ଧର୍ମଗଡ଼ରେ ବାଣ ଫୁଟି ଅଘଟଣ: ଯୁବକଙ୍କ ହାତ ପାପୁଲି ଉଡ଼ିଗଲା, ୧୦ରୁ ଊର୍ଦ୍ଧ୍ବ ଆହତ
ଧର୍ମଗଡ଼:ଦୀପାବଳି ଉତ୍ସବର ଆନନ୍ଦ କଳାହାଣ୍ଡି ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଧର୍ମଗଡ଼ ଉପଖଣ୍ଡ ଅନ୍ତର୍ଗତ ଗୋଡ଼ଭଞ୍ଜା ଗ୍ରାମରେ ବାଣ ଫୁଟି ଏକ ଭୟଙ୍କର ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇ ହାତ ପାପୁଲି ହରାଇଥିବା ବେଳେ ୧୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗୋଡ଼ଭଞ୍ଜା ଗ୍ରାମର ପିଣ୍ଟୁ ପଟେଲ ନାମକ ଜଣେ ଯୁବକ ବାଣ ଫୁଟାଉଥିବା ସମୟରେ ଏକ ଶକ୍ତିଶାଳୀ ବାଣ ତାଙ୍କ ହାତରେ ଅକସ୍ମାତ ଫୁଟିଯାଇଥିଲା। ବାଣର ତୀବ୍ରତା ଏତେ ଅଧିକ ଥିଲା ଯେ ତାଙ୍କ ହାତ ପାପୁଲି ବିଚ୍ଛିନ୍ନ ହୋଇ ଉଡ଼ିଯାଇଥିଲା। ଫଳରେ ପ୍ରଚୁର ରକ୍ତସ୍ରାବ ସହ ସେ ଘଟଣାସ୍ଥଳରେ ହିଁ ଛଟପଟ ହୋଇ ଗୁରୁତର ହୋଇପଡ଼ିଥିଲେ।
ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ତୁରନ୍ତ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ (SDH)କୁ ନିଆଯାଇଥିଲା। ତେବେ ପିଣ୍ଟୁଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଭବାନୀପାଟଣା ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର ଏବଂ ପରେ ତାଙ୍କୁ ବୁର୍ଲା ମେଡିକାଲ କୁ ରେଫର୍ କରାଯାଇଥିବା ଜଣା ଯାଇଛି। ସୁଚନା ଯୋଗ୍ୟ ଯେ,ବାଣ ଫୁଟାଉଥିବା ଜିଲ୍ଳାର ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ୧୦ରୁ ଊର୍ଦ୍ଧ୍ବ ଲୋକ ସାମାନ୍ୟରୁ ମଧ୍ୟମ ଧରଣର ଆହତ ହୋଇଥିବା ମଧ୍ଯ ଖବର ମିଳିଛି।
ଚଳିତ ବର୍ଷ ପାର୍ବଣ ଋତୁ ରେ ଜିଲ୍ଲାର ବିଭିନ୍ନ ମେଡିକାଲରେ ବାଣ ଜନିତ ଆହତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗଭୀର ଚିନ୍ତା ପ୍ରକାଶ କରାଯାଇଛି। ଶକ୍ତିଶାଳୀ ବାଣ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ତାକୁ ପାଳନ କରାଯାଇ ନାହିଁ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….

