ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଭାର୍ଯ୍ଯାଳୟ

ଭାର୍ଯ୍ଯାଳୟ

ଅପର୍ତ୍ତି ସେଠୀ

         (ରମ୍ୟ ରଚନା)

ବିଦ୍ୟାଳୟେ ବିଦ୍ୟା ପଢାଯାଏ ଭାଇ

       କାର୍ଯ୍ୟାଳୟେ‌ କାର୍ଯ୍ୟ ହୁଏ,

ବସ୍ତ୍ରାଳୟେ‌ ବସ୍ତ୍ର ମିଳିଥାଏ ଶୌଚ

       ପାଇଁ ଶୌଚାଳୟ ଥାଏ।

ଭୋଜନ ବ୍ୟବସ୍ଥା ଭୋଜନାଳୟରେ

       ନ୍ୟାୟ ମିଳେ ନ୍ୟାୟାଳୟେ,

ଚିକିତ୍ସାଳୟରେ ରୋଗୀସେବା ପୁଣି

       ଉପାସନା ଦେବାଳୟେ।

ଏ ସବୁ ଆଳୟ ମଧ୍ଯରୁ ଅନନ୍ଯ

        ନାଆଁ ତାର ଭାର୍ଯ୍ଯାଳୟ,

ସେଠାରେ କେବଳ ଭାରିଜାଙ୍କ ପୂଜା

      ହୋଇଥାଏ ଯେ ପ୍ରତ୍ୟେହ।

ଏଭବ ସଂସାରୁ ମୁକ୍ତି ପାଇବାକୁ

       ଈଶ୍ବରଙ୍କ କୃପା ଲୋଡ଼ା,

ଭାର୍ଯ୍ଯାଳୟେଭାର୍ଯ୍ଯା‌ ପୂଜାର୍ଚ୍ଚନାଚାଲେ

       ସୁଖ ଶାନ୍ତି ମିଳେ ପରା।

ଭାର୍ଯ୍ଯାଳୟ‌ ଭାଇ ଏମିତି ମନ୍ଦିର

       ଯହିଁ ଭାର୍ଯ୍ଯା ଅଧିଶ୍ଵରୀ,

ପ୍ରେମ ଧୂପ ପ୍ରିତୀ ଫୁଲ ଆବାହନେ

       ପୂଜୁଥାଅ ଭକ୍ତି କରି।

ଦିନ ଆଠଟାରେ ଭାର୍ଯ୍ଯା ଦେବୀଙ୍କର

      ପହଡଟା‌ ଭାଙ୍ଗି ଥାଏ‌,

ସକାଳ ଧୂପରେ ବେଡ୍ ଟି ସାଙ୍ଗେ

      ପେଟିସି ନୈବେଦ୍ୟ ହୁଏ। 

ଦିନ ଦଶଟାରେ ମାର୍ଜନା ହୁଅନ୍ତି

       ସାବୁନ୍ ସାମ୍ପ ଲଗେଇ,

ପରେ ପରେ ଦେବୀ ବିଜେ କରିଥାନ୍ତି

       ରୋଷଘରେ‌ ବେଗେ ଯାଇ।

ମଧ୍ୟାହ୍ନ ଧୂପରେ ମଟନ ପନିର

       ତାଙ୍କର ପ୍ରିୟ ପ୍ରସାଦ,

ସନ୍ଧ୍ୟାଧୂପ ବେଳେ ଚିକେନ ପକୋଡା‌

       ପାଇ ହୁଅନ୍ତି ଆନନ୍ଦ।

ଟିଭି ସିରିଏଲ୍ ଆଲବମ ଗୀତ

      ତାଙ୍କ ଭଜନ କୀର୍ତ୍ତନ,

ଚାମର ସେବାରେମୋବାଇଲ ଦେଖି

       ହୋଇଥାନ୍ତି ତୋଷମନ।

ରାତ୍ରି ଅର୍ଦ୍ଧ ବେଳେ ପଲଙ୍କ ସେବାରେ

        ଝଗଡ଼ା ଗୀତ ଗୋବିନ୍ଦ,

ନିତି ପ୍ରତି ଦେବୀ ଲଗାଇ ଦିଅନ୍ତି

        ଭାଗ୍ଯ‌ ଯେଣୁ ମୋର ମନ୍ଦ।

ଆଜ୍ଞା ପରମାଣେ‌ ଏ ହୀନ ସେବକ

      ଏ ସବୁ ସେବାରେ ଥାଏ,

ତଥାପି ପ୍ରସନ୍ନ ହୁଅନ୍ତିନି କେବେ

       ଦୁଃଖରେ ମୋ ଦିନ ଯାଏ।

ମାର୍କେଟ ପଠାନ୍ତି ଦେଇ ଲମ୍ବା ଲିଷ୍ଟ

         ଟଙ୍କା ନ ଦେଇକି ଯାହା, 

ଏଭଳି ମୁଁ ଆଜ୍ଞା ବେଠି‌ ଖଟେ‌ ନିତି

         ଭୁଲି ମୋ ଠିକଣା ଗାଁ।

ଭାର୍ଯ୍ଯାଳୟେ‌ଭା୍ର୍ଯ୍ଯା ହୁକୁମୁଟି ଚାଲେ

          ମୁଁ ସେ ହୁକୁମୁ ମାନେ,

ଦୁଃଖାଳୟ ବୋଲି ଏହି ଭାର୍ଯ୍ଯାଳୟ‌

          ଆଜି ଜାଣେ ପ୍ରତିକ୍ଷଣେ।

ସ୍ଵାଧୀନ ଭାରତ ବର୍ଷେ ପରାଧୀନ

          ଜୀବଟିଏ ମୁହିଁ ଏକା,

ବହୁବାର ବର ପାଇ ସାରିଲିଣି

          ବେଲଣା‌ କାଠିର‌ ସେକା।

ତା’ ଆଖି ଆଗରେ ମନଖୋଲି ଥରେ

          ହସି ମୁଁ ପାରିଲି‌ ନାହିଁ,

କେଉଁନାରୀ ସହ ନିଶ୍ଚିନ୍ତରେ ପଦେ

         କଥା ହୋଇପାରେ ନାହିଁ।

କଥାକଥାକରେ ଭାରିଜା‌ କହୁଛି

         ଘରୁ ତୁ ବାହାରି ଯାଆ,

ମରୁମରୁ ମୁହିଁ ସର୍ବଦା ବଞ୍ଚୁଛି

         ମା’ ଗୋଜବାୟାଣୀ ସାହା।

ବ୍ୟଙ୍ଗ କବି ବୋଲି ମହିଳା ମହଲୁ‌

        ବେଶୀ ଫୋନ୍ ପୁଣି ଆସେ,

ଠିକ୍‌ସେତେବେଳେ ଭାରିଜା‌ ମୋହର

         ଯତୁନେ ମୋ ପାଖେ ବସେ।

ମନ ଖୋଲି ଟିକେ ରୋମାଣ୍ଟିକ କଥା

         ପଦେ ହୋଇପାରେ ନାହିଁ,

ସେତେବେଳ ଦୁଃଖ କି କହିବି ଭାଇ

          ହୃଦୟ ମୋ ଫାଟୁଥାଇ।

ଯେବେ ମୁଁ କବିତା ଆସର ଯାଉଛି

          ମୋ ସହିତ ସିଏ ଯାଏ,

ମହିଳାଙ୍କ ପାଖୁଁ ମୋ ହାତକୁ ଝିଙ୍କି

          ତା’ ଆଡ଼କୁ ଟାଣି ନିଏ।

ଏକା ଏକା ମୋତେ କୌଣସି ଜାଗାକୁ

           ଆଜିଯାଏଁ ଛାଡିଲାନି,

ସବୁବେଳେ ଖାଲି ସନ୍ଦେହ ସେ କରି

           ଶାନ୍ତିରେ ରଖି ଦେଲାନି।

ପର ପୁରୁଷଙ୍କ ସହ ସେ ଫୋନ୍‌ରେ

            ନିତି ନିତି ଗପୁଥାଏ,

ପ୍ରେମିକ ସହିତ କଥା ହେଲାଭଳି

            ମୋତେ ଅନୁଭୁତ ହୁଏ।

ତାକୁ ରୋକିବାକୁ ମୋ ଔକାତ‌ କାହିଁ

            ପୁରୁଷ ସିଂହଟି ମୁହିଁ,

ବାହନ ରୂପରେ ବହୁଥାଏ ତାକୁ

            ସିଏ ପରା ଦୁର୍ଗାମାୟୀ।

ସେ ଝାଡ଼ୁ ଧାରିଣୀ ପ୍ରେମ ପାଗଳିନୀ

            ଚିକେନ ମଟନ ଖାଇ,

ପିରତୀ ଫୁଲରେଯେତେ ପୂଜା କଲେ

            ପ୍ରସନ୍ନ ସେ ହେଉ ନାହିଁ।

ମୋର ଚେଙ୍ଗରାଶି ତାର ବେଙ୍ଗ ରାଶି

            କଥା ସଦା କଟାକଟି,

ପ୍ରତି ଝଗଡ଼ାରେ ସିଏ ଜିତୁଥାଏ

         ମୁଁ କିନ୍ତୁ ନିତି ହାରୁଛି।  

ମୁଁ ଖଟି ମରୁଛି ସେ ଉଣ୍ଡି ମାରୁଛି

        ଗୋଡ଼ ପରେ ଗୋଡ଼ ଥୋଇ,

ଟିଭି ସିରିୟଲ‌ ଯାତ୍ରା କି ସିନେମା

          କାହାରିକୁ ଛାଡ଼େ ନାହିଁ।

ଭାର୍ଯ୍ଯାଳୟ ଆଜି ଯମାଳୟ ସାଜେ

           ମୁଁ ଏଠି ପାପୀ ମଣିଷ,

ଆୟୂଷ ମୋ‌ ନିଜେ ନିତି ଗଣୁଅଛି‌

           ପିଇ କୁରଟନା‌ ବିଷ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡ଼ା

   

Related posts

ଅଁଳା ଯୋଡ଼ି ରେଳ ଷ୍ଟେସନରେ ବିଦ୍ୟୁତ୍ ସ୍ପର୍ଶରେ ନାବାଳକ ଗୁରୁତର

Sunil Chandra Nayak

ବିଦ୍ୟୁତ ସମସ୍ୟା ର ସମାଧାନ ପାଇଁ ଗଠନ ହେଲା ବିଦ୍ୟୁତ ଉପଭୋକ୍ତା ମହାସଂଘ

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା କାଲିର୍‌ ଭେନେଇ ଆଜିର୍‌ ଡେଢ଼୍‌ଶଶୁର

Leave a Comment

error: Content is protected !!