ସାବିତ୍ରୀୟ ଭାବ
ମହାଭାରତୀୟ ସନାତନ ଧର୍ମ
ମହୀରେ ଅଟେ ଅନନ୍ଯ
ସତୀ ଓ ସତୀତ୍ବ ଭକ୍ତିର ମହତ୍ତ୍ବ
ଆଗେ, କ୍ଷମତା ନଗଣ୍ୟ।
ସମଗ୍ର ବିଶ୍ବକୁ କରେ ଚମତ୍କୃତ
ମହାସତୀଙ୍କର ବାଣୀ
ତନ୍ମଧ୍ଯରୁ ଏକ ଜ୍ଯେଷ୍ଠ ଅମାବାସ୍ୟା
ସାବିତ୍ରୀ ବ୍ରତ କାହାଣୀ।
ପତି ପାଇଁ ସତୀ ଦୃଢ଼େ କଲେ ଭକ୍ତି
ମୃତ୍ଯୁ ବି ଦୂରେଇ ଯାଏ
“ମୃତ୍ଯୁର ଦେବତା ହେବା ମୁକ୍ତିଦାତା “
ତାଙ୍କୁ ବିସ୍ମିତ କରାଏ।
ଦୃଢ଼ ଇଚ୍ଛା ଶକ୍ତି ହୋଇଯାଏ ଭକ୍ତି
ସକାରାତ୍ମକ ଚିନ୍ତନେ
ସର୍ବ ଅସମ୍ଭବ ହୁଅଇ ସମ୍ଭବ
କହନ୍ତି ମହତ ଜନେ।
ବିବାହ ଅଟଇ ଅତୁଟ ବନ୍ଧନ
ଜନ୍ମ ଜନ୍ମାନ୍ତର ପଣ
ଏହା ନୁହେଁ କେବେ ଚୁକ୍ତି ରାଜିନାମା
କିମ୍ବା ରେଜେଷ୍ଟ୍ରିକରଣ।
ପତି ପତ୍ନୀ ଦୁହେଁ ବିକଳ୍ପ ବିହୀନ
ଶିଖାଏ ଯେଉଁ ସଂସ୍କୃତି
ଅତ୍ଯାଧୁନିକତା କୁତ୍ସିତ ଉଗ୍ରତା
ଧ୍ବଂସ କରେ ତା’ର ସ୍ମୃତି।
ସାବିତ୍ରୀ ସ୍ବରୂପା ସଧବା ରମଣୀ
ହୋଇଛି ବିପଥଗାମୀ
ତା’ଠାରୁ ଅଧିକ ଭଣ୍ଡ ପ୍ରପଞ୍ଚକ
ଆଜି ଅଧିକାଂଶ ସ୍ବାମୀ।
କର୍ତ୍ତବ୍ଯ ନ କରି ଅଧିକାର ପ୍ରଶ୍ନ
ଦେଖାଯାଏ ସବୁଠାରେ
ସେହି କାରଣରୁ ସୁନାର ସଂସାର
ବୁଡ଼ିଥାଏ ଅଶାନ୍ତିରେ।
ପତି ପତ୍ନୀ ଦୁଇ ସମାନ ନ ହୋଇ
ହେଲେ ଟିକେ ବଡ଼ ସାନ
ପରିବାର ସ୍ରୋତ ଆଗକୁ ଚାଲିବ
ଯେପରି ଜଳ ଗମନ
ବିବାହ ବନ୍ଧନ ଆଦାନ ପ୍ରଦାନ
ଅଟେ ନିତାନ୍ତ ଜରୁରୀ
ସ୍ନେହ ଭକ୍ତି ଦୁଇ ପରିପୂର୍ଣ୍ଣ ହୋଇ
ରହୁ ହୃଦୟେ ସବୁରି।
କର୍ତ୍ତବ୍ଯରେ ରତ ହୋଇଣ ଉଷତ
କଲେ ନାରୀ ବା ପୁରୁଷ
ମିଳେ ଶୁଭ ଫଳ ଇହ ପର କାଳ
ରହିଯାଏ ତା’ର ଯଶ।
ସାବିତ୍ରୀଙ୍କ ବ୍ରତ ଶାସ୍ତ୍ରେ ଯା’ ବର୍ଣ୍ଣିତ
ହେଉ ବା ପ୍ରତୀକାତ୍ମକ
ଶ୍ରେଷ୍ଠ ପରିବାର ଆଦର୍ଶ ନାରୀର
ଯାହା ଅପୂର୍ବ ଓ ଏକ।
ବୁଦ୍ଧି ଶକ୍ତି ଜ୍ଞାନ ସାହସ ସମ୍ମାନ
ଚିର ସୀମନ୍ତିନୀ ନାରୀ
ପାଏ ଯେଉଁ ଜନ ଅଟେ ସତ୍ୟବାନ
ଅକାଳେ ନ ପାରେ ମରି।
ସାବିତ୍ରୀୟ ଭାବ ହୋଇଲେ ଉଦ୍ଭବ
ସକଳ ନାରୀ ହୃଦୟେ
ଅନ୍ଧାର ଶର୍ବରୀ ଯିବ ଅପସରି
ନବୀନ ସୂର୍ଯ୍ୟ ଉଦୟେ।