ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିର୍ସା ମୁଣ୍ଡା ଜୟନ୍ତୀ ପାଳନ ପାଇଁ ଭାରତ ମୁଣ୍ଡା ସମାଜର ପ୍ରସ୍ତୁତି ବୈଠକ, ରାଇରଙ୍ଗପୁରରେ ହେବ ଭବ୍ୟ ଆୟୋଜନ

ବିର୍ସା ମୁଣ୍ଡା ଜୟନ୍ତୀ ପାଳନ ପାଇଁ ଭାରତ ମୁଣ୍ଡା ସମାଜର ପ୍ରସ୍ତୁତି ବୈଠକ, ରାଇରଙ୍ଗପୁରରେ ହେବ ଭବ୍ୟ ଆୟୋଜନ

ରାଇରଙ୍ଗପୁର – ୩/୧୧ ମହାନ ଆଦିବାସୀ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଧାରତି ଆବା ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ପାଳନ ନିମନ୍ତେ ଭାରତ ମୁଣ୍ଡା ସମାଜ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବିଜାତଳା ବ୍ଲକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତର ହୁଟୁଡି ନୂଆଗାଁ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।

ଚଳିତ ମାସ ୧୫ ତାରିଖରେ ରାଇରଙ୍ଗପୁରଠାରେ ବିର୍ସା ମୁଣ୍ଡା ଜୟନ୍ତୀ ମହାସମାରୋହରେ ପାଳନ କରିବାକୁ ବୈଠକରେ ସ୍ଥିର କରାଯାଇଛି। ପୂର୍ବତନ ବିଇଓ ନପୋଲ ମୁଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଦିଗାମ୍ବର ସିଂ ଓ ଭରତ ଚନ୍ଦ୍ର ସିଂ ଅତିଥି ଭାବେ ଯୋଗଦେଇଥିଲେ। ଜୟନ୍ତୀ ଉତ୍ସବର ଆୟୋଜନ ଦାୟିତ୍ୱ ନପୋଲ ମୁଣ୍ଡା ନେଇଛନ୍ତି।

ବୈଠକରେ ବିର୍ସା ମୁଣ୍ଡାଙ୍କ ବୀରତ୍ୱ, ତ୍ୟାଗ, ସଂଘର୍ଷ ଓ ଆଦିବାସୀ ସମାଜର ଅଧିକାର ସୁରକ୍ଷା ପାଇଁ ତାଙ୍କର ଐତିହାସିକ ଅବଦାନକୁ ସ୍ମରଣ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ, ସାମାଜିକ ଏକତା, ଭାଇଚାରା ଓ ସାଂସ୍କୃତିକ ଚେତନା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏଥିସହ ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱୀକୃତି ଦାବିକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ମୁଣ୍ଡାରୀ ଭାଷାର ଲିପି ‘ମୁଣ୍ଡାରୀ ବାନି’ର ବ୍ୟାପକ ପ୍ରଚାରପ୍ରସାର, ଭାଷାଭାଷୀ ଅଞ୍ଚଳର ପ୍ରତ୍ୟେକ ଗାଁରେ ସଚେତନତା ବୈଠକ, ମୁଣ୍ଡାରୀ ଭାଷା ଶିକ୍ଷା ପାଇଁ ବିଦ୍ୟାଳୟ ସ୍ଥାପନ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ ଦାବି ଉଠିଥିଲା।

ସେହିପରି ମୁଣ୍ଡାରୀ ବାନି ଲିପିରେ ଅଧିକ ସଂଖ୍ୟକ ପୁସ୍ତକ ପ୍ରକାଶନ ଓ ସାହିତ୍ୟ ସୃଷ୍ଟିକୁ ପ୍ରୋତ୍ସାହନ ଦେବା ସହ ଭାଷାର ସାମ୍ବିଧାନିକ ସ୍ୱୀକୃତି ଦାବିକୁ ତୃଣମୂଳ ସ୍ତରରୁ କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା, ଜନସମାବେଶ ଓ ଧାରଣା ଭଳି ଗଣତାନ୍ତ୍ରିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ମତ ପ୍ରକାଶ ପାଇଥିଲା।

ଏହି ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟଣ ପାଇଁ ଆର୍ଥିକ ସହଯୋଗର ଆବଶ୍ୟକତା ରହିଥିବାରୁ ସମାଜର ଆର୍ଥିକ ଭାବେ ସକ୍ଷମ ବ୍ୟକ୍ତିବିଶେଷ ଓ ସରକାରୀ କର୍ମଚାରୀମାନେ ଆଗେଇ ଆସି ଶିକ୍ଷା, ଭାଷା ଓ ସାହିତ୍ୟର ବିକାଶରେ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଥିଲା।

ଆଗାମୀ ସାଧାରଣ ସଭା ଓ ମିଳନ ଉତ୍ସବରେ ମୁଣ୍ଡା ସମାଜର ଛାତ୍ରଛାତ୍ରୀ, ଯୁବକ-ଯୁବତୀ, ବୁଦ୍ଧିଜୀବୀ ଓ ସମାଜପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗଦେଇ ଉତ୍ସବକୁ ସଫଳ କରିବା ସହ ସମାଜର ସର୍ବାଙ୍ଗୀଣ ବିକାଶ ପାଇଁ ଏକଜୁଟ ହେବାକୁ ଅନୁରୋଧ କରାଯାଇଥିଲା।

“ଶିକ୍ଷା ଆମ ଅଧିକାର, ଏକତା ଆମ ଶକ୍ତି” ସ୍ଲୋଗାନକୁ ଆଧାର କରି ମୁଣ୍ଡା ସମାଜର ଶିକ୍ଷା, ଭାଷା, ସାହିତ୍ୟ ଓ ସାଂସ୍କୃତିକ ଅଧିକାରର ସୁରକ୍ଷା ପାଇଁ ସମସ୍ତେ ଏକତାବଦ୍ଧ ହେବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ଓ ଦଣ୍ଡପାଟ ଯୁବ ସେବା ସଂଗଠନ ପକ୍ଷରୁ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ

masiha

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୪ ପାଳିତ 

masiha

ରାଇରଙ୍ଗପୁର ଜଳସେଚନ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷପାଳନ ସମାରୋହ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!