ସମ୍ମାନର ସହ ବଞ୍ଚିବାର ରହିଛି ଯୌନକର୍ମୀଙ୍କ ଅଧିକାର….
ଦେହ ବ୍ୟବସାୟକୁ ଏକ ବୃତ୍ତି ବୋଲି ରାୟ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ସ୍ବଇଚ୍ଛାରେ ସେମାନେ ଏହି ବୃତ୍ତିକୁ ଗ୍ରହଣ କରିନେଇଥିଲେ ସେଥିରେ ପୋଲିସ ବାଧା ଦେଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ କି ପୋଲିସ ନିର୍ଯାତନା ଦେଇପାରିବ ନାହିଁ।ଗଣମାଧ୍ୟମ ବି ପୋଲିସ ଚଢାଉ ବେଳର ଫଟୋ, ଭିଡିଓ ଦେଖାଇପାରିବ ନାହିଁ । ସମ୍ମାନରେ ସେମାନଙ୍କର ବଞ୍ଚିବାର ଅଧିକାର ଅଛି ବୋଲି ଐତିହାସିକ ରାୟ ଦେଇ କହିଛନ୍ତି ସୁପ୍ରିମକୋର୍ଟ ।
ଦୀର୍ଘଦିନର ଦାବି ପରେ ଯୌନ କର୍ମୀଙ୍କ ସୁରକ୍ଷା ଓ ସମ୍ମାନର ସହ ବଞ୍ଚିବାର ଅଧିକାରକୁ ଆଇନ ଅନୁଯାୟୀ ସୁରକ୍ଷିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ପ୍ରାପ୍ତ ବୟସ୍କ ଯୌନ କର୍ମୀ ନିଜ ଇଚ୍ଛାରେ ଦେହ ବ୍ୟବସାୟ କରୁଥିଲେ ଫୌଜଦାରୀ ମାମଲା କରିପାରିବ ନାହିଁ ପୁଲିସ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଯୌନ କର୍ମୀ ସମ୍ମାନର ସହ ବଞ୍ଚିବା ପାଇଁ ସୁନିଶ୍ଚିତ କରିବେ କେନ୍ଦ୍ର ଓ ରାଜ୍ୟ ସରକାର । ସମ୍ବିଧାନର ଧାରା ୧୪୨ ଆଧାରରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ନିଜ ଇଚ୍ଛାରେ ଜଣେ ପ୍ରାପ୍ତ ବୟସ୍କ ଯୌନ କର୍ମୀଙ୍କୁ ହଇରାଣ କରିପାରିବ ନାହିଁ ପୁଲିସ,ଫୌଜଦାରୀ ମାମଲା କରିପାରିବ ନାହିଁ,ଗିରଫ କରିପାରିବ ନାହିଁ, ନିର୍ଯାତନା ଦିଆ ଯାଇପାରିବ ନାହିଁ,ଯୌନ କର୍ମୀ ଅଭିଯୋଗ ନେଇ ଗଲେ ଗୁରୁତର ସହ ଗ୍ରହଣ କରିବ ପୁଲିସ,ଯୌନ କର୍ମୀଙ୍କୁ ମେଡିକାଲ-ଆଇନଗତ ସେବା ଯୋଗାଇ ଦିଆଯିବ,ଜାତୀୟ, ରାଜ୍ୟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚେତନ କରିବ,ଯୌନ କର୍ମୀଙ୍କ ପିଲାଙ୍କୁ କୌଣସି ପରିସ୍ଥିତିରେ ତାଙ୍କଠାରୁ ଅଲଗା କରାଯାଇ ପାରିବନି ବୋଲି କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।
ସ୍ଥାୟୀ ଠିକଣା ପାଇଁ ଆଧାର କାର୍ଡରୁ ବଂଚିତ ହେଉଥିବା ଯୌନ କର୍ମୀଙ୍କୁ ତୁରନ୍ତ ଆଧାର କାର୍ଡ ଦିଆଯିବ। ଦେହଜୀବୀଙ୍କୁ ପୁଲିସ ହଇରାଣ କରୁଥିବା ଅଭିଯୋଗ ହୋଇ ଆସୁଛି । ଅନେକ ସମୟରେ ସେମାନେ ଶୋଷଣର ଶିକାର ହୋଇଥାନ୍ତି । ବର୍ବରତାର ଶିକାର ହେଲେ ବି ସେମାନଙ୍କ ଦୁଃଖ କାହା ଆଗରେ କହିପାରନ୍ତି ନାହିଁ ।
ତେବେ ଯୌନ କର୍ମୀଙ୍କ ଅଧିକାରର ସୁରକ୍ଷା ପାଇଁ ୨୦୧୧ରେ ପ୍ୟାନେଲ ଗଠନ କରିଥିଲେ ସୁପ୍ରିମକୋର୍ଟ । ୨୦୧୬ରେ ପ୍ୟାନେଲ ପକ୍ଷରୁ ଏକ ବିସ୍ତୃତ ରିପୋର୍ଟ କୋର୍ଟରେ ଦାଖଲ ହୋଇଥିଲା । ପ୍ୟାନେଲ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଗ୍ରହଣ କରିଥିଲେ କେନ୍ଦ୍ର ସରକାର । ସୁପ୍ରିମକୋର୍ଟ କହିଛନ୍ତି ସମ୍ବିଧାନର ଧାରା ୨୧ ଅନୁଯାୟୀ ଯେକୌଣସି ବୃତ୍ତି କରୁଥିବା ଭାରତର ପ୍ରତ୍ୟେକ ନାଗରିକ, ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି । ଏହା ମଧ୍ୟ ଯୌନ କର୍ମୀଙ୍କ କ୍ଷେତ୍ରରେ ଲାଗୁ ହେବ କହିଛନ୍ତି ସୁପ୍ରିମକୋର୍ଟ ।
ଏହା ବ୍ୟତିରେକେ ସୁପ୍ରିମ୍ କୋର୍ଟ ଯୌନକର୍ମୀମାନଙ୍କ ଅଧିକାର ଓ ସୁରକ୍ଷା ନିମନ୍ତେ ଅନେକ ସୁପାରିସ କରିବା ସହ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ଜୁଲାଇ ୨୭ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଵିଦ୍ୟାଧର ସାହୁଙ୍କ ସଂଗୃହୀତ ରିପୋର୍ଟ….