ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ – ୨୦୨୬

ରାୟଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ – ୨୦୨୬

ରାୟଗଡ଼, ୧୫ ଅକ୍ଟୋବର ୨୦୨୬: ରାୟଗଡ଼ ଜିଲ୍ଲାର କଲେକ୍ଟରେଟ୍ ପରିସରସ୍ଥିତ ନୂତନ କନଫରେନ୍ସ ହଲ୍‌ଠାରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ପୋଷଣ ସମ୍ପର୍କରେ ଜନସଚେତନତା ବୃଦ୍ଧି, କୁପୋଷଣ ନିରାକରଣ ଏବଂ ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।କାର୍ଯ୍ୟକ୍ରମର ପ୍ରାରମ୍ଭରେ ରାୟଗଡ଼ ଜିଲ୍ଲାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ ମିନତୀ ଦେଓ ଉପସ୍ଥିତ ସମସ୍ତ ମାନ୍ୟବର ଅତିଥିଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ସ୍ୱାଗତ ଅଭିଭାଷଣ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ରନାଥ କାହାଁର, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନାଲ ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ, ADPHO (FW) ଡା. କିଶୋର କୁମାର ବରାଇ, ଡେପୁଟି କଳଲେକ୍ଟର ଶ୍ରୀମତୀ ଅକ୍ଷୟମିତା କାର୍ତ୍ତିକ ଏବଂ ସହକାରୀ ଜିଲ୍ଲାପାଳ ଶ୍ରୀମତୀ ଦୀପରାଣୀ ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ “ଆମ ଅଙ୍ଗନବାଡ଼ି – ଆମ ଦାୟିତ୍ୱ” ବାର୍ତ୍ତା ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ରର ଗୁରୁତ୍ୱ, ଶିଶୁ ଓ ମାତୃ ପୋଷଣ ଏବଂ କୁପୋଷଣ ରୋକିବାରେ ସମସ୍ତଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରାଯାଇଥିଲା।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପସ୍ତରୀୟ ଦଳ ପାରମ୍ପରିକ ସ୍ଥାନୀୟ ଖାଦ୍ୟ ଓ ବିଭିନ୍ନ ପ୍ରକାରର ସ୍ଥାନୀୟ ପନିପରିବା ପ୍ରଦର୍ଶନ କରିଥିଲେ। ଏହି ଖାଦ୍ୟଗୁଡ଼ିକର ପୋଷଣମୂଲ୍ୟ ଏବଂ ସନ୍ତୁଳିତ ଖାଦ୍ୟରେ ସେଗୁଡ଼ିକର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ସ୍ଥାନୀୟ ଭାବେ ଉପଲବ୍ଧ ପୋଷ୍ଟିକ ଖାଦ୍ୟର ଉପଯୋଗ ବୃଦ୍ଧି କରିବା ସହ ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏଥିସହ ବିଦ୍ୟାଳୟସ୍ତରରେ ଚିତ୍ରାଙ୍କନ, ବିତର୍କ, ପ୍ରବନ୍ଧ ଲିଖନ, କୁଇଜ୍ ଓ ପୋଷଣଯୁକ୍ତ ଖାଦ୍ୟ ପ୍ରସ୍ତୁତି ପ୍ରଦର୍ଶନୀ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାସ୍ତରରେ ସମ୍ମାନିତ କରାଯାଇଥିଲା। ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୋଷଣ ସମ୍ପର୍କିତ ଜ୍ଞାନ ଓ ସଚେତନତା ବୃଦ୍ଧି କରିବାର ପ୍ରୟାସ କରାଯାଇଥିଲା।

ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଜିଲ୍ଲା ପୋଷଣ ସଂଯୋଜିକା (DC POSHAN) ଶ୍ରୀମତୀ ମଧୁଲତା ଦଣ୍ଡସେନା ଏବଂ ଜିଲ୍ଲା ପ୍ରକଳ୍ପ ସହାୟକ (DPA POSHAN) ଶ୍ରୀମତୀ ଅପୂର୍ବା ରଥଙ୍କ ସମନ୍ୱୟରେ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସମସ୍ତ CDPO, ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ (AWW), BC POSHAN, କଲେଜ ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଯୋଗଦେଇଥିଲେ।

ସମସ୍ତ ଅଧିକାରୀ, କର୍ମଚାରୀ ଓ ଅଂଶୀଦାରଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା। ଏହି ଅଭିଯାନ ଏକ ସୁସ୍ଥ, ସଚେତନ ଓ କୁପୋଷଣମୁକ୍ତ ରାୟଗଡ଼ା ଜିଲ୍ଲା ଗଠନ ପାଇଁ ସମସ୍ତଙ୍କ ସାମୂହିକ ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ହୁମାନିଟି ଫାଉଣ୍ଡେସନର ଶିଶୁ ଦିବସ ପାଳନ

Sunil Chandra Nayak

କୃଷି ନିର୍ଦ୍ଧାରଣ କମିଟିର ବୈଠକ ୟୁରିଆ ସାର ଗଛିତ ରଖିବାକୁ ନିର୍ଦେଶ

masiha

୩ମାସର ଚାଉଳ ପାଇଁ ବିଡ଼ିଓଙ୍କ ଦ୍ୱାରସ୍ତ ସରପଞ୍ଚ ଓ ହିତାଧିକାରୀ

masiha

Leave a Comment

error: Content is protected !!