ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ, ୨- କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ ପ୍ରସବ ପରେ ପ୍ରାଣ ହରାଇଲେ ମା’, ନବଜାତକୁ ଛାଡ଼ିଗଲେ ଆଦ୍ୟାଶା

କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

କନ୍ଧମାଳ , ତା, ୨୬/୦୯:(ମନିସ): ଗଞ୍ଜାମ-କନ୍ଧମାଳକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ କଳିଙ୍ଗା ଘାଟି ଏବେ ଭୂସ୍ଖଳନର ଗୁରୁତର ଝୁମ୍ପରେ। ଗତ କିଛିଦିନ ମଧ୍ୟରେ ଘାଟିରେ ଦୁଇ ଦୁଇଥର ଭୂସ୍ଖଳନ ହେବା ପରେ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଗଞ୍ଜାମ ସମେତ ବ୍ରହ୍ମପୁର ଓ ଅନ୍ୟ ଜିଲ୍ଲା ସହ କନ୍ଧମାଳର ସିଧାସଳଖ ଯୋଗାଯୋଗ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ଚାରିଦିନ ଧରି କଳିଙ୍ଗା ଘାଟି ସିଲ୍ ରହିଥିବାରୁ ଘାଟି କେବେ ଖୋଲିବ, ତାହାକୁ ନେଇ ଯାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଅନିଶ୍ଚିତତା ଲାଗିରହିଛି। ଏଭଳି ସ୍ଥିତିରେ ଘାଟିର ଭୂସ୍ଖଳନ ସ୍ଥାନଗୁଡ଼ିକର ତୁରନ୍ତ ମରାମତି ସହ ଏକ ସ୍ଥାୟୀ ବିକଳ୍ପ ରାସ୍ତା ନିର୍ମାଣ ନେଇ ସରକାରୀ ଓ ରାଜନୈତିକ ସ୍ତରରେ ତତ୍ପରତା ଆରମ୍ଭ ହୋଇଛି। ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଞ୍ଜାମ ଜିଲ୍ଲା ପ୍ରଶାସନ, ଜି.ଉଦୟଗିରି ଓ ଭଞ୍ଜନଗର ପ୍ରଶାସନିକ ଅଧିକାରୀ ଏବଂ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀଙ୍କ ସହ କଳିଙ୍ଗା ଘାଟିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମନ୍ତ୍ରୀ ଓ ଅଧିକାରୀମାନେ ପାଦରେ ଚାଲି ଭୂସ୍ଖଳନର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ରାସ୍ତାର ବର୍ତ୍ତମାନ ସ୍ଥିତି ଯାଞ୍ଚ କରିଥିଲେ। ବିଶେଷକରି ଭାଲିଆପଟା ରାସ୍ତା ଦେଇ ବିକଳ୍ପ ଯୋଗାଯୋଗ ପଥ ନିର୍ମାଣ କରିବାର ସମ୍ଭାବନା ନେଇ ଅଧିକାରୀମାନେ ସ୍ଥିତି ପରଖିଥିଲେ। ଯଥାଶୀଘ୍ର ବିକଳ୍ପ ରାସ୍ତା ନିର୍ମାଣ ସହ ଭୂସ୍ଖଳନ ଯୋଗୁଁ କ୍ଷତିଗ୍ରସ୍ତ ଅଂଶର ମରାମତି କରି ଯାତାୟାତ ସ୍ୱାଭାବିକ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବର୍ତ୍ତମାନ କଳିଙ୍ଗା ଘାଟି ବନ୍ଦ ଥିବାରୁ କନ୍ଧମାଳ ପଟୁ ବ୍ରହ୍ମପୁର ଯିବା ପାଇଁ ଚକାପାଦ ଓ ଗ୍ୟାଲେରୀ ରାସ୍ତା ବ୍ୟବହାର କରାଯାଉଛି। ଏହି ବିକଳ୍ପ ରାସ୍ତା ମଧ୍ୟ ଅନେକ ସ୍ଥାନରେ ଅନୁପଯୁକ୍ତ ଥିବା ବେଳେ ପୂର୍ବପେକ୍ଷା ପ୍ରାୟ ୬୦ କିଲୋମିଟର ଅଧିକ ଦୂରତା ଅତିକ୍ରମ କରିବାକୁ ପଡ଼ୁଛି। ଫଳରେ ଯାତ୍ରୀବାହୀ ବସ୍‌ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଜରୁରୀ ଯାତାୟାତ ମଧ୍ୟ ପ୍ରଭାବିତ ହେଉଛି। ଅନ୍ୟପକ୍ଷରେ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ କୁମାର ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘାଟିର ସ୍ଥିତି ସମୀକ୍ଷା କରିବା ସହ ଯଥାଶୀଘ୍ର ରାସ୍ତା ନିର୍ମାଣ ଓ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଦାବି କରିଛନ୍ତି।

କଳିଙ୍ଗା ଘାଟିରେ କେଉଁଠି ପାହାଡ଼ରୁ ଅତଡ଼ା ଖସି ଗାର୍ଡୱାଲ୍ ଭାଙ୍ଗିଛି, ତ ଆଉ କେଉଁଠି ବଡ଼ ବଡ଼ ପଥର ଖସି ରାସ୍ତା ଅବରୋଧ ହୋଇଛି। ବର୍ଷା ଜାରି ରହିଲେ ପୁଣି ଭୂସ୍ଖଳନ ଆଶଙ୍କା ଥିବାରୁ କେବଳ ଅସ୍ଥାୟୀ ମରାମତି ନୁହେଁ, କଳିଙ୍ଗା ଘାଟିର ଦୀର୍ଘମିଆଦୀ ସୁରକ୍ଷା ଓ ବିକଳ୍ପ ଯୋଗାଯୋଗ ପଥ ନେଇ ସ୍ଥାୟୀ ସମାଧାନ ଆବଶ୍ୟକ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି।

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

ପ୍ରସବ ପରେ ପ୍ରାଣ ହରାଇଲେ ମା’, ନବଜାତକୁ ଛାଡ଼ିଗଲେ ଆଦ୍ୟାଶା

ବାଲିଗୁଡ଼ା, ତା, ୨୬/୦୯: (ମନିସ): କନ୍ୟା ସନ୍ତାନର ଆଗମନରେ ପରିବାରରେ ଖେଳିବାକୁ ଥିଲା ଖୁସିର ମାହୋଲ। ହେଲେ ଖୁସିର ସେହି କ୍ଷଣ ପରିଣତ ହେଲା ଶୋକରେ। ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରସବ ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ନବଜାତ କନ୍ୟା ସନ୍ତାନଟି ମା’କୁ ହରାଇଥିବା ବେଳେ ପରିବାର ଉପରେ ଭାଙ୍ଗିପଡ଼ିଛି ଦୁଃଖର ପାହାଡ଼।

ମୃତ ମହିଳା ଜଣକ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ଗ୍ରାମର ଆଦ୍ୟାଶା ବେହେରଦଳାଇ। ସୂଚନା ଅନୁଯାୟୀ, ଶନିବାର ସକାଳେ ପ୍ରସବ ବେଦନା ହେବାରୁ ପରିବାର ଲୋକ ଓ ଆଶାକର୍ମୀଙ୍କ ସହ ଅଟୋ ଯୋଗେ ଆଦ୍ୟାଶା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ। ଚିକିତ୍ସାଳୟରେ ପ୍ରସବ ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

ତେବେ ଶିଶୁକୁ ଜନ୍ମ ଦେବା ପରେ ଆଦ୍ୟାଶା ଚେତାଶୂନ୍ୟ ହୋଇପଡ଼ିଥିଲେ। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ମା’ଙ୍କ ମୃତ୍ୟୁ ପରେ ନବଜାତ ଶିଶୁଟି ଚିକିତ୍ସାଳୟରେ ରହିଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି। ତେବେ ପ୍ରସବ ପରେ ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ତାହା ଚିକିତ୍ସା ସମ୍ବନ୍ଧୀୟ ତଦନ୍ତ ପରେ ସ୍ପଷ୍ଟ ହେବ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର )-୨୦୨୬ ଅଧୀନରେ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ମୋଟ ଭୋଟର ସଂଖ୍ୟା ୨, ୧୧, ୪୯୮

Sunil Chandra Nayak

ପୋଲିସ ର ସାଇବର କ୍ରାଇମ୍ ସଚେତନ କାର୍ଯ୍ୟକ୍ରମ

masiha

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ ପରିସରରେ ୦ ରୁ ୬ ଵର୍ଷୀୟ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ,ମନେରେଗାରେ ଦିଵ୍ଯାଙ୍ଗମାନଙ୍କୁ ଯୋଗଦାନ ଏବଂ ମିଶନ କ୍ଷମତା ମାଧ୍ୟମରେ ଏସେସଜି ମାନଙ୍କୁ ସଶକ୍ତ ଏବଂ ଜୀବନଜୀବିକା ସମ୍ବନ୍ଧୀୟ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!