ନର୍କରେ କରିଛି ଘର
ସୁକାନ୍ତ ଖଣ୍ଡା
ଦେଖି ନାହିଁ ଯଦି ଦେଖି ଆସ କେହି
ନର୍କରେ କରିଛି ଘର
ବଡ଼ ନିର୍ଦ୍ଦୟ ଏ ଶାସକ ଏଠାର
ଭାବନ୍ତିନି ନିଜପର।୧
ନିଜର ହାତରେ ଘର ତିଆରିଛି
କେତେ ଯତନରେ ମୁହିଁ
ଜୀବାଣୁ ବୀଜାଣୁ ଭୁତାଣୁ ଏ ଘରେ
ବସି ରହିଛନ୍ତି ଚାହିଁ।୨
କୋରି ଖାଉଛନ୍ତି ଏ ଦେହକୁ ମୋର
କଟାକ୍ଷ କରନ୍ତି ନିତି
କହୁଛନ୍ତି ମୋତେ ଆଖିଠାର ମାରି
ହୃଦୟରେ କେତେ ଶାନ୍ତି?୩
ପୋକ ସାଲୁବାଲୁ ଏ ଦେହଟା ମୋର
କରିବାରୁ କର୍ମ ଫଳ
ତୋଳିଥିବା ଘରେ ଭୋଗ ମୁଁ କରୁଛି
ମନ ତ ଆଜି ଛ’ଫାଳ।୪
ଦିନେ ଭାବିଥିଲି ଭଲ କରୁଅଛି
ଚୋରୀ ଆଉ ନାରୀ ବେଧ
ଶୋଷଣ ଲୁଣ୍ଠନ ହତ୍ଯା ଆପଣେଇ
ତେଣୁ ଶିର ଆଜି ଛେଦ।୫
ଛୋଟରୁ ବଢି଼ବା ହୋଇଲା ସଂସାର
ଯୌବନର ଚଲାପଥେ
ଈଶ୍ବରଙ୍କ ଦ୍ବାରା ଧରା ପଡି଼ବାରୁ
ସୈତାନଟି ନେଲା ସାଥେ।୬
ତତଲା ତେଲରେ ଫୁଟାଇ ପକେଇ
କଲବଲ କରୁଅଛି
ଲୁହା ଶିକୁଳିରେ ଗୋଡ଼ହାତ ବାନ୍ଦି
ନିଜ ପାଖେ ରଖିଅଛି।୭
ହାଡ଼ ମାଂସ ସବୁ ଝଡି଼ ପଡି଼ଲାଣି
କୀଟାଣୁ ବୀଜାଣୁ ସହ
ମିତ ବସିଅଛି ନର୍କର ଏ ଘରେ
ଦେଖି ଆସିବକି କହ?୮
ନିଜର ଏ ଘରେ ପାପରେ ସଢି଼କି
ଦୁଃଖକଷ୍ଟ ସହୁଅଛି
ମୋର ପରି କେହି ନୀଚ୍ଚତାର କର୍ମେ
ଲାଖିବ ନାହିଁ ଭାବୁଛି।୯
ମରିବା ପାଇଁକି ଈଷ୍ଟଙ୍କୁ ଡାକୁଛି
ଉଦ୍ଧାର କର ନର୍କରୁ
ସହି ହେଉ ନାହିଁ ନର୍କର ଯନ୍ତ୍ରଣା
ନେଇ ଚାଲ ସଂସାରରୁ।୧୦