ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ବ୍ଲକ୍‌ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସମାରୋହରେ ଅନୁଷ୍ଠିତ।ବିଭିନ୍ନ ପ୍ରତିଯୋଗିତାରେ ଭାଗନେଲେ ଛାତ୍ରଛାତ୍ରୀ

ଜୁନାଗଡ଼ରେ ବ୍ଲକ୍‌ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସମାରୋହରେ ଅନୁଷ୍ଠିତ।ବିଭିନ୍ନ ପ୍ରତିଯୋଗିତାରେ ଭାଗନେଲେ ଛାତ୍ରଛାତ୍ରୀ

ଜୁନାଗଡ଼ ତା:୦୩/୧୧(ମନୀ ସ)ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ, ସୃଜନଶୀଳତାର ବିକାଶ ଏବଂ କଳା, ସାହିତ୍ୟ ଓ ବୌଦ୍ଧିକ ଦକ୍ଷତାର ପରିପ୍ରକାଶ ନିମନ୍ତେ ଜୁନାଗଡ଼ସ୍ଥିତ ପିଏମ୍‌ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍‌ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ର ସମାରୋହରେ ଅନୁଷ୍ଠିତହୋଇଯାଇଛି। ଏଥିରେ ଜୁନାଗଡ଼ ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି।ଏହି ମହୋତ୍ସବ ଅବସରରେ ଛାତ୍ରଛାତ୍ରୀଙ୍କ ବୟସ ଓ ଶ୍ରେଣୀ ଅନୁଯାୟୀ ଜୁନିୟର, ସିନିୟର ଓ ଉଚ୍ଚ ମାଧ୍ୟମିକ (HSS) ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏଥିମଧ୍ୟରେ ଚିତ୍ରାଙ୍କନ, ସୃଜନଶୀଳ ଲେଖନୀ, ପ୍ରବନ୍ଧ ଲିଖନ, ବକ୍ତୃତା, ହସ୍ତାକ୍ଷର ଓ ଶ୍ରୁତଲିଖନ, ଏକକ ବକ୍ତୃତା (Elocution), ଚିତ୍ରକଳା ଏବଂ ଶିଳ୍ପକଳା ଆଦି ପ୍ରତିଯୋଗିତା ସାମିଲ ରହିଛି। ଏହି ସମସ୍ତ ପ୍ରତିଯୋଗିତା ମାଧ୍ୟମରେ କୁନି କୁନି ପ୍ରତିଭାମାନେ ନିଜର ଚିନ୍ତାଧାରା, କଳ୍ପନାଶକ୍ତି, ଲେଖନୀ ଦକ୍ଷତା, ଯୁକ୍ତି ଉପସ୍ଥାପନ ଓ କଳାତ୍ମକ ସୃଜନଶୀଳତା ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ବ୍ଲକ୍ ଶିକ୍ଷା ଅଧିକାରୀ ତପନ ମାଝୀ, ପିଏମ୍‌ ଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନେପାଳ ଚନ୍ଦ୍ର ବାଗ, ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ, ଏୟୁପିଟିଏଫ୍‌ର ଶ୍ରୀ ଶାନ୍ତନୁ ମାଝୀ, ଏବିଇଓ ତଥା ବିଆର୍‌ସିସି କ୍ଷୀରୋଦ କୁମାର ଭୋଇ ଏବଂ ଏବିଡିଓ ବେଦାନ୍ତ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

‘ସୁରଭି’ ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟସ୍ତରରେ ରହିଥିବା ଅପ୍ରକାଶିତ ପ୍ରତିଭାକୁ ଚିହ୍ନଟ କରି ଉପଯୁକ୍ତ ମଞ୍ଚ ପ୍ରଦାନ କରିବା। ବ୍ଲକ୍‌ସ୍ତରୀୟ ପ୍ରତିଯୋଗିତାରୁ ମନୋନୀତ ପ୍ରତିଭାବାନ ଛାତ୍ରଛାତ୍ରୀ ଜିଲ୍ଲାସ୍ତରରେ ଭାଗନେବାର ସୁଯୋଗ ପାଇବେ। ସେଠାରୁ ମନୋନୀତ ହୋଇ ରାଜ୍ୟସ୍ତରରେ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିବା ସହ ସମ୍ମାନିତ ହେବାର ସୁଯୋଗ ଲାଭ କରିବେ। 

କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ସୂର୍ଯ୍ୟନାରାୟଣ ଠାକୁର ଏବଂ ସଭା ପରିଚାଳନା କରିଥିଲେ ବିରଞ୍ଚି ନାରାୟଣ ମୁଣ୍ଡ। ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ମହୋତ୍ସବଟି ଉତ୍ସବମୁଖର ହୋଇଉଠିଛି।”ସୁରଭି-୨୦୨୬ର ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ପ୍ରତିଭାର ଝଲକ, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ”କରାଯାଇଥିଲା ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ମନୋରମ ସାଂସ୍କୃତିକ ପରିବେଷଣ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା। ଜୁନାଗଡ଼ ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟରୁ ଯୋଗଦେଇଥିବା ଛାତ୍ରଛାତ୍ରୀ ନୃତ୍ୟ, ସଙ୍ଗୀତ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ନିଜର କଳା ଓ ପ୍ରତିଭାର ନିଆରା ଝଲକ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ ମୋହିଥିଲା। ଏହି ଅବସରରେ ବ୍ଲକ୍‌ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା। 

ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛାତ୍ରୀ, ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ସନ୍ତୋଷ ସିଂଦେଓ, ପ୍ରଧାନଶିକ୍ଷକ ସଂଘର ସମ୍ପାଦକ ଶ୍ରୀ ବିଜୟ କୁମାର ପାଢ଼ୀ,AUPTF ସଭାପତି ଶ୍ରୀ ଶାନ୍ତନୁ କୁମାର ମାଝୀ,AUPTF ସମ୍ପାଦକ ଶ୍ରୀ ଲଳିତ ମୋହନ ନେଗୀ, ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ତପନ କୁମାର ମାଝୀ, ପ୍ରଧାନଶିକ୍ଷକ ଶ୍ରୀ ନେପାଳ ଚନ୍ଦ୍ର ବାଗ, BRCC ଶ୍ରୀ କ୍ଷୀରୋଦ ଭୋଇ ଏବଂ OSTAର ଶ୍ରୀ ସୁବାସ ଚନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସୀନ ରହି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।ଏହି ବ୍ଲକ୍‌ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମନୋନୀତ ଛାତ୍ରଛାତ୍ରୀ ଆସନ୍ତା ନଭେମ୍ବର ୬ ତାରିଖରେ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ‘ସୁରଭି’ ମହୋତ୍ସବରେ ଅଂଶଗ୍ରହଣ କରି ଜୁନାଗଡ଼ ବ୍ଲକ୍‌ର ପ୍ରତିନିଧିତ୍ୱ କରିବେ।

ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ଉପଯୁକ୍ତ ସ୍ୱୀକୃତି ପ୍ରଦାନ ଦିଗରେ ‘ସୁରଭି’ ମହୋତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ବୋଲି ଏହି କାର୍ଯ୍ୟକ୍ରମରୁ ପ୍ରତିଫଳିତ ହୋଇଥିଲା।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ମାଗଣା ଶିଶୁ ରୋଗ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

masiha

ପଣ୍ଡରାମାଳି ସମାଜ ଭବନ ନିର୍ମାଣ ପାଇଁ ନିଜସ୍ୱ ଜମି ଦାନ କଲେ ଯୁବ ବାହିନୀ ସଭାପତି ଦୁର୍ଗା ପ୍ରସାଦ ନାଏକ 

masiha

ନିରୁଣ୍ଡି ଠାରେ ପାଟ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!