ମାଁ ଦୁର୍ଗାଙ୍କ ପୀଠରେ ଝିଅମାନଙ୍କ ଭାଇ ଜିଉଁନ୍ତିଆ ପୂଜା ପାଳିତ
ଯୋରାଡ଼ବରା ତା.୧୮/୧୦/୨୦୨୬ (ରମେଶ ଚନ୍ଦ୍ର ପୁଟେଲ) କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ ସ୍ଥିତ ଯୋରାଡ଼ବରା ଗ୍ରାମରେ ମାଁ ଦୁର୍ଗାଙ୍କର ମନ୍ଦିର ପୀଠରେ ଝିଅମାନଙ୍କର ପୂଜା ପାଳିତ ହୋଇଯାଇଛି । ଏହି ପୂଜାଟି ସପ୍ତମୀ ଦିନ ଝିଅ ମାନେ ଏକତ୍ରିତ ହୋଇ ନିକଟସ୍ଥ ପୋଖରୀକୁଠକୁ ଯାଇ ବାଲିକା ପୂଜା କରିଛନ୍ତି । ଏହି ପୂଜା କାର୍ଯ୍ୟରେ ଅନେକ ପ୍ରକାର ଭୋଗ ଦେଇ ପୂଜାର୍ଚ୍ଚନା କରିଛନ୍ତି। ପୋଖରୀ କୁଠରୁ ଆସିବା ପରେ ଘରେ ପହଞ୍ଚି ଶୁକ୍ଳ ବସ୍ତ୍ର ପରିଧାନ କରି ସନ୍ଧ୍ୟାରେ ପୂଜା ସାମଗ୍ରୀ ଧରି ମାଁଙ୍କର ପୀଠକୁ ଯାଇଥାଆନ୍ତି । ସେହିଠାରେ ପୁରୋହିତଙ୍କୁ ଡାକି ପୁରାଣପାଠ ଶୁଣିଥାନ୍ତି । ପୂଜା ସମାପନ ହେବାପରେ ମାଁ ଙ୍କ ଚରଣରେ ଅନେକ ପ୍ରକାର ଫଳ ମୂଳ ସହ ଲଡୁ ପ୍ରଦାନ କରିଛନ୍ତି । ନିଷ୍ଠାର ସହ ଘରକୁ ଆସି ଫଳମୂଳ ଭକ୍ଷଣ କରି ରାତ୍ରି ଉଜାଗର ରହିଥାନ୍ତି । ପ୍ରାତଃ ପାଞ୍ଚଘଣ୍ଟା ସମୟରେ ହୁଲହୁଲି ସହ ଅନେକ ପ୍ରକାର ଭୋଗ ଧରି ଗାଁ ତୁଠ ପୋଖରୀକୁ ଯାଇଥାନ୍ତି । ସେହିଠାରେ ପୂଜାର୍ଚ୍ଚନା କରି ଘରକୁ ଫେରିଥାନ୍ତି। ଘରେ ଦୀପ ପ୍ରଜ୍ବଳନ ସହ ବଡ଼ଭାଇ କିମ୍ବା ଛୋଟ ଭାଇଙ୍କୁ ପୂଜାର୍ଚ୍ଚନା ସହ ଭାଇ ଜିଉନ୍ତିଆ ଡାହାଣ ହାତରେ ବାନ୍ଧିଥାନ୍ତି। ଏହା କରିବା ଦ୍ଵାରା ଭାଇ ଓ ଭଉଣୀର ସମ୍ପର୍କ ଅତୁଟ ହୋଇଥାଏ । ଏହି ପୂଜା କାର୍ଯ୍ୟରେ ପ୍ରାୟ ଶହେରୁ ଦୁଇଶହ ଜଣ ଝିଅ କିମ୍ବା ନୂତନ ବିବାହିତ ହୋଇଥିବା ଝିଅମାନେ ଆସି ଏହି ପୂଜା କାର୍ଯ୍ୟରେ ସାମିଲ ହୋଇଥାନ୍ତି । ସମସ୍ତ ଝିଅ ମାନେ ଏକତ୍ରିତ ହୋଇ ମନ୍ଦିର ପୀଠରେ ଖିରି, ପୁରୀ, ଇତ୍ୟାଦି ତିଆରି କରି ସମସ୍ତଙ୍କୁ ଦେଇଥାନ୍ତି।
ରମେଶ ଚନ୍ଦ୍ର ପୁଟେଲଙ୍କ ରିପୋର୍ଟ

