ବଗାଡ଼ ସ୍କୁଲରେ ସୁକନ୍ୟା ସମୃଦ୍ଧି ଯୋଜନା ସଚେତନତା ଶିବିର: ୧୮ ଜଣ ଛାତ୍ରୀଙ୍କୁ ପାସ୍ବୁକ୍ ବଣ୍ଟନ
ଧର୍ମଗଡ଼ : ବାଳିକାମାନଙ୍କ ଉଚ୍ଚଶିକ୍ଷା, ଉଜ୍ଜ୍ୱଳ ଭବିଷ୍ୟତ ଓ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି କଳାହାଣ୍ଡି ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବଗାଡ଼ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସୁକନ୍ୟା ସମୃଦ୍ଧି ଯୋଜନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ସହକାରୀ ନିର୍ଦ୍ଦେଶକ ବିବେକାନନ୍ଦ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଡିଓ ସଦାଶିବ ନାୟକ, ଡେପୁଟି କଲେକ୍ଟର ଅମିତ କୁମାର ବେହେରା, ସ୍ଥାନୀୟ ସରପଞ୍ଚ ବିନୋଦିନୀ ଗୌଡ଼, ଜିଲ୍ଲା ଆର୍ଥିକ ସାକ୍ଷରତା ସଂଯୋଜକ ଧ୍ରୁବ ପ୍ରସାଦ ସିଂ, ଏବିଇଓ ବିଶ୍ୱଜିତ ବେହେରା, ଧର୍ମଗଡ଼ ସବ୍ପୋଷ୍ଟ ମାଷ୍ଟର ଶମ୍ଭୁ ପ୍ରସାଦ ମେହେର, ବଗାଡ଼ ପୋଷ୍ଟ ମାଷ୍ଟର ଶରତ ଚନ୍ଦ୍ର ସାହୁ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଶିକ୍ଷକ ବଟକୃଷ୍ଣ ବେହେରା ଏବଂ ଅବସରପ୍ରାପ୍ତ ପୋଷ୍ଟାଲ ଇନ୍ସପେକ୍ଟର ଗୌରଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ଝିଅମାନଙ୍କ ପାଇଁ ଏକ କ୍ଷୁଦ୍ର ସଞ୍ଚୟ ଯୋଜନା, ଯାହା ମାଧ୍ୟମରେ ଅଭିଭାବକମାନେ ନିଜ ଝିଅଙ୍କ ଭବିଷ୍ୟତ ଶିକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଅର୍ଥ ସଞ୍ଚୟ କରିପାରିବେ। ଏହା ମହିଳା ସଶକ୍ତୀକରଣ ଓ ଆର୍ଥିକ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ବିଦ୍ୟାଳୟର ୧୮ ଜଣ ଛାତ୍ରୀଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାର ପାସ୍ବୁକ୍ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷକ ଶିବଶଙ୍କର ମିଶ୍ର ଓ ରାଜେନ୍ଦ୍ର ଦୁରିଆ ପରିଚାଳନା କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….

