ଜିଲ୍ଲା ସ୍ତରୀୟ ତିରନ୍ଧାଜ ଓ ନେଟବଲ ପ୍ରତିଯୋଗିତା
କାମାକ୍ଷାନଗର – କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଦଧିବାମନ ଜିଉ ଉଚ୍ଚ ବିଦ୍ୟାଳୟ କନ୍ଧରା ଠାରେ ଜିଲ୍ଲା ସ୍ତରୀୟ ତିରନ୍ଧାଜ ଓ ନେଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ସୁଜାତା ପଟ୍ଟନାୟକ ଯୋଗ ଦେଇ ଉଦଘାଟନ କରିଥିଲେ ।ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ନାୟକ,ଅଵସରପ୍ରାପ୍ତ ଶାରିରୀକ ଶିକ୍ଷକ ବିଜୟ କୁମାର ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ ।ଉଭୟ ପ୍ରତିଯୋଗିତାରେ କଙ୍କଡାହାଡ଼,ପରଜଙ୍ଗ,ଭୁବନ,କାମାକ୍ଷାନଗର ବ୍ଲକର ୧୭ ବର୍ଷରୁ କମ ୬୦ ଜଣ ବାଳକ,ବାଳିକା ଭାଗ ନେଇଥିଲେ ।ନେଟ ବଲରେ ରାଜ୍ୟ ସ୍ତରୀୟ ପାଇଁ ୨୪ ଜଣ ବାଳକ,ବାଳିକା ମନୋନୀତ ହୋଇଥିଲା ବେଳେ ତିରନ୍ଧାଜ ଖେଳ ପାଇଁ ୫ ଜଣ ବାଳକ ରାଜ୍ୟ ସ୍ତରୀୟ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ତିରନ୍ଧାଜ ଖେଳ ପରିଚାଳନା ଦୁଲ୍ଲାରାମ ମୁର୍ମୁ,ପଦ୍ମଲୋଚନ ମହାନ୍ତ,ଟଙ୍କଧର ବାରିକ,ଅଶୋକ ତରାଇ କରିଥିଲା ବେଳେ ନେଟବଲ ଖେଳ ପରିଚାଳନା କରିଥିଲେ ଉମାକାନ୍ତ ଦାସ,ସଞ୍ଜୟ କୁମାର ନାୟକ,ହରେକୃଷ୍ଣ ମହାନ୍ତ,ଅମିନ ତରାଇ ।
ମୁଣ୍ଡିଦେଉଳି ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଗଠିତ ,ରାଜେଶ କୁମାର ନାଥ ସଭାପତି, ଲକ୍ଷ୍ମୀଧର ସାହୁ ସମ୍ପାଦକ
କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରର ଅନ୍ୟତମ ପୁରାତନ ପୂଜା ପ୍ରତିଷ୍ଠାନ ମୁଣ୍ଡିଦେଉଳି ବଜାର ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଗଣପତି ଗ୍ରାଣ୍ଡ ହୋଟେଲଠାରେ ବଜାର କମିଟିର ସଭ୍ୟମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ପୂର୍ବତନ ସଭାପତି ତଥା ବରିଷ୍ଠ ଉପଦେଷ୍ଟା ଡଃ ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଏହି ବୈଠକରେ ଚଳିତ ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଛି।
ନୂତନ କମିଟିର ସଭାପତି ଭାବେ ରାଜେଶ କୁମାର ନାଥ, ଉପସଭାପତି ତଥା କୋଷାଧ୍ୟକ୍ଷ ଭାବେ ସୁବାସ ଚନ୍ଦ୍ର ନାୟକ ଏବଂ ସମ୍ପାଦକ ଭାବେ ଲକ୍ଷ୍ମୀଧର ସାହୁ ମନୋନୀତ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ ସଭ୍ୟ ଭାବେ ଅନିଲ କୁମାର ନାୟକ, ସୁଶାନ୍ତ ନାୟକ, ମଦନ ମୋହନ ପରିଡ଼ା, ସୁଭାଶିଷ ସାହୁ, ସୁବ୍ରତ ରଞ୍ଜନ ସାହୁ, ଦିଲ୍ଲୀପ କୁମାର ରାଉଳ, ରଶ୍ମି ରଞ୍ଜନ ମିଶ୍ର, ସନ୍ତୋଷ ସାହୁ ଓ ନିରଞ୍ଜନ ମହାପାତ୍ର ଚୟନ ହୋଇଛନ୍ତି।କାମାକ୍ଷାନଗର ସହର ସମେତ ଜିରିଡ଼ାମାଳି ବଜାରକୁ ନେଇ ଦୁର୍ଗାପୂଜା ମେଲଣ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହି ଉତ୍ସବରେ ୨୦ରୁ ଊର୍ଦ୍ଧ୍ୱ ମେଢ଼ ସାମିଲ ହେବା ସହ ଭସାଣି ଶୋଭାଯାତ୍ରା ଓ ରାବଣପୋଡ଼ି ଉତ୍ସବରେ ବିଭିନ୍ନ ବଜାର କମିଟି ଅଂଶଗ୍ରହଣ କରିଥାନ୍ତି। ପାରମ୍ପରିକ ରୀତି ଅନୁଯାୟୀ, ଭସାଣି ଶୋଭାଯାତ୍ରାରେ ମୁଣ୍ଡିଦେଉଳି ମେଢ଼ ସର୍ବପ୍ରଥମେ ଆଗରେ ଯାଇଥାଏ ଏବଂ ଅନ୍ୟ ମେଢ଼ଗୁଡ଼ିକ ପଛକୁ ପଛ ଯାଇଥାନ୍ତି।ମୁଣ୍ଡିଦେଉଳି ଦୁର୍ଗାପୂଜାର ପରିଚାଳନା ବ୍ୟବସ୍ଥା ମଧ୍ୟ ସ୍ୱତନ୍ତ୍ର। ଏଠାରେ ମୁଣ୍ଡିଦେଉଳି ବାସିନ୍ଦାମାନେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଉଥିବା ବେଳେ ବଜାର କମିଟିର ସଭ୍ୟମାନେ ଆଲୋକସଜ୍ଜା, ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପରିଚାଳନା କରିଥାନ୍ତି। ଦୀର୍ଘଦିନର ପରମ୍ପରା ଓ ଭାଇଚାରାକୁ ବଜାୟ ରଖି ନୂତନ କମିଟି ଆଗାମୀ ଦିନରେ ପୂଜା ଆୟୋଜନକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ ପାଇଛି।
ପଙ୍ଗାତିରା ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ ଘୋଷଣା
କାମାକ୍ଷାନଗର – କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତରେ ଶିଶୁ ଶ୍ରମିକ ମୁକ୍ତ ଘୋଷଣା କରାଯାଇଛି । ସରପଞ୍ଚ କରୁଣାକର ସାହୁଙ୍କ ନେତୃତ୍ୱରେ ଓ ଟାଟା ଷ୍ଟିଲ ଫାଉଣ୍ଡେସନ କର୍ମଚାରୀଙ୍କ ସହଯୋଗରେ ପଞ୍ଚାୟତର ମହିଳା ଓ ପୁରୁଷ ମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ଶିଶୁ ଶ୍ରମିକ ମୁକ୍ତ ଅଭିଯାନ ମାଧ୍ୟମରେ ଗାଁ ମାନଙ୍କରେ ଜନସଚେତନ ସୃଷ୍ଟି କରିଥିଲେ । ଶିଶୁଙ୍କୁ ପାଠ ପଢ଼ାଇବା , ଶିଶୁ ଶ୍ରମ ମୁକ୍ତ ଆମର ଦାବି , ବାଲ୍ୟ ବିବାହ ବନ୍ଦ କର , ବିଦ୍ୟାଳୟ ହେଉ ଶିଶୁର ଠିକଣା , ଶିକ୍ଷା ହେଉ ଶିଶୁର ପ୍ରଗତି ,ଶିଶୁ ଶ୍ରମ ମୁକ୍ତ ଆମ ପଞ୍ଚାୟତ ଏହିପରି ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ସ୍ଳୋଗାନ ଦେଇ ଗାଁ ଗାଁରେ ଜନ ସଚେତନତା ସୃଷ୍ଟି କରିଥିଲେ । ଗାଁ ପରିକ୍ରମା ସାରି ପଙ୍ଗାତିରା ପୁରୁଣା ଆଇଟିଆଇ ସନ୍ନିକଟ ପହଞ୍ଚିଥିଲେ ।ପୁରୁଣା ଆଇଟିଆଇ ଠାରେ ଆୟୋଜିତ ସଭା କାର୍ଯ୍ୟରେ ପଙ୍ଗାତିରା ପଞ୍ଚାୟତ ସରପଞ୍ଚ କରୁଣାକର ସାହୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଙ୍ଗାତିରା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ମୁଖ୍ୟବକ୍ତା ଭାବେ ପ୍ରକୃତି ବନ୍ଧୁ ତଥା କଙ୍କଡ଼ାହାଡ଼ ବ୍ଲକ ସାମ୍ବାଦିକ ସଂଘ ସଭାପତି ରାଜେଶ କୁମାର ଦେହୁରୀ ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ଦଶୀପୁର ସରପଞ୍ଚ ସୁଧୀର ପାଳ, ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋଲକ ଚନ୍ଦ୍ର ନାୟକ,ଅଵସର ପ୍ରାପ୍ତ ସିଆରସିସି ହୃଷିକେଶ ବେହେରା,ପଙ୍ଗାତିରା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ତୃପ୍ତିମୟୀ ପ୍ରଧାନ,ପଙ୍ଗାତିରା ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଷ୍ଣୁସେନ ସିଂହ, ପଙ୍ଗାତିରା କ୍ଳଷ୍ଟ୍ରର ସିଆରସିସି ଦୁଷ୍ମନ୍ତ କୁମାର ଦେହୁରୀ , ଟାଟା ଷ୍ଟିଲ ଫାଉଣ୍ଡେସନର ପ୍ରଜେକ୍ଟ ଅଫିସର ଟି ସିଭରାମ ପ୍ରମୁଖ ଯୋଗ ଦେଇଥିଲେ।ଶିଶୁ ଶ୍ରମିକ କିଭଳି ସମାଜରୁ ମୁକ୍ତ ହୋଇ ପାରିବ ସେ ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟର ବାହାରେ ଥିବା ୪୪ ଜଣ ଶିଶୁଙ୍କୁ ସମ୍ମିଲିତ ଉଦ୍ୟମରେ ପୁନର୍ବାର ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ତଥ୍ୟ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବୁଦ୍ଧିଜୀବୀ , ଅଙ୍ଗନୱାଡି କର୍ମୀ ,ଏମବିକେ,ସିଆରପି, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଓ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ । ସ୍କୁଲ ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଟାଟା ଷ୍ଟିଲ ଫାଉଣ୍ଡେସନ କର୍ମଚାରୀଙ୍କ ଦ୍ୱାରା ଶିଶୁ ଶ୍ରମିକ ମୁକ୍ତ ଅଭିଯାନ ଉପରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।ଟାଟା ଷ୍ଟିଲ ଫାଉଣ୍ଡେସନର କର୍ମଚାରୀ ଲଲାଟେନ୍ଦୁ ମହାନ୍ତ,ଲୀଳାବତୀ ଜ୍ୟୋତିଶ ମଞ୍ଚ ପରିଚାଳନା କରିଥିଲେ ।ଟାଟା ଷ୍ଟିଲ ଫାଉଣ୍ଡେସନ ବ୍ଲକ କୋଡ଼ିନେଟର ସୌମ୍ୟରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫାଉଣ୍ଡେସନର ନଗେନ୍ କୁମାର ସ୍ୱାଇଁ, ହରପ୍ରସାଦ ମହାନ୍ତ,ଲଲାଟେନ୍ଦୁ ମହାନ୍ତ,ଚଗଲା ସାହୁ,ଅର୍ଚନା ବେହେରା,ଲଜୀ ସାହୁ,ତୈଲୋକ୍ୟ ସାହୁ,ପିଙ୍କୁ ସାହୁ,ଏଲିନା ସାମଲ,ରାଜେନ୍ଦ୍ର ସାହୁ,ନମିତା ସାହୁ,ଦେବଶ୍ୱିନୀ ସାମଲ ପ୍ରମୁଖ ସହଯୋଗ କରିଥିଲେ ।
ଆଲୁଅଝରଣ ଠିପି ଖୋଲା ମଦ ଦୋକାନରୁ ବାହାରକୁ ଚୋରା ଚାଲାଣ, ବିଭାଗୀୟ କାର୍ରରୂପକ୍ଷ ନୀରବଦ୍ରଷ୍ଟା
କାମାକ୍ଷାନଗର – କାମାକ୍ଷାନଗର ଢେଙ୍କାନାଳ ମୁଖ୍ୟ ରାସ୍ତାର ଆଲୁଅଝରଣ ଠାରେ ଖୋଲା ଯାଇଥିବା ଠିପି ଖୋଲା ମଦ ଦୋକାନରୁ ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ ବିଭାଗୀୟ କର୍ତ୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିବାର ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି l ଆଲୁଅଝରଣ ଠାରେ କାମାଖ୍ୟାନଗର- ଢେଙ୍କାନାଳ ମୁଖ୍ୟ ରାସ୍ତାର ପୂର୍ବ ପାର୍ଶ୍ୱରେ ଖୋଲା ଯାଇଥିବା ଠିପି ଖୋଲା ବିଦେଶୀ ମଦ ଦୋକାନ ଠାରୁ ଦୁଇ ସହ ମିଟର ମଧ୍ୟରେ ବନ ଦୁର୍ଗା ମନ୍ଦିର, ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତି ଯୋଗୁଁ ସଂପୃକ୍ତ ଗ୍ରାମବାସୀ ବିରୋଧ କରି ଆସୁଥିଲେ l ହେଲେ ଗ୍ରାମବାସୀଙ୍କ ବିରୋଧ ସତ୍ୱେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କୌଣସି ଅଭିଯୋଗ କୁ ଭ୍ରୁକ୍ଷେପ ନକରି ବିଦେଶୀ ଠିପି ଖୋଲା ମଦ ଦୋକାନକୁ ଅନୁମତି ଦେଇଥିଲେ l ହେଲେ ଏବେ ସେହି ଠିପି ଖୋଲା ମଦ ଦୋକାନରୁ ମଦ ଆଖପାଖ ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ବେଳେ ସେଠାରେ ନକଲି ମଦ ବିକ୍ରୟ ହେଉଥିବାର ଯୁବଗୋଷ୍ଠୀ ମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି l ସରକାରୀ ସ୍ତରରେ ଧାର୍ଯ୍ୟ ଅନୁଯାଇ ଦୋକାନୀ ବିଦେଶୀ ମଦ ଉଠାଉଥିବା ବେଳେ ସେଠାରେ ବିକ୍ରୟ ସଠିକ ଭାବେ ହେଉ ନଥିବାରୁ ଦୋକାନର ମାଲିକ ବାହାରକୁ ଚୋରା ରେ ଚାଲାଣ କରୁଥିବା ବେଳେ ନିଜର ଲାଭଖୋର ମନବୃତ୍ତି ନେଇ ଦୋକାନରେ ନକଲି ମଦ ବିକ୍ରୟ କରୁଥିବାର ଅଭିଯୋଗ ହେଉଛି l ବିଭାଗୀୟ ଉଚକର୍ତ୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବା ସକାଶେ ଦାବି ହେଉଛି l
ଦଧିସିଙ୍ଗା ଗ୍ରାମ ଗଜଲକ୍ଷ୍ମୀ ପୂଜା ମେଲଣ ମହୋତ୍ସବ ଉଦ୍ଯାପିତ
ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କାବରା ଗ୍ରାମ ପଞ୍ଚାୟତର ଦଧିସିଙ୍ଗା ଗ୍ରାମରେ ଆୟୋଜିତ ପଞ୍ଚମ ବାର୍ଷିକ ଗଜଲକ୍ଷ୍ମୀ ପୂଜା ମେଲଣ ମହୋତ୍ସବ ଶନିବାର ଉଦ୍ଯାପିତ ହୋଇଯାଇଛି।
ଏହି ଅବସରରେ ବିଶିଷ୍ଟ ବ୍ୟବସାୟୀ ସୁଧାକର ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ପୂର୍ବତନ ମନରେଗା ଲୋକପାଳ ଅମରେନ୍ଦ୍ର ମଲ୍ଲ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଯୋରନ୍ଦା ଫାଣ୍ଡି ଅଧିକାରୀ ହୃଦାନନ୍ଦ ମହାନନ୍ଦ, ଯୁବ ଉଦ୍ୟୋଗୀ ଅଜିତ କୁମାର ସାହୁ, କାବରା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାନ୍ତି, ସମାଜସେବୀ ସନ୍ତୋଷ ବିଶ୍ୱାଳ, ଗ୍ରାମ ଉପସଭାପତି ଶ୍ରୀବତ୍ସ ମହାନ୍ତି, ସମ୍ପାଦକ ରାକେଶ ମହାନ୍ତି ଓ ସହସମ୍ପାଦକ ସୁଶୀଲ ପରିଡ଼ା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।ଗ୍ରାମ ସଭାପତି ଲକ୍ଷ୍ମୀଧର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥିମାନେ ଏହି ମହୋତ୍ସବ ଗ୍ରାମର ଏକତା, ଐତିହ୍ୟ, ପରମ୍ପରା ଓ ଭାଇଚାରାର ଏକ ଅନନ୍ୟ ନିଦର୍ଶନ ବୋଲି ମତବ୍ୟକ୍ତ କରିଥିଲେ ସଙ୍ଗୀତଜ୍ଞ ବିମଳ କୁମାର ଦାସ ଓ ମନୋରଞ୍ଜନ ଷଡ଼ଙ୍ଗୀ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା ପରିଚାଳନା କରିଥିଲେ। ଏହି ଅବସରରେ ମହୋତ୍ସବ କମିଟି ପକ୍ଷରୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହରିହର ସାହୁ ଓ ବିଦ୍ୟାଧର ମହାପାତ୍ର, ସହକାରୀ ଶିକ୍ଷୟିତ୍ରୀ ନିର୍ଝରିଣୀ ସାହୁ ଏବଂ ସମାଜସେବୀ ସୂର୍ଯ୍ୟକାନ୍ତ ନାୟକଙ୍କୁ ମାନପତ୍ର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ମହୋତ୍ସବ କମିଟିର ସଭ୍ୟ ଆନନ୍ଦ ଚନ୍ଦ୍ର ମହାନ୍ତି ଗ୍ରାମର ଐତିହ୍ୟ ଓ ପରମ୍ପରା ସମ୍ପର୍କିତ ବିବରଣୀ ପାଠ କରିଥିଲେ। ଏଥିସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ନୃତ୍ୟ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ମହୋତ୍ସବ କମିଟି ପକ୍ଷରୁ ଉପସ୍ଥିତ ଅତିଥି, ଗ୍ରାମ କମିଟି ଓ ବିଭିନ୍ନ ପୂଜା କମିଟିର ସଦସ୍ୟ ତଥା ପ୍ରତିଯୋଗିତାର ବିଚାରକମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ମହୋତ୍ସବର ସଫଳ ଆୟୋଜନରେ କମିଟିର ବରିଷ୍ଠ ସଭ୍ୟ ବିନୋଦ ମହାନ୍ତି, ଭୀମସେନ ଦାସ ଓ ଶେଷଦେବ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ଆନନ୍ଦ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
କାମାକ୍ଷାନଗର ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
କାମାକ୍ଷାନଗର – କାମାକ୍ଷାନଗର ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଡ଼ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରାଧ୍ୟାପକ ଶ୍ରୀକାନ୍ତ କୁମାର ପ୍ରଧାନ ସଭାପତିତ୍ୱ କରି ଡ଼ ମହାନ୍ତି ଜଣେ ଅମାୟିକ, କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ ଅଧ୍ୟକ୍ଷ ଭାବରେ ବେଶ ସୁନାମ ଅର୍ଜନ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଜ୍ଞାନ ରଞ୍ଜନ ମିଶ୍ର, ଅଧ୍ୟାପକ ଡ଼ ଶ୍ରୀବତ୍ସ କୁମାର ସାହୁ, ଅଧ୍ୟାପକ ଶରତ ଚନ୍ଦ୍ର ବେହେରା, ଅଧ୍ୟାପକ ରଶ୍ମି ରଞ୍ଜନ ସେନାପତି, ଅଧ୍ୟାପକ ପ୍ରମୋଦ କୁମାର ସ୍ୱାଇଁ, ଅଧ୍ୟାପକ ଚିନ୍ମୟ କୁମାର ମିଶ୍ର, ଅଧ୍ୟାପିକ ଶାନ୍ତା ନିବେଦିତା ମହାନ୍ତି, ଅଧ୍ୟାପକ ଅମରେଶ ପଣ୍ଡା, ପ୍ରତିପାଦକ ପ୍ରଶାନ୍ତ କୁମାର ପଣ୍ଡା, ମୂଖ୍ୟ କିରାଣୀ ପଞ୍ଚାନନ ଜେନା ପ୍ରମୁଖ ଅଧ୍ୟକ୍ଷଙ୍କର ମହାବିଦ୍ୟାଳୟ ଶୈକ୍ଷିକ ଓ ପ୍ରଶାସନିକ କ୍ଷେତ୍ରରେ ହୋଇଥିବା ଉନ୍ନତି ପ୍ରତି ତାଙ୍କର ଅବଦାନ କୁ ଉଚ୍ଚ ପ୍ରଂଶସା କରିଥିଲେ । ଅଧ୍ୟକ୍ଷ ଡ ମହାନ୍ତି ଆଠମାସ କାର୍ଯ୍ୟକାଳ ମଧ୍ୟରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଙ୍କ ସହଯୋଗ ଓ ଭଲପାଇବାରେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିବାରୁ ନିଜକୁ ଗୌରବାନ୍ୱିତ ମନେକରିଥିବା ପ୍ରକାଶ କରିଥିଲେ । ଅଧ୍ୟାପକ ପ୍ରଦୀପ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ଅଧ୍ୟାପକ ଡ଼ ଜୟକୃଷ୍ଣ ମିଶ୍ର ମାନପତ୍ର ପାଠ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ଉପଢୌକନ, ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ କାର୍ଯ୍ଯକ୍ରମ ଆବାହକ ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସମୂହ ଭଲିବଲ ଓ ଖୋ – ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ ଘାଟିତ
ଢେଙ୍କାନାଳ – ଗଁଦିଆ ବ୍ଳକ ର ସଦର ମହକୁମା ଥିବା ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଢେଙ୍କାନାଳ ଜିଲ୍ଲା ସମୂହ ଭଲିବଲ୍ ଓ ଖୋ- ଖୋ କ୍ରୀଡା ପ୍ରତିଯୋଗିତା ବଡ ଆଡ଼ମ୍ବର ସହକାରେ ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରୁଣ କୁମାର ଓଝା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର, ବିଶିଷ୍ଟ ଅତିଥି ଭାବେ ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷା ସେତୁ କମିଟି ର ସଭାପତି ତଥା ପ୍ରାକ୍ତନ ସ୍ବତନ୍ତ୍ର ବିଚାରପତି ସିବିଆଇ ଭିକାରୀ ଚରଣ ରାଉତ, କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଗୋଲକ ନାୟକ କ୍ରୀଡା ଭାଇଚାରାର ବାର୍ତା ପ୍ରଦାନ କରିବା ସହିତ ଶୃଙ୍ଖଳିତ ଜୀବନଯାପନ ଗଠନ ରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ସୁଜାତା ପଟ୍ଟନାୟକ ପ୍ରାରମ୍ଭିକ ଭାଷଣ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରି ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଛାତ୍ରଛାତ୍ରୀମାନେ କ୍ରୀଡା କ୍ଷେତ୍ରରେ ଅନେକ ସଫଳତା ଆଣିଥିବାରୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଭାଇଚାରା ନେଇ ଖେଳିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଁଦିଆ କଣ୍ଠ ଦେହୁରୀ, ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ରାଜେଶ କୁମାର ବାରିକ, ପ୍ରାକ୍ତନ ପରିଚାଳନା ପରିଷଦ ସଭାପତି ଅମୀୟ କୁମାର ଜେନା, ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ, ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ ମଞ୍ଚାସୀନ ହୋଇ ଉଦ୍ ବୋଧନ ଦେଇଥିଲେ।ଜିରାଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶାରିରୀକ ଶିକ୍ଷକ ବିପିନୀ ବିହାରୀ ସାହୁ ମଞ୍ଚ ପରିଚାଳନା କରିଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟ ଗଁଦିଆ ର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହିତ ଢେଙ୍କାନାଳ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ସମସ୍ତ ଶାରୀରିକ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ତଥା ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପାତ୍ର ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଙ୍କ ସହିତ ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ଅଭିବାଦନ ଗ୍ରହଣ କରିଥିଲେ ଓ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୩୯୨ ଜଣ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ର ସମୃଦ୍ଧି ବୃଦ୍ଧି କରିଥିଲେ।
ଢେଙ୍କାନାଳ ଜିଲ୍ଲାକୁ ଶିଶୁଶ୍ରମିକ ମୁକ୍ତ କରିବା ପାଇଁ ୪୪ ଦିନିଆ ସଚେତନତା ଅଭିଯାନ
ଶିଶୁଶ୍ରମିକ ନିୟୋଜନ ରୋକିବାକୁ ବିଭିନ୍ନ ବିଭାଗର ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱ
ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲାକୁ ଶିଶୁଶ୍ରମିକ ମୁକ୍ତ କରିବା ଏବଂ ଶିଶୁଶ୍ରମ ପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ ଲକ୍ଷ୍ୟରେ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ୪୪ ଦିନିଆ ସ୍ୱତନ୍ତ୍ର ସଚେତନତା ଅଭିଯାନ ଚାଲୁ ରହିଛି। ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ନଭେମ୍ବର ୧୪ ତାରିଖ ଶିଶୁ ଦିବସ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ୍ ଓ ଗ୍ରାମପଞ୍ଚାୟତରେ ଚାଲୁ ରହିବ।
ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷରେ ଶିଶୁଶ୍ରମ ପ୍ରଥାର ଉଚ୍ଛେଦ ଓ ଏହା ବିରୋଧରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ମୋନାଲିସା ନାୟକ, ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ଶ୍ରୀ ଗୋଲେଖ ବିହାରୀ ପାଣିଗ୍ରାହୀଙ୍କ ସମେତ ଆରକ୍ଷୀ ଅଧୀକ୍ଷକ, ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ, ଜିଲ୍ଲା ନିୟୋଜନ ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା କଲ୍ୟାଣ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏବଂ ସହକାରୀ ଶ୍ରମ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଯୋଗଦେଇଥିଲେ। ଏଥିସହ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଟ୍ରେଡ୍ ୟୁନିୟନ, ଶିଳ୍ପ ଓ ବାଣିଜ୍ୟ ସଂସ୍ଥା, ଷ୍ଟୋନ୍ କ୍ରସର୍, ଚାଉଳ କଳ ମାଲିକ ସଂଘ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲାକୁ ଶିଶୁଶ୍ରମିକ ମୁକ୍ତ କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ନିୟମିତ ଯାଞ୍ଚ ଓ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ ଉପରେ ଆଲୋଚନା ହୋଇଥିଲା। ୧୪ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଦୋକାନ, ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ନିୟୋଜିତ ନକରିବା ସହ ୧୪ରୁ ୧୮ ବର୍ଷରୁ କମ୍ ବୟସର କିଶୋରମାନଙ୍କୁ ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜନରୁ ଦୂରେଇ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ନିୟମର ଉଲ୍ଲଂଘନ କ୍ଷେତ୍ରରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଆଲୋଚନା କରାଯାଇଥିଲା।
ଅଭିଯାନକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଏକ ସଚେତନତା ରଥର ବ୍ୟବସ୍ଥା କରାଯାଇଛି। ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ, ଢେଙ୍କାନାଳ ପୌରପାଳିକା ଓ ବିଭିନ୍ନ ଗ୍ରାମପଞ୍ଚାୟତ ପରିକ୍ରମା କରି ଶିଶୁଶ୍ରମିକ ପ୍ରଥା ବିରୋଧରେ ଜନସଚେତନତା ସୃଷ୍ଟି କରିବା ସହ ପ୍ରଚାରପତ୍ର ବଣ୍ଟନ କରିବ।
କୌଣସି ସ୍ଥାନରେ ଶିଶୁଶ୍ରମିକ ନିୟୋଜିତ ହେଉଥିବା ଦେଖିଲେ ତୁରନ୍ତ ଚାଇଲ୍ଡ ହେଲ୍ପଲାଇନ୍ ନମ୍ବର ୧୦୯୮ କିମ୍ବା ନିକଟସ୍ଥ ଶ୍ରମ କାର୍ଯ୍ୟାଳୟରେ ସୂଚନା ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କୁ ନିବେଦନ କରାଯାଇଛି। କାର୍ଯ୍ୟକ୍ରମକୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ତପନ କୁମାର ସୂତାର ପରିଚାଳନା କରିଥିଲେ।
ଢେଙ୍କାନାଳରେ ଜାତୀୟ ଏକତା ଦିବସ ପାଳିତ
ଏକତା ଦୌଡ଼ରେ ୪୦୦ରୁ ଊର୍ଦ୍ଧ୍ୱ ସାମିଲ, ସନ୍ଧ୍ୟାରେ ପୋଲିସ ପକ୍ଷରୁ ଆନୁଷ୍ଠାନିକ ପରେଡ୍ ଅନୁଷ୍ଠିତ
ଢେଙ୍କାନାଳ- ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଆଜି ଢେଙ୍କାନାଳ ଜିଲ୍ଲାରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳେ ‘ଏକତା ପାଇଁ ଦୌଡ଼’ (Run for Unity) ଏବଂ ସନ୍ଧ୍ୟାରେ ଢେଙ୍କାନାଳ ପୋଲିସ ପକ୍ଷରୁ ଆନୁଷ୍ଠାନିକ ପରେଡ୍ ଆୟୋଜିତ ହୋଇଥିଲା।
ସକାଳେ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ଅଡିଟୋରିୟମ୍ଠାରେ ଆୟୋଜିତ ସ୍ୱାଗତ ସଭା ପରେ ଏକତା ଦୌଡ଼କୁ ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଲଳିତ ମୋହନ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସକାଳର ଘନ କୁହୁଡ଼ିକୁ ଖାତିର ନକରି ୪୦୦ରୁ ଊର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଏହି ଦୌଡ଼ରେ ସାମିଲ ହୋଇ ଜାତୀୟ ଏକତାର ବାର୍ତ୍ତା ପ୍ରସାର କରିଥିଲେ।
ସ୍ୱାଗତ ସଭାରେ ଉଦ୍ବୋଧନ ଦେଇ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମାନେ କହିଥିଲେ ଯେ, ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଢ଼ିତୋଳିବା ପାଇଁ ଜାତୀୟ ଏକତା ଓ ସଂହତି ଅପରିହାର୍ଯ୍ୟ। ଚଳିତ ବର୍ଷର ଏକତା ଦିବସର ବିଷୟବସ୍ତୁ ‘ନିଶାମୁକ୍ତ ଭାରତ’ ଉପରେ ଗୁରୁତ୍ୱାରୋପ କରି ସେ ଏକ ସୁସ୍ଥ ଓ ସଶକ୍ତ ସମାଜ ଗଠନ ପାଇଁ ନିଶାମୁକ୍ତି ଆନ୍ଦୋଳନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ କହିଥିଲେ ଯେ, ଦେଶର ପ୍ରଗତି ଆମର ଏକତା ଓ ସାମୂହିକ ଦାୟିତ୍ୱବୋଧ ଉପରେ ନିର୍ଭର କରେ। ବିଶ୍ୱର ବିଭିନ୍ନ ଦେଶରେ ଚାଲିଥିବା ଆନ୍ଦୋଳନ ଓ ବିଶୃଙ୍ଖଳାର ଉଦାହରଣ ଦେଇ ସେ କହିଥିଲେ ଯେ, ଶତ୍ରୁପକ୍ଷର ପ୍ରରୋଚନା ବା ପ୍ରୋତ୍ସାହନରେ ଏଭଳି ଘଟଣା ଘଟିଲେ ତାହା ଦେଶର ବିକାଶକୁ ବାଧାପ୍ରାପ୍ତ କରିପାରେ। ତେଣୁ ଜାତୀୟ ସ୍ୱାର୍ଥ ଓ ଏକତାକୁ ସର୍ବଦା ପ୍ରାଧାନ୍ୟ ଦେବା ଆବଶ୍ୟକ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବେହେରା ମଧ୍ୟ ଏକ ଶକ୍ତିଶାଳୀ ଓ ବିକଶିତ ରାଷ୍ଟ୍ର ଗଠନ ପାଇଁ ଜାତୀୟ ଏକତାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇଥିଲେ।
ସନ୍ଧ୍ୟାରେ ରିଜର୍ଭ ଲାଇନ୍ ପୋଲିସ ପଡ଼ିଆଠାରେ ଆୟୋଜିତ ଆନୁଷ୍ଠାନିକ ପରେଡ୍ରେ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ, ତାଳଚେରର ଡିଆଇଜି ଶ୍ରୀ ଆଶିଷ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଉପସ୍ଥିତ ସମସ୍ତଙ୍କୁ ଜାତୀୟ ଏକତା ଦିବସର ଶପଥ ପାଠ କରାଇଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ସାକାର କରିବା ପାଇଁ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ଯେକୌଣସି ପରିସ୍ଥିତିରେ ଅକ୍ଷୁଣ୍ଣ ରଖିବା ଆବଶ୍ୟକ।
ଏହି ଅବସରରେ ଯୋଗ୍ୟ ବରିଷ୍ଠ ନାଗରିକମାନଙ୍କୁ ବରିଷ୍ଠ ନାଗରିକ ପରିଚୟପତ୍ର ବଣ୍ଟନ କରାଯାଇଥିଲା। ଏଥିସହ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଆୟୋଜିତ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ କୃତିତ୍ୱ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ପରେଡ୍ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ, ଶ୍ରୀମତୀ ଇନ୍ଦୁରେଖା ପଶ୍ଚିମକବାଟ, ଶ୍ରୀ ନିରଞ୍ଜନ ପାଢ଼ୀ, ଢେଙ୍କାନାଳ ସଦର ଏସ୍ଡିପିଓ ଶ୍ରୀ ରମେଶ ଚନ୍ଦ୍ର ଦୋରା, ଡିଏସ୍ପି (ମାନବାଧିକାର ସୁରକ୍ଷା ସେଲ୍) ଶ୍ରୀମତୀ ସନ୍ଧ୍ୟାରାଣୀ ବେହେରାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ। ରିଜର୍ଭ ଇନ୍ସପେକ୍ଟର (ହୋମଗାର୍ଡ) ଶ୍ରୀ ସାଗର ତାପୋ ପରେଡ୍ର ନେତୃତ୍ୱ ନେଇଥିବା ବେଳେ ଶ୍ରୀ ଜ୍ୟୋତି ପ୍ରକାଶ ପଟ୍ଟନାୟକ ଦ୍ୱିତୀୟ କମାଣ୍ଡ ଭାବେ ଦାୟିତ୍ୱ ତୁଲାଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା।
ଉଲ୍ଲେଖଯୋଗ୍ୟ ଯେ, ଜାତୀୟ ଏକତା ଦିବସ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀକୁ ସ୍ମରଣ କରିବା ସହ ଦେଶର ରାଜନୈତିକ ଏକୀକରଣ ଓ ଜାତୀୟ ସଂହତି ପ୍ରତି ତାଙ୍କର ଅବିସ୍ମରଣୀୟ ଅବଦାନକୁ ସମ୍ମାନ ଜଣାଇବାର ଏକ ଅବସର। ଏହି ଦିବସ ଦେଶର ବିବିଧତା ମଧ୍ୟରେ ଏକତା, ଅଖଣ୍ଡତା, ସୁରକ୍ଷା ଓ ସାମାଜିକ ସଦ୍ଭାବନା ବଜାୟ ରଖିବାର ଗୁରୁତ୍ୱକୁ ସ୍ମରଣ କରାଇଥାଏ।
ଇକାର୍ଡା (ICARDA) ଦ୍ୱାରା ହରଡ଼ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ
ଢେଙ୍କାନାଳ – ଶଙ୍କରପୁର ଗ୍ରାମରେ ‘ଇକାର୍ଡା’ (ICARDA) ସଂସ୍ଥା ଦ୍ୱାରା ଏକ ହରଡ଼ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଇକାର୍ଡାର ଦକ୍ଷିଣ ଏସିଆ ଓ ଚୀନ୍ ପାଇଁ ଆଞ୍ଚଳିକ ସଂଯୋଜକ ଡଃ ଶିବ କୁମାର ଅଗ୍ରୱାଲ,ଇକାର୍ଡା ଓଡ଼ିଶା ମୁଖ୍ୟ ଡଃ କିଶୋର ବେହେରା,’ଓସୱା’ (OSVSWA) ଅନୁଷ୍ଠାନର ପରାମର୍ଶଦାତା ଶ୍ରୀ ସତ୍ୟନାରାୟଣ ମିଶ୍ର,ଜିଲ୍ଲା ସଂଯୋଜକ ଆଶିଷ କୁମାର ଜେନା ଏବଂ ବ୍ଲକ୍ ସଂଯୋଜକ ଆଶୀର୍ବାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶଙ୍କରପୁର ଗ୍ରାମର ୨୫ ଜଣ ଚାଷୀଙ୍କ ଦ୍ୱାରା ପ୍ରାୟ ୨୦ ହେକ୍ଟର (୫୦ ଏକର) ଜମିରେ LRG – 133 – 33 କିସମ ଧାଡ଼ି ରୋପଣ ପ୍ରଣାଳୀରେ ହରଡ଼ ଫସଲ ଚାଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାର , ICARDA ଓ ଓସୱା ସଂସ୍ଥା ର ମିଳିତ ସହଯୋଗରେ କରାଯାଇଛି। ଡଃ ଅଗ୍ରୱାଲ କ୍ଷେତ୍ର ପରିଦର୍ଶନ କରିବା ସହ ଫସଲର ସଠିକ୍ ଯତ୍ନ, ଅନ୍ତ ଚାଷ (Intercropping) ଏବଂ ଅଧିକ ଅମଳ ପାଇବା ସମ୍ବନ୍ଧରେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ଅମଳ ପରେ ଉତ୍ପାଦର ସଠିକ୍ ବଜାରୀକରଣ (Market Linkage) ମାଧ୍ୟମରେ କିପରି ଉଚିତ୍ ମୂଲ୍ୟ ମିଳିପାରିବ,ସେ ବିଷୟରେ ପରାମର୍ଶ ଦେଇଥିଲେ। ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ ଓ କୃଷକମାନଙ୍କ ସହଯୋଗରେ ସଫଳ ହୋଇଥିବା ଏହି ହରଡ଼ ଚାଷକୁ ସ୍ଥାନୀୟ ଅଞ୍ଚଳରେ ବହୁତ ପ୍ରଶଂସା କରାଯାଇଛି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ,ଇକାର୍ଡା ଏବଂ ଓସୱା ସଂସ୍ଥାର ମିଳିତ ସହଯୋଗରେ ହୋଇଥିବା ଏହି ଅଭିନବ ପ୍ରୟାସକୁ କୃଷକ ଓ ସ୍ଥାନୀୟ ଲୋକେ ସାଧୁବାଦ ଜଣାଇଛନ୍ତି।
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

