ରତନା ଙ୍କ ପରିବାର ଦୁଃଖ ଶୁଣିଲେ ବିଧାୟକ
ଝରିଗାଁ, ୨୭/୯: ଲଗାଣ ବର୍ଷା ମଧ୍ୟରେ ବାସହୀନ ଅବସ୍ଥାରେ ଚାକୁଣ୍ଡା ଗଛ ମୂଳରେ ଜରିପାଲ ଟାଣି ଦିନ କାଟୁଥିବା ଏକ ନିଃସହାୟ ପରିବାର ପାଖରେ ପହଞ୍ଚି ତାଙ୍କ ଦୁଃଖ ଶୁଣିଛନ୍ତି ଝରିଗାଁ ବିଧାୟକ ନରସିଂହ ଭତ୍ରା।
ଝରିଗାଁ ବ୍ଲକ ତାଲିଅମ୍ବା ଗ୍ରାମରେ ବାସହୀନ ରତନା ଭତ୍ରା ନିଜର ବିଧବା ଝିଅ ଓ ଦୃଷ୍ଟିହୀନ ପୁଅଙ୍କୁ ସାଙ୍ଗରେ ନେଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ କାଟୁଥିବା ଖବର ପାଇ ବିଧାୟକ ତାଙ୍କ ନିକଟରେ ପହଞ୍ଚିଥିଲେ। ପରିବାରର ଜୀବିକା କହିଲେ ପେନସନରୁ ମିଳୁଥିବା ଟଙ୍କା ଓ ଚାଉଳ ଉପରେ ନିର୍ଭରଶୀଳ ବୋଲି ରତନା ବିଧାୟକଙ୍କୁ ଜଣାଇଥିଲେ।
ଲଗାଣ ବର୍ଷା ସମୟରେ ମୁଣ୍ଡ ଗୁଞ୍ଜିବାକୁ ଘର ନଥିବାରୁ ପରିବାରଟି ଯେଉଁ ଦୁର୍ଦ୍ଦଶା , ତାହା ଦେଖି ବିଧାୟକ ଦୁଃଖ ପ୍ରକାଶ କରିଥିଲେ। ପରିବାରର ସମସ୍ତ ସମସ୍ୟା ବୁଝିବା ସହ ଯଥାଶୀଘ୍ର ଜାଗା ଯୋଗାଇଦେବା ଏବଂ ଅନ୍ତୋଦୟ ଗୃହ ଯୋଜନାରେ ଘର ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।
ଏଥିସହ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରାଇ ପେନସନ ଓ ପରିବାରର ସମସ୍ତ ସଦସ୍ୟଙ୍କୁ ରାସନ ସୁବିଧା ଯୋଗାଇଦେବା ନେଇ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ପରିବାରକୁ ଲୁଗା, କମ୍ବଳ ସହ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ।
ଝରିଗାଁ ଅଞ୍ଚଳରେ ବିଭିନ୍ନ ଆବାସ ଯୋଜନାରେ ଘର ମିଳୁଥିବା ସତ୍ତ୍ୱେ ରତନାଙ୍କ ଭଳି ଯୋଗ୍ୟ ପରିବାର କିପରି ବାଦ ପଡ଼ିଲେ, ତାହା ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାକୁ ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଥିଲେ।ସରକାରୀ ଯୋଜନା କେବଳ କାଗଜରେ ସୀମିତ ନରହି ଯୋଗ୍ୟ ଲୋକଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ ବୋଲି ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଗଣେଶ ଛତ୍ରିଆ ଙ୍କ ରିପୋର୍ଟ ମସିହା ନିୟୁଜ

