ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଶମ ପରୀକ୍ଷାର୍ଥୀ ଅନୁପସ୍ଥିତ ଘଟଣା ପରେ ପଦକ୍ଷେପ: ସ୍କୁଲ୍‌ ନ ଆସିଲେ ମିଳିବନି ସାଇ‌କେଲ୍‌

ସାଇକେଲ ଟଙ୍କା ନେଲେ, ସ୍କୁଲ ଆସିଲେନି…

ସ୍କୁଲ ନ ଆସି ସାଇକେଲ ନେଉଥିଲେ କି ଛାତ୍ରଛାତ୍ରୀ?

ଶିକ୍ଷା ଅଧିକାରୀଙ୍କୁ ମଗାଗଲା ୯ମ ପିଲାଙ୍କ ତଥ୍ୟ….

ମାଟ୍ରିକ୍‌ ପରୀକ୍ଷାରେ ୪୩ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ଘଟଣା ସାମ୍ନାକୁ ଆସିବା ପରେ ତନାଘନା ଚାଲିଛି। କେଉଁଠି ତ୍ରୁଟି ରହିଲା? ଏତେ ସଂଖ୍ୟକ ପିଲା କାହିଁକି ଅଧାରୁ ପାଠ ଛାଡ଼ିଲେ? କେଉଁ କାରଣ ଲାଗି ପରୀକ୍ଷା ଦେବାକୁ ଆସିଲେ ନାହିଁ? ଏନେଇ ସ୍କୁଲସ୍ତରରୁ ଖୋଳତାଡ଼ ଚାଲିଥିବା ବେଳେ ନବମ ଶ୍ରେଣୀରେ ନାମ ଲେଖା ହୋଇଥିବା ୩୦% ଛାତ୍ରଛାତ୍ରୀ ଆଦୌ କ୍ଲାସ କରିବାକୁ ଆସି ନ ଥିବା କଥା ସାମ୍ନାକୁ ଆସିଛି। କରୋନା କାଳରେ କିଏ ଅନ୍ୟ ଜିଲ୍ଲାକୁ ଚାଲିଯାଇଥିଲେ ତ ଆଉ କିଏ ବାହାର ରାଜ୍ୟକୁ ପଳାଇ ଯାଇଛନ୍ତି। କେହି କେହି ଛାତ୍ରୀ ବିବାହ ବି କରିଛନ୍ତି। ମାତ୍ର ସେମାନେ ସାଇକେଲ୍‌ ବାବଦ ଅର୍ଥ ହାତେଇଛନ୍ତି। ଅଷ୍ଟମରୁ ନବମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା କ୍ଷଣି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସାଇକେଲ୍‌ ବାବଦ ଅର୍ଥ ଯାଇଛି। ମାତ୍ର ସେମାନେ ସ୍କୁଲ କ୍ୟାମ୍ପସ ମାଡ଼ିନାହାନ୍ତି। ସାଇକେଲ୍‌ କିଣିଛନ୍ତି କି ନାହିଁ ତାହାର ବି ଖୋଜ ଖବର ନାହିଁ। ଏବାବଦ ମିଳିଥିବା ଅର୍ଥ ସେମାନେ କ’ଣ କଲେ ତାହା ବି କାହାକୁ ଜଣାନାହିଁ।

ସାଇକେଲ୍‌ ବାବଦରେ ୨୬୦୦ ଟଙ୍କା ପାଇବା ପରେ ପିଲା ସ୍କୁଲ ଆସି ନ ଥିବା ନେଇ ଡିଇଓଙ୍କଠାରୁ ରିପୋର୍ଟ ମିଳିବା ପରେ ଗଣଶିକ୍ଷା ବିଭାଗର ଚେତା ପଶିଛି। ଏବର୍ଷ ନିଷ୍ପତ୍ତି ହୋଇଛି ଯେ ପିଲା ସ୍କୁଲକୁ ଆସିଲେ ହିଁ ସାଇକେଲ୍‌ ପାଇବେ। ନାମ ଲେଖାଇ ସ୍କୁଲ ଆସୁ ନ ଥିଲେ ସାଇକେଲ୍‌ ବାବଦ ଅର୍ଥ ପ୍ରଦାନ କରାଯିବ ନାହିଁ। ସାଇକେଲ୍‌ ଅର୍ଥ ବଣ୍ଟନ ପୂର୍ବରୁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନେ ପିଲାଙ୍କ ତଥ୍ୟ ଭଲ ଭାବେ ଯାଞ୍ଚ କରିବେ। ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଯେଉଁ ତଥ୍ୟ ଦେଉଛନ୍ତି ତାହା କେତେ ଠିକ୍‌? ସବୁ ପିଲା ସ୍କୁଲ ଆସୁଛନ୍ତି ନା କା‌ଗଜ କଲମରେ ନାଁ ଲେଖାଯାଇ ସାଇକେଲ୍‌ ଅର୍ଥ ନେଉଛନ୍ତି ସେନେଇ ତୃଣମୂଳସ୍ତରର ଅନୁଧ୍ୟାନ କରିବେ। ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବା ପରେ ହିଁ ପିଲାଙ୍କୁ ସାଇକେଲ ବାବଦ ଅର୍ଥ ଦିଆଯିବ। ତା’ ପୂର୍ବରୁ ନବମ ଶ୍ରେଣୀରେ ନାମ ଲେଖାଇଥିବା ପିଲାଙ୍କ ତଥ୍ୟ ମାଗିଛି ଗଣଶିକ୍ଷା ବିଭାଗ। ନାମଲେଖା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ସହ କେଉଁ ସ୍କୁଲରେ କେତେ ପିଲା ନାମ ଲେଖାଇଛନ୍ତି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନିଖୋଜ କେନ୍ଦ୍ର କର୍ମଚାରୀଙ୍କ ପାଇଁ ପେନସନ ନିୟମ କୋହଳ କଲେ ସରକାର

କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଉଦଯାପିତ 

Sunil Chandra Nayak

କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଳିତ

Leave a Comment

error: Content is protected !!