ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଧରାକୋଟ ରେ ନୂଆଁ ବି ଡି ଓ , ୨- ଗଡଦାମୋଦର ପଲ୍ଲୀ ରେ ଶିଶୁ ମହୋତ୍ସବ ସୁରଭି 

ଧରାକୋଟ ରେ ନୂଆଁ ବି ଡି ଓ 

ଆସିକା, ୧୪/୧୦/୨୬ (ଶିବ ଶଙ୍କର ମିଶ୍ର ) ଦୀର୍ଘ ଛଅ ମାସ ଧରି ଖାଲି ପଡିଥିବା ଧରାକୋଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦବୀ ପୂରଣ ହୋଇଛି । ଏଠାରେ କାର୍ଯ୍ୟରତ ବି ଡି ଓ ସଂଗ୍ରାମ କେଶରୀ ଜେନା ଗତ ଏପ୍ରିଲ ମାସରେ ଅବସର ଗ୍ରହଣ ପରେ ଶେରଗଡ ବି ଡି ଓ ତୃପ୍ତିମୟୀ ଜେନା ଧରାକୋଟ ର ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ । ଯାହା ଫଳରେ ବ୍ଲକ ପ୍ରଶାସନ ଏକ ରକମ କୋମା ଅବସ୍ଥାକୁ ଚାଲି ଆସିଥିଲା । ସଂପ୍ରତି ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବରେ ଅବସ୍ଥାପିତ ଥିବା ଶ୍ରୀମତୀ ଲିପିନା ଦାସ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ନୂତନ ବି ଡି ଓ ଭାବରେ ବୁଧବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଜି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଭାରପ୍ରାପ୍ତ ଏ ବି ଡି ଓ ସୁଶାନ୍ତ କୁମାର ପାତ୍ର,ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନ ରଞ୍ଜନ ପ୍ରଧାନ, ସହକାରୀ ଯନ୍ତ୍ରୀ ପି କେ ନାହାକ, ପି ଏମ ସାହୁ,ପ୍ରମୋଦ କୁମାର ଶତପଥୀ,ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ,ସି ପି ଲମ୍ବୋଦର ଗୌଡ, ବି ପି ସି କୃଷ୍ଣକାନ୍ତ ପଣ୍ଡା, ଏ ପି ଓ ନନ୍ଦିନୀ ଦାସ ପ୍ରମୁଖ ସାକ୍ଷାତ କରି ଶୁଭେଛା ଜଣାଇଥିଲେ । ଏହି ଅବସରରେ ଧରାକୋଟ ପ୍ରେସ କ୍ଲବ ତରଫରୁ ନୂତନ ବି ଡି ଓ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା । ନିଜ ବକ୍ତବ୍ୟରେ ବ୍ଲକ ପ୍ରଶାସନ କୁ କର୍ମତତ୍ପର କରାଯିବା ସହ ସରକାରୀ ଯୋଜନା ଗୁଡିକର ଲାଭ ଯେପରି ସାଧାରଣ ଲୋକ ପାଇବେ ସେଦିଗରେ ପ୍ରାଥମିକତା ଦିଆଯିବ ବୋଲି ପ୍ରକାଶ କରିଥିଲେ ।

ଗଡଦାମୋଦର ପଲ୍ଲୀ ରେ ଶିଶୁ ମହୋତ୍ସବ ସୁରଭି 

ଆସିକା, ୧୪/୧୦/୨୬(ଶିବ ଶଙ୍କର ମିଶ୍ର ) ମୁଣ୍ଡମରାଇ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଡଦାମୋଦର ପଲି ପରିସରରେ ଅନୁଷ୍ଠିତ ହୋଇଯାଇଛି । ସି ଆର ସି ସି ପ୍ରମୋଦ କୁମାର ସେଠୀ ଙ୍କ ସଂଯୋଜନା ଓ ଶିକ୍ଷକ ବୁଲୁ ବେହେରା ଙ୍କ ପରିଚାଳନାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ବି ଆର ସି ସି ସୌରୀ ଶଙ୍କର ବେହେରା, ଏ ବି ଇ ଓ ବିଭୁତି ଭୂଷଣ ପାତ୍ର ,ଏସ ଏମ ସି ସଭାପତି ଗୀତାଞ୍ଜଳୀ ସାହୁ ଉପସ୍ଥିତ ରହିଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଛାୟା ଦେବୀ ଏଥିରେ ସଭାପତିତ୍ୱ କରିଥିଲେ। ଉପସ୍ଥିତ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳା ,ଚରିତ୍ର ଗଠନ ଓ ଭଲ ପାଠ ପଢିବା ପାଇଁ ଉତ୍ସାହିତ କରିଥିଲେ । ଏହି ମହୋତ୍ସବ ରେ ରାଣୀ ପାର୍ବତୀ ପ୍ରାଥମିକ ବିଦ୍ୟାଳୟ, ଦେଓ ପାଟଣା ପ୍ରାଥମିକ ବିଦ୍ୟାଳୟ, ମୁଣ୍ଡମରାଇ ବାଳିକା ଉଚ୍ଚ ବିଦ୍ୟାଳୟ,ପୋଡ଼ାପଲି ପ୍ରାଥମିକ ବିଦ୍ୟାଳୟ,ଘୋଡାପଲି , ତାଳପାଟଣା ପ୍ରାଥମିକ ବିଦ୍ୟାଳୟ ଓ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରାୟ 250 ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଚାରକ ଭାବରେ ବାହାରପୁର ସି ଆର ସି ସି ଅଜିତ କୁମାର ସାହୁ, ମଛାକୋଟ ସି ଆର ସି ସି ପ୍ରଭାତ କିରଣ ସାହୁ ଓ ଢ଼ଉଗାଁ ସି ଆର ସି ସି ଶର୍ମିଷ୍ଠା ପାତ୍ର ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ 50 ଜଣ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷକ ପ୍ରଫୁଲ ବେହେରା,ନିରଞ୍ଜନ ପଟ୍ଟନାୟକ, ଶ୍ରୀମତୀ ନମିତା ଦାସ,ଦୀପ୍ତି ନାୟକ, ପ୍ରଭାତୀ କାମ୍ପ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ଧରାକୋଟ ସି ଆର ସି ସି ଜଗନ୍ନାଥ ପଢ଼ିହାରି ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଯୁକ୍ତ ଦୁଇ କଳା ରେ ଜୁନାଗଡ ଚମେଲୀ ଦେବୀ କଲେଜ ରେ ୮୧ପ୍ରତିଶତ ସଫଳତା 

ଆସନ୍ତା ୩ରେ ରାଉରକେଲା ଦିବସ

Sunil Chandra Nayak

ନବରଙ୍ଗପୁର ଠାରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୧୨ ତାରିଖରୁ ପ୍ରଦର୍ଶନୀ ଓ ବିଭିନ୍ନ କାର୍ଯ୍ୟକ୍ରମ 

Leave a Comment

error: Content is protected !!