ଶ୍ରୀମଦ୍ ଭଗବତ୍ ଗୀତାର ଷୋଡ଼ଶ ଅଧ୍ଯାୟର ସାରକଥା — ୧୬
ଗତ ଅଧ୍ଯାୟ ଶେଷରେ ଭଗବାନ୍ କହିଲେ – ପୁରୁଷୋତ୍ତମ ତତ୍ତ୍ବ ଜାଣିପାରିଲେ ବ୍ଯକ୍ତ ସର୍ବଜ୍ଞ ହୁଏ । ଏ ଅଧ୍ଯାୟର ଆରମ୍ଭରେ କହିଲେ-ଅଭୟ , ସତ୍ତ୍ବ ସଂଶୁଦ୍ଧି , ଜ୍ଞାନ , ଦମ୍ଭ , ଯଜ୍ଞ , ଆର୍ଜବ , ଯୋଗବ୍ଯବସ୍ଥିତି , ଅହିଂସା , ସତ୍ଯ , ଅକ୍ରୋଧ , ତ୍ଯାଗ , ଶାନ୍ତି , ପରନିନ୍ଦାବର୍ଜନ , ତେଜ , କ୍ଷମା , ଧୈର୍ଯ୍ୟ ଓ ଶୌଚ ଆଦି ୨୬ଟି ଗୁଣ ଦୈବୀ ପ୍ରକୃତି ବିଶିଷ୍ଟ ବ୍ଯକ୍ତିଠାରେ ଦେଖିବାକୁ ମିଳିଥାଏ । ଦମ୍ଭ , ଦର୍ପ ଅଭିମାନ , କ୍ରୋଧ ଓ ଅଜ୍ଞାନ ପ୍ରଭୃତି ଗୁଣ ଆସୁରୀ ପ୍ରକୃତି ବିଶିଷ୍ଟ ବ୍ଯକ୍ତିଠାରେ ଥାଏ । ଦୈବୀ ସଂପଦ୍ ଥିବା ବ୍ଯକ୍ତିମାନେ ମୋକ୍ଷଲାଭ କରନ୍ତି ଏବଂ ଆସୁରୀ ସଂପଦ ଥିବା ବ୍ଯକ୍ତିମାନେ ନରକଗାମୀ ହୁଅନ୍ତି । ଦୈବୀସଂପଦ ବିଷୟରେ ଆଗରୁ ଅନେକ କଥା କୁହାଯାଇଛି । ବର୍ତ୍ତମାନ ଆସୁରୀ ସଂପଦ ବିଷୟରେ ଜାଣ ।
ଆସୁରୀ ପ୍ରକୃତିର ବ୍ଯକ୍ତିମାନେ ସତ୍ କାର୍ଯ୍ଯରେ ପ୍ରବୃତ୍ତି ଓ ଅସତ୍ କାର୍ଯ୍ୟରେ ନିବୃତ୍ତି ବୁଝନ୍ତି ନାହିଁ । ସେମାନଙ୍କର ଶୌଚ , ଆଚାର ଓ ସତ୍ଯ ପ୍ରଭୃତି ନଥାଏ । ଈଶ୍ବରଙ୍କର ଅସ୍ତିତ୍ବ ସେମାନେ ସ୍ବୀକାର କରନ୍ତି ନାହିଁ । ସ୍ତ୍ରୀପୁରୁଷଙ୍କ ସଂଯୋଗରେ ଏ ସୃଷ୍ଟି ହୋଇଛି ବୋଲି ସେମାନେ କହନ୍ତି । ଜଗତର କୌଣସି ନିୟମ ବା ଶୃଙ୍ଖଳା ନାହିଁ । ତେଣୁ ସେମାନେ ବିଭିନ୍ନ କାମନାର ବଶବର୍ତ୍ତୀ ହୋଇ ଅସତ୍ ଉପାୟରେ ଧନ ସଂଗ୍ରହ କରି ସଞ୍ଚୟ କରନ୍ତି । ସେମାନେ ନିଜକୁ ଈଶ୍ବର , ଭୋଗୀ , ସିଦ୍ଧ , ବଳବାନ୍ , ଆଢ୍ଯ , ଆଦି ମନେ କରନ୍ତି । ସେମାନଙ୍କ ଦ୍ବାରା ଦୁନିଆରେ ସବୁ ସମ୍ଭବ ବୋଲି ସେମାନେ କହନ୍ତି । ନିଜ ଇଛାମୁତାବକ ଯଜ୍ଞାଦି ଅନୁଷ୍ଠାନ କରି ନାନା ମଉଜ ମଜଲିସ୍ କରନ୍ତି । ଅବିଧିରେ ଅନୁଷ୍ଠାନ କରୁଥିବା ପୂଜା ଓ ଯଜ୍ଞ ପାଇଁ ପଶୁହତ୍ଯା କରନ୍ତି । ଏଣୁ ଜୀବମାନଙ୍କ ଦେହସ୍ଥ ଆତ୍ମାଙ୍କ ପ୍ରତି ସେ ହିଂସା ଆଚରଣ କରନ୍ତି । ଫଳରେ ସେମାନଙ୍କର ନରକଗତି ହୁଏ । ସେମାନେ ସର୍ପ ବ୍ଯାଘ୍ର ପ୍ରଭୃତି ହିଂସ୍ର ଯୋନିରେ ଜନ୍ମଲାଭ କରନ୍ତି । ପୁଣି କୀଟ ପତଙ୍ଗ ଯୋନି ମଧ୍ଯ ଲାଭ କରନ୍ତି । ସେ ସବୁରୁ ଉଦ୍ଧାର ପାଇବାର ଆଶା ସେମାନଙ୍କର ନଥାଏ । ସେମାନେ ରଜଃ ଗୁଣ ଓ ତମଃ ଗୁଣର ପ୍ରାବଲ୍ଯରୁ ଏପରି କର୍ମ କରିଥାନ୍ତି । କାମ , କ୍ରୋଧ ଓ ଲୋଭ -ଏହି ତିନିଗୋଟି ଏସବୁର ମୂଳ କାରଣ । ଏହାଙ୍କଠାରୁ ମୁକ୍ତ ହେଲେ ବ୍ଯକ୍ତି ନିଜର ମଙ୍ଗଳପାଇଁ ଉତ୍ତମ କାର୍ଯ୍ଯାନୁଷ୍ଠାନ କରେ ଓ ଶେଷରେ ମୁକ୍ତିଲାଭ କରେ । ବେଦ , ପୁରାଣ , ଧର୍ମଶାସ୍ତ୍ର ପ୍ରଭୃତିରେ କର୍ତ୍ତବ୍ୟ ଓ ଅକର୍ତ୍ତବ୍ଯ ବିଷୟରେ ସମୁଚିତ ଧାରଣା ଦିଆଯାଇଛି । ତଦନୁସାରେ କର୍ମ କରିବା ଉଚିତ୍ ।
ଏ ଅଧ୍ଯାୟରେ ଦୈବୀସଂପଦ ଓ ଆସୁରୀ ସଂପଦକୁ ଅଲଗା ଅଲଗା କରି ବୁଝାଇ ଦିଆଯାଇଛି । ଏଣୁ ଏ ଅଧ୍ଯାୟକୁ ଦୈବାସୁର ସଂପଦ ବିଭାଗ ଯୋଗ ନାମ ଦିଆଯାଇଛି ।