କେଡେ ଭାଗ୍ୟବାନ ମୁଁ
ତୃପ୍ତିରାଣୀ ପାତ୍ର
କେଡେ ଭାଗ୍ୟବାନ ସଜୀବେ ବଳିଷ୍ଠ
ଦେଇଛ ନର ଜନମ
ସର୍ବ ଜୀବ ମଧ୍ୟେ କରିଲ ଯେ ଶ୍ରେଷ୍ଠ
ଅପାର ମହିମା ତୁମ ।
ରକ୍ତମାଂସ ଧାରୀ ମାନବ ଜୀବନ
ଖଞିଛ ଦୁଇ ନୟନ
ସେ ଆଖିରେ ଦେଖେ ସୃଷ୍ଟି ଅନୁପମ
ଦେଖେ ସଭିଙ୍କ ବଦନ ।
ଦେଇଅଛ ଦୁଇକାନ ଆହେ ପ୍ରଭୁ
ଶୁଣିବାକୁ ମଧୁ ଭାଷା
ପଶୁପକ୍ଷୀ ଆଉ ନର ଭାବ ସବୁ
ଶୁଣିଥାଏ ମୁଁ ସହସା ।
ଧନ୍ୟବାଦ ପ୍ରଭୁ ଦେଇଛ ଜୀବନ
ପିଣ୍ଡରେ ଦେଇଛ ପ୍ରାଣ
ନିଶ୍ୱାସ ପ୍ରଶ୍ୱାସ ଶୁଦ୍ଧ ଅମ୍ଳଜାନ
କରୁଛି ନାକ ଗ୍ରହଣ ।
କେଡେ ଭାଗ୍ୟବାନ ମୁହିଁ ହେ ଈଶ୍ୱର
ଖାଇ ପିଇ ବଞ୍ଚି ବଢେ
ଖାଦ୍ୟ ବସ୍ତ୍ର ବାସଗୃହ ପରିବାର
ସବୁ ଦେଇଅଛ ମୋତେ ।
ସବୁତୁମ ଦୟା ଅନୁଗ୍ରହ ଦାନ
କେକରି ପାରେ ବର୍ଣ୍ଣନ
କିଦେଇ ଶୁଝିବି ମୁଁ ଯେ ଦୀନଜନ
କର ମୋ ପାପ ମାର୍ଜନ ।
କେଡେ ଭାଗ୍ୟବାନ ମୁହିଁ ହେ ଈଶ୍ୱର
ତୁମେ ତ୍ରାଣକର୍ତ୍ତା ମୋର
ପାପ ପଙ୍କିଳ ଏ ନର୍କ ଜୀବନର
ଦୋଷ ମୋ ମାର୍ଜନା କର ।
ଭାଗ୍ୟବାନ ବୋଲି କରୁନାହିଁ ଗର୍ବ
ତୁମେ ମୋ ସବୁରେ ସବୁ
ଏଜୀବ ଜୀବନ ସଂସାର ବିଭବ
ଅରପିଲି ପଦେ ପ୍ରଭୁ ।
ସହଦେବଖୁଣ୍ଟା , ବାଲେଶ୍ଵର ।