ନୂଆପଡା: ଓଡ଼ିଶାରେ ପ୍ରଚୁର ପରିମାଣରେ ଆମ୍ବ ଉତ୍ପାଦନ ହୋଇଥାଏ।ଆମ୍ବ ପତ୍ର ପବିତ୍ରତାର ପ୍ରତୀକ, ଏଣୁ ଭାରତୀୟ ସଂସ୍କୃତିରେ ଏହି ଗଛର ମହତ୍ତ୍ୱ ଅଧିକ।ଏବେ ଅନେକ ଚାଷୀ ଆମ୍ବ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ବେଳେ ଏଥିରେ ସଫଳ ହୋଇଛନ୍ତି ନୂଆପଡା ଜିଲ୍ଲା ଖଡ଼ିଆଳର ଦୁଇ ଚାଷୀ ଭାଇ।ଖଡ଼ିଆଳ ବ୍ଲକ ଖାସବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଇର ଭାଡ଼ି ଗ୍ରାମର ଦୁଇ ଭାଇ ଗଜିନ୍ଦ୍ର ମାଝୀ ଓ ଯୋଗେନ୍ଦ୍ର ମାଝୀ।ଉଦ୍ୟାନ ବିଭାଗର ସହାୟତାରେ ୨୦୧୭ରେ ନିଜ ନିଜ ଜମିରେ ଆରମ୍ଭ କଲେ ଆମ୍ବ ଚାଷ।ପ୍ରତି ଏକର ରେ ୧୬୦ ଗଛ ରୋପଣ କରାଗଲା।ଆମ୍ର ପଲ୍ଲୀ, ଦଶରୀ, ବାଇଗଣ ଫୁଲି,ଲାଙ୍ଗରା ଆଦି ସୁସ୍ୱାଦୁ ଆମ୍ବ ଚାରା ଯୋଗାଇ ଦେଇଥିଲେ ଉଦ୍ୟାନ ବିଭାଗ।ବିଭାଗ ତରଫରୁ ତିନି ବର୍ଷ ଯାଏ ସାର ଓ ଔଷଧ ସହ ଏକ ଲକ୍ଷ କୋଡିଏ ହଜାର ଟଙ୍କା ସହାୟତା ଯୋଗାଇଥିଲା।ଅନ୍ୟ ଯୋଜନାରେ ଗଭୀର ନଳକୂପ ଖନନ କରି ଗଛରେ ପାଣି ର ବ୍ୟବସ୍ଥା କରିଥିଲେ ଓ ପରିବାର ଲୋକେ ସବୁଦିନ ଯତ୍ନ ନେଉଥିଲେ।ପ୍ରଥମ ତିନି ବର୍ଷ ଫଳ ଆସି ନଥିବା ବେଳେ ଚତୁର୍ଥ ବର୍ଷ ଅଳ୍ପ ପରିମାଣରେ ଆମ୍ବ ଫଳିଥିଲା।ଏବର୍ଷ ନୂଆପଡା ଜିଲ୍ଲାର କୌଣସି ଅଞ୍ଚଳରେ ଆମ୍ବ ଫଳି ନଥିବା ବେଳେ ଦେଶୀ ଆମ୍ବ ଦେଖିବାକୁ ସ୍ୱପ୍ନ ହୋଇ ଯାଇଛି।ପଡୋଶୀ ଛତିଶଗଡ଼ର ବେପାରୀ ମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପସରା ମେଳାଇଛନ୍ତି।କିଲୋ ପ୍ରତି ଦେଢ଼ ଶହରୁ ଦୁଇ ଶହ ଟଙ୍କାରେ ଆମ୍ବ ବିକ୍ରି କରୁଛନ୍ତି।କିନ୍ତୁ ଏ ଦୁଇ ଭାଇଙ୍କ ବଗିଚାରେ ପ୍ରଚୁର ପରିମାଣରେ ଆମ୍ବ ଫଳିଥିବା ବେଳେ ଶିତଳିକରଣ ବ୍ୟବସ୍ଥା ନଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି।ବେପାରୀ ମାନଙ୍କୁ ଚାଳିଶି ଟଙ୍କାରେ ବିକ୍ରି କରିଦେଉଛନ୍ତି।ସରକାର ଯଦି ସିଧାସଳଖ କିଣିବାର ବ୍ୟବସ୍ଥା କଲେ ଭଲ ଦୁଇ ପଇସା ମିଳି ପାରନ୍ତା ବୋଲି ସେମାନେ କହୁଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post