍ତା ଓ ସାରଙ୍ଗଧରପ୍ରେମୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ସେନା କର୍ମଚାରୀଙ୍କର ଅକାଳ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ 

ଢେଙ୍କାନାଳ -ଗଁଦିଆ ଥାନା ଅନ୍ତର୍ଗତ ପୋରହଖୋଜ ଗ୍ରାମର ସେନାରେ କାର୍ଯ୍ୟରତ ତାରିଣୀସେନ ସାହୁ ଙ୍କର ପୁଅ ତପନ କୁମାର ସାହୁ ଙ୍କର ଅକାଳ ବିୟୋଗରେ ଉକ୍ତ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ସୂଚନାରୁ ଜଣାଯାଏ ଜେ ମୃତ ସେନା କର୍ମଚାରୀ ତପନ ପଞ୍ଜାବ ପ୍ରଦେଶର ପଠାଣ କୋଟ ଠାରେ ଜଣେ ସିପାହୀ ଭାବରେ କାର୍ଯ୍ୟରତ ଥିଲେ ତାଙ୍କର ହଟାତ ସ୍ୱାସ୍ଥ୍ୟ ଖରାପ ହେବାରୁ ସେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ 17ତାରିଖ ଦିନ ହୋଇଥିଲା ଓ ଉକ୍ତ ଖବର ବିଭାଗ ପକ୍ଷରୁ ତାଙ୍କ ପରିବାର ଙ୍କୁ ପ୍ରଥମେ ଜଣାଇଦିଆ ଯାଇଥିଲା ପଠାନକୋଟରେ ତାଙ୍କର ମର ଶରୀର ଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ଓଡିଶା କୁ ଏକ ବିମାନ ଯୋଗେ ଅଣାଯାଇଥିଲା ସେଠାରେ ଗାର୍ଡ ଅଫ ଅନର ଦିଆଯିବ ଯିବା ସହି ସେନା ବାହିନୀର ଆଜି ସ୍ୱତନ୍ତ୍ର ଭ୍ୟାନ ଯୋଗେ ତାଙ୍କର ନିଜସ୍ୱ ଗ୍ରାମକୁ ଅଣାଯାଇଥିଲା ସେଠାରେ ପ୍ରଶାସନ ପକ୍ଷରୁ ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ବେହେରା, ତହସିଲଦାର ସତ୍ୟଜିତ ମହାପାତ୍ର, ଗଁଦିଆ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ଦଳେଇ ଙ୍କ ସମେତ ଅନେକ ସ୍ଥାନୀୟ ନେତୃବୃନ୍ଦ ଓ ମାନ୍ୟଗଣ୍ୟ ବ୍ୟକ୍ତି ଜନସାଧାରଣ ଉପସ୍ଥିତ ରହି ତାଙ୍କର ମର ଶରୀରରେ ପୁଷ୍ପ ଗୁଚ୍ଛ ପ୍ରଦାନ ଶହ ଶେଷ ଦର୍ଶନ କରିଥିଲେ ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକରେ ସତନ୍ତ୍ର ଉନ୍ନୟନ ପରିଷଦର ବିଭିନ୍ନ ପ୍ରକଳ୍ପ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ଦ୍ଵାରା ଶୁଭାରମ୍ଭ

Sunil Chandra Nayak

ଶ୍ରୀ ବ୍ରଜ ମୋହନ ଶ୍ରୀ ରାଧାକୃଷ୍ଣ ମନ୍ଦିରର ବର୍ଷୀୟାନ ପୁର୍ବତନ ପୂଜକ ରାମକୃଷ୍ଣ ମୁଣ୍ଡ ଙ୍କ ପରଲୋକ

Sunil Chandra Nayak

ଖାଦ୍ୟ ଅନ୍ୱେଷଣ ରେ ଆସି ପରିତ୍ୟକ୍ତ କୂଅରେ ପଡିଲା ଭାଲୁ, ଅକ୍ଷତ ଅବସ୍ଥାରେ ଭାଲୁ ଉଦ୍ଧାର କଲେ ବନ କର୍ମଚାରୀ

Leave a Comment

error: Content is protected !!