ଦୁଇ କୋଠରୀରେ ଛଅ ଶ୍ରେଣୀ ,ସମସ୍ୟା ରେ ସନ୍ତୁଳିତ ତାଳପାଟଣା ବିଦ୍ୟାଳୟ
ଆସିକା, ୫/୧୦/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ମୁଣ୍ଡମରାଇ କ୍ଲଷ୍ଟର ର ତାଳପାଟଣା ପ୍ରାଥମିକ ବିଦ୍ୟାଳୟ ଏବେ ବିଭିନ୍ନ ସମସ୍ୟାରେ ସନ୍ତୁଳିତ ହୋଇ ଚାଲିଛି । 1987 ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ରେ ରହିଛି ଦୁଇଟି ଶ୍ରେଣୀ ଗୃହ । ଯେଉଁଥିରେ ପ୍ରଥମ ଶ୍ରେଣୀରେ 9 ଜଣ,ଦ୍ୱିତୀୟ ରେ 6 ଜଣ, ତୃତୀୟରେ 16 ଜଣ,ଚତୁର୍ଥ ରେ 12 ଜଣ,ପଞ୍ଚମ ରେ 7 ଜଣ ଓ ବାଲବାଟିକା ରେ 7 ଜଣ ଛାତ୍ର ଛାତ୍ରୀ ପଢୁଛନ୍ତି । ଦୁଇଟି କକ୍ଷରେ ଛଅଟି ଶ୍ରେଣୀର ପିଲା କିପରି ପଢୁଥିବେ ତାହା ସହଜରେ ଅନୁମେୟ। 57 ପିଲାଙ୍କ ପାଠ ପଢା ପାଇଁ ପ୍ରଧାନ ଶିକ୍ଷୟତ୍ରୀ ଜେ. ତୁଳସୀ ଆଚାରୀ ଓ ପ୍ରିୟଙ୍କା ମଲିକ ନାମକ ଦୁଇଜଣ ଶିକ୍ଷୟତ୍ରୀ ନିୟୋଜିତ ରହିଛନ୍ତି।ଆବଶ୍ୟକ ଶ୍ରେଣି ଗୃହ ଅଭାବ ଯୋଗୁଁ ବେଳେବେଳେ ପିଲାଏ ବାରଣ୍ଡା ରେ ପଢୁଛନ୍ତି । ପୂର୍ବ ପଟରେ ପାଚେରୀ ରହିଥିବା ବେଳେ ତିନି ପଟେ ପାଚେରୀ ନାହିଁ । ରୋଷେଇ ଘରେ ଚିମିନି ନାହିଁ ଏଣୁ ଧୂଆଁ ସବୁ ଉପରକୁ ଯିବା ବଦଳରେ ଶ୍ରେଣୀ ଗୃହରେ ପଶୁଛି । ଧୂଆଁ ବାଜି ପିଲାଏ ଅଣନିଶ୍ୱାସୀ ହୋଇ ପଡୁଛନ୍ତି । ରୋଷେଇ ଘର ଫ୍ଲୋରିଁ ଦବି ଯାଇଥିବା ବେଳେ ବିଦ୍ୟାଳୟର ପ୍ରବେଶ ପଥ ଉପର ତାଜା ଫାଟି ଆଁ କଲାଣି।ଶିକ୍ଷୟତ୍ରୀ ଓ ପିଲାଙ୍କ ପାଇଁ ଶୌଚାଳୟ ଟିଏ ନାହିଁ । ଉତ୍ତର ଦିଗକୁ ଅନତି ଦୁରରେ ଋଷିକୁଲ୍ୟା ନଦୀ ପ୍ରବାହିତ ହେଉଛି। ଯାହାକି ବିପଦକୁ ହାତ ଠାରି ଡାକିଲା ଭଳି । ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଏ ବି ଇ ଓ ସୌରୀ ଶଙ୍କର ବେହେରା ଙ୍କ ସହ ଯୋଗାଯୋଗ ବେଳେ ଗତ ବ୍ଲକ ସ୍ତରୀୟ ଜନ ଶୁଣାଣୀ ରେ ତାଳ ପାଟଣା ବିଦ୍ୟାଳୟର ସମସ୍ତ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ ଦାଖଲ ହୋଇଛି,ବ୍ଲକ ପ୍ରଶାସନ ପକ୍ଷରୁ ଯାହା ପଦକ୍ଷେପ ନିଆଯିବା କଥା । ଏଠାରେ ପ୍ରଶ୍ନ ଉଠୁଛି କେବେ ସୁଧୁରିବ ତାଳ ପାଟଣା ବିଦ୍ୟାଳୟର ସମସ୍ୟା ତାହା ଦେଖିବାକୁ ବାକି ରହିଲା।

