ଶ୍ରୀମଦ୍ ଭଗବତ୍ ଗୀତାର ଦ୍ବାଦଶ ଅଧ୍ଯାୟର ସାରକଥା-୧୨
ଭଗବାନ ଶ୍ରୀକୃଷ୍ଣ ଏକାଦଶ ଅଧ୍ଯାୟରେ ବ୍ଯକ୍ତ ଭଗବାନଙ୍କ ଉପାସନା କରିବାକୁ ଅର୍ଜୁନ ନିଜର ସନ୍ଦେହ ମୋଚନ ନିମିତ୍ତ ଦ୍ବାଦଶ ଅଧ୍ଯାୟ ଆରମ୍ଭରେ ବ୍ଯକ୍ତ ଓ ଅବ୍ଯକ୍ତ ବ୍ରହ୍ମଙ୍କ ଉପାସକଙ୍କ ମଧ୍ଯରେ ଶ୍ରେଷ୍ଠ କିଏ ପଚାରିଲେ । ଭଗବାନଙ୍କ ଉତ୍ତର ହେଲା- ଅବ୍ଯକ୍ତ ବ୍ରହ୍ମଙ୍କ ଉପାସକ ଓ ବ୍ଯକ୍ତ ଉପାସକ ଉଭୟେ ମୋକ୍ଷର ଅଧିକାରୀ । ହେଲେହେଁ , ଅବ୍ଯକ୍ତ ଉପାସନା ଅଧିକ କ୍ଲେଶଦାୟକ । ଦେହାଭିମାନ ଦୂରହେବା ସହଜ କଥା ନୁହେଁ । ଏଣୁ ଦେହଧାରୀ ବ୍ଯକ୍ତି ମନରେ ଅବ୍ଯକ୍ତ ବ୍ରହ୍ମଙ୍କ ଧାରଣା ଜନ୍ମିବା ବହୁ ସମୟ ସାପେକ୍ଷ । ନିଷ୍କାମ କର୍ମଯୋଗୀମାନେ ଭକ୍ତିରେ ବ୍ଯକ୍ତ ଭଗବାନଙ୍କ ଶରଣାଗତ ହୋଇ ସମସ୍ତ କର୍ମ ଓ କର୍ମଫଳ ତାଙ୍କଠାରେ ସମର୍ପଣ କରି ଶୀଘ୍ର ମୁକ୍ତିଲାଭ କରିଥାନ୍ତି । ସ୍ବଭାବ ଚଞ୍ଚଳ ମନକୁ ଭଗବାନଙ୍କ ଚରଣାର ବିନ୍ଦରେ ସ୍ଥିର ରଖିବା ମଧ୍ଯ ସହଜ ନୁହେଁ । ଅଭ୍ଯାସ ଦ୍ବାରା ମନ ଏକାଗ୍ର ହୁଏ । ଯଦି ଅଭ୍ଯାସ ଦ୍ବାରା ମନକୁ ସ୍ଥିର ରଖିବା ସମ୍ଭବ ନ ହୁଏ ତେବେ ଭଗବାନଙ୍କ ଶରଣାପନ୍ନ ହୋଇ ସମସ୍ତ କର୍ମ ଓ କର୍ମଫଳ ତାଙ୍କୁ ସମର୍ପଣ କରିବା ଉଚିତ୍ । ଅଭ୍ଯାସ ଠାରୁ ଭଗବତ୍ ଜ୍ଞାନ ଶ୍ରେଷ୍ଠ , ଜ୍ଞାନ ଠାରୁ ଭଗବତ୍ ଧ୍ଯାନ ଶ୍ରେଷ୍ଠ ଏବଂ ଧ୍ଯାନ ଠାରୁ କର୍ମଫଳତ୍ଯାଗ ଶ୍ରେଷ୍ଠ ଅଟେ ।
ଯେ ପ୍ରକୃତ ଭକ୍ତ ସେ କୌଣସି ଜୀବଙ୍କୁ ଦ୍ବେଷ କରନ୍ତି ନାହିଁ । ସେ ସମସ୍ତଙ୍କ ସହିତ ମୈତ୍ରୀପୂର୍ଣ୍ଣ , ଦାୟାର୍ଦ୍ର , କ୍ଷମାଶୀଳ , ମମତାହୀନ , ଅଂହକାର ଶୂନ୍ଯଭାବ ରଖି ଦୁଃଖସୁଖକୁ ସମାନ ମନେକରି ଚଳନ୍ତି । ଯେଉଁ ଭକ୍ତ ସର୍ବଦା ସନ୍ତୁଷ୍ଟ , ସଂଯତଚିତ , ଭଗବତ୍ ଜ୍ଞାନ ଓ ଧାରଣାରେ ଦୃଢ ଓ ଅଟା , ଭଗବାନ ଙ୍କଠାରେ ମନ ଓ ବୁଦ୍ଧି ସମର୍ପଣ କରି ହର୍ଷ , ଅମର୍ଷ , ଭୟର ଉଦବେଗରୁ ମୁକ୍ତ , ନିସ୍ପୃହ , ନିରଳସ , ଉଦାସୀନ , ସର୍ବାରମ୍ଭପରିତ୍ଯାଗୀ ଶୋକଶୂନ୍ଯ , ଆକାଙ୍କ୍ଷା ରହିତ , ଶୁଭାଶୁଭ ପରିତ୍ଯାଗୀ ଶତ୍ରୁମୁନି ମାନାପମାନ ନିନ୍ଦାସ୍ତୁତି ପ୍ରଭୃତିରେ ସମବୁଦ୍ଧି ବିଶିଷ୍ଟ , ମୌନୀ , ଗୃହରେ ମମତା ଶୂନ୍ଯ , ସ୍ଥିରମତି ସେ ଭଗବାନଙ୍କର ଅତ୍ଯନ୍ତ ପ୍ରିୟ ଅଟନ୍ତି । ଏହାକୁ ଭଗବାନ ଶ୍ରୀକୃଷ୍ଣ ଧର୍ମାମୃତ ବୋଲି କହିଛନ୍ତି ।
ଏ ଅଧ୍ଯାୟରେ ବର୍ଣ୍ଣିତ ଭକ୍ତଲକ୍ଷଣ ସନ୍ନ୍ଯାସୀମାନଙ୍କ ପ୍ରତି ପ୍ରଯୁଜ୍ଯ ବୋଲି କେତେକଙ୍କ ଦାବୀ ଯୁକ୍ତିଯୁକ୍ତ ମନେହୁଏ ନାହିଁ । କାରଣ ଗୃହସ୍ଥ ଅର୍ଜୁନଙ୍କୁ ସନ୍ନ୍ଯାସ ଗ୍ରହଣରୁ ନିବର୍ତ୍ତାଇବା ହେଉଛି ଭଗବାନଙ୍କ ଲକ୍ଷ୍ୟ । ତେଣୁ ସେ ଯାହା କହିଛନ୍ତି ବା ଉପଦେଶ ଦେଇଛନ୍ତି ସେ ସବୁ ନିଷ୍କାମ କର୍ମଯୋଗୀଙ୍କ ପାଇଁ ଉଦିଷ୍ଟ । ଭକ୍ତିର ସହିତ ବ୍ଯକ୍ତ ଭଗବାନଙ୍କର ଉପାସନା ସହଜ ଓ ସରଳ ହୋଇଥିବାରୁ ଯେ କୌଣସି ମନୁଷ୍ୟ ପକ୍ଷରେ ଗ୍ରହଣୀୟ । ଧୀରେ ଧୀରେ ସେହି ପଥରେ ଅଗ୍ରସର ହୋଇ ଶେଷରେ ଜଣେ ମୁକ୍ତିଲାଭ କରିପାରେ ବୋଲି ଭଗବାନ ଶ୍ରୀକୃଷ୍ଣଙ୍କ ମତ । କର୍ମତ୍ଯାଗ କୁ ସେ ପସନ୍ଦ କରି ନାହାନ୍ତି ।
ଭକ୍ତିର ବିଶେଷ ବର୍ଣ୍ଣନା ଏ ଅଧ୍ଯାୟରେ ସ୍ଥାନ ପାଇଥିବାରୁ ଅଧ୍ଯାୟର ନାମ ଭକ୍ତିଯୋଗ ରଖାଯାଇଅଛି ।