ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ  ଙ୍କ କବିତା ଏପାଖେ ଶୁଭଇ ବେଣୁ   ସେପାଖେ ଉଚ୍ଛନ୍ନ ମାୟା

।। ଏପାଖେ ଶୁଭଇବେଣୁ

              ସେପାଖେ ଉଚ୍ଛନ୍ନ ମାୟା।।

                କୈଳାସ ଚ଼ନ୍ଦ୍ର ପାଢ଼ୀ 

 

କଳ ନିନାଦିନୀ ନିର୍ଝରିଣୀ ର ସମ

ନିନାଦିତ ସଦା ହୃଦ-ତରଙ୍ଗିଣୀ ମମ

ଫୁଟି ଉଠେ ତହିଁ ଅଶେଷ ଇନ୍ଦୀବର

କାବ୍ୟ ଓ କବିତାର-

ମୁଗ୍ଧ କରଇ ମାନସ-କୁଞ୍ଜ ମୋର

ମୁଗ୍ଧ କରଇ ଏଇ ମାଟି-ମଣିଷର

ଚ଼ିତ୍ତକୁ ନିରନ୍ତର ।।

 

କ୍ଷୁବ୍ଧ କରଇ କେବେ ବା କାହାକୁ ସିଏ

ବସ୍ତୁରେ ସଦା ପ୍ରାଣ ଗୋଳିଅଛି ଯିଏ

ସଂପଦ ମୋହ ଗ୍ରାସିଯାଇଅଛି ଯାରେ

ସୌନ୍ଦର୍ଯ୍ୟ ତାର ଚ଼ିତ୍ତକୁ ନାହିଁ ଛୁଏଁ

ଅନିତ୍ୟ ମାୟାରେ

ଚ଼ିତ୍ତ ତାହାର ଧାଏଁ।।

 

ବେଳେ ବେଳେ ମୁହିଁ

ଜହ୍ନ ଆଲୁଏ

ନୀରବ ବିଜନେ ବସି

ମନ-ଯାନେ ଚ଼ଢି଼

ପରିକ୍ରମା କରେ

ପୃଥିବୀକୁ ହସିହସି

ପରୀ-ରାଇଜର କଥା

ଶୁଣାଇ କିଏସେ

କର୍ଣ୍ଣ-କୁହରେ

ହରଇ ଜୀବନ-ବ୍ୟଥା

ସିଏ କି ପାରଇ ଶୁଣି

ଜୀବନରେ ଯିଏ

ମୁକ୍ତିର ସଂଜ୍ଞା

ଲବେ ନାହିଁପାରେ ଜାଣି।।

 

ମୁଁ ଦେଖିଛି ଏଇ ଶସ୍ୟ-ଶ୍ୟାମଳା

ଧରଣୀର ଶୋଭାରାଶି

ଆକାଶର-ହୀରାଫୁଲ ମୁଁ ତୋଳିଛି

ସପନ-ଦୋଳାରେ ବସି

ସେହି ଫୁଲେ ଗୁନ୍ଥି ମାଳା

ବିତରି ଦେଇଛି ଧୂଳି-ଧରଣୀର

ମଣିଷ-ଅଧରେ ଫୁଟାଇବା ପାଇଁ

ହସର-କାବ୍ୟତାରା

ସିଏକି ପାରିଛି ତାହା-

ସ୍ବାର୍ଥ-ସର୍ବସ୍ବ ମଣିଷଟିଏ ସେ

କେଡ଼େ ନିର୍ବୋଧ ଆହା ।।

 

ତା ଆଖିରେ ସତେ ପଉଷର ଘନ

କୁହୁଡ଼ି ରଚ଼ିଛି ମାୟା

ସତ୍ୟ-ସ୍ବରୂପ ଦେଖିନାହିଁ ସିଏ

ମିଥ୍ୟାରେ ହୋଇ ବାୟା

କେତେଦିନର ଏ ଦେହ ?

ଅନଭିଜ୍ଞ ସେ ମଣିଷଟି ପ୍ରାଣେ

ଭରିଛି ଅମୋଘ ମୋହ।।

 

କୁମାର ପୁର। ଅନନ୍ତ ପୁର।
ବାସୁଦେବ ପୁର।ଭଦ୍ରକ।

 

Related posts

କାମାକ୍ଷାନଗର ନିର୍ବାଚନମଣ୍ଡଳୀ ରେ ଆପ୍ ର କାର୍ଯ୍ୟକର୍ତ୍ତା ସମ୍ମିଳନୀ 

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ଅନ୍ତୁଡ଼ିରୁ ଜୁଇ ଯାଏ

Sunil Chandra Nayak

ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ରେ ସେବା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!