ଧର୍ମଗଡ଼ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ: ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ଶୁଭାରମ୍ଭ
ଧର୍ମଗଡ଼ :ଧର୍ମଗଡ଼ ବ୍ଲକ ଧଅଁରପୁର ଗ୍ରାମଠାରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ ମହୋତ୍ସବ ଆଜି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧାସଳଖ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁଦୂର ଭୁବନେଶ୍ୱରରୁ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା, ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଏବଂ ଡିଜିଟାଲ୍ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ତୃତୀୟ ପର୍ଯ୍ୟାୟରେ ସାରା ରାଜ୍ୟରେ ମୋଟ ୬୩୦ଟି ସ୍ଥାନରେ ଏହି ବିଦ୍ୟାଳୟ ଗୁଡ଼ିକର ଶୁଭାରମ୍ଭ କରାଯାଇଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ୧୬ଟି ଏବଂ ଧର୍ମଗଡ଼ ବ୍ଲକର ୨ଟି ସ୍ଥାନ (ତରାପୁର ଓ ଧଅଁରପୁର)ରେ ଏହି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି।
ଧଅଁରପୁର ଠାରେ ଆୟୋଜିତ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆପଣଙ୍କ ଅଭିଭାଷଣରେ ବିଧାୟକ ଶ୍ରୀ ପଟ୍ଟଯୋଶୀ କହିଥିଲେ ଯେ, “ଏହା ସରକାରଙ୍କର ଏକ ଐତିହାସିକ ପଦକ୍ଷେପ। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ପୂର୍ବରୁ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଥିଲେ। ମାତ୍ର ଏବେ ଗାଁ ଗଣ୍ଡାର ପିଲାମାନେ ଉପଯୁକ୍ତ ଭିତ୍ତିଭୂମି ଓ ଆଧୁନିକ ସୁବିଧା ସୁଯୋଗ ମଧ୍ୟରେ ପାଠ ପଢ଼ିବାର ସୁଯୋଗ ପାଇବେ। ଡିଜିଟାଲ୍ ଶିକ୍ଷା ସହିତ ଅତ୍ୟାଧୁନିକ କମ୍ପ୍ୟୁଟର ଶିକ୍ଷାର ସୁଫଳ ଗ୍ରାମୀଣ ଛାତ୍ରଛାତ୍ରୀ ପାଇପାରିବେ।”
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ବାଗ, ସହ-ଶିକ୍ଷା ଅଧିକାରୀ ବିଶ୍ୱଜିତ ବେହେରା, ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ଧଅଁରପୁର ସରପଞ୍ଚ ଗୌରୀ ସେଠିଆ, ସମିତି ସଭ୍ୟା କନକ ସେଠିଆ, ଜିଲ୍ଲା ଶିକ୍ଷକ ସଂଘ ସଭାପତି ପଦ୍ମଲୋଚନ ନାଏକ, ବ୍ଲକ ସଭାପତି କ୍ଷେତ୍ର ମୋହନ ମାଝୀ, ଛଞ୍ଚାଣବାହେଲି ସିଆରସି ଆଶିଷ ପ୍ରଧାନୀ, ପ୍ରଧାନ ଶିକ୍ଷକ ଚୈତନ ପୟାସିଂ, ସମାଜସେବୀ ଅଜୟ ମେହେର ଏବଂ ପୂର୍ବତନ ସରପଞ୍ଚ ସୂର୍ଯ୍ୟମଣି ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ସିଆରସି ଆଶିଷ ପ୍ରଧାନୀ ଓ ଶିକ୍ଷକ ଭକ୍ତ ଚରଣ ସୁନାନୀ ସଂଚାଳନ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….

