ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାଭାରତ କଥା…..୬

ମହାଭାରତ କଥା…..୬

ଦ୍ବିତୀୟଥର ପଶା ଖେଳରେ କ’ଣ ଘଟିଲା

 

       ଧୃତରାଷ୍ଟ୍ର ପିତୃବ୍ଯଙ୍କ ଆଦେଶ ପାଳନ କରି ପାଣ୍ଡବମାନଙ୍କୁ ସମ୍ମାନର ସହିତ ଇନ୍ଦ୍ରପ୍ରସ୍ଥକୁ ପଠାଇଦେଲେ । ଧୃତରାଷ୍ଟ୍ର ନାମକୁ ମାତ୍ର ରାଜା ଥାଇ ସିଂହାସନର ଶୋଭାବର୍ଦ୍ଧନ କରୁଥିଲେ କିନ୍ତୁ ତାଙ୍କର ଜ୍ଯେଷ୍ଠ ପୁତ୍ର ଦୁର୍ଯ୍ୟୋଧନ ଵସ୍ତୁତ ରାଜ୍ୟ ଶାସନ କରୁଥିଲା । ଭୀଷ୍ମ ସମସ୍ତଙ୍କର ପୂଜ୍ଯ ମୁରବି ହୋଇ ରହିଥିଲେ ସୁଦ୍ଧା , ତାଙ୍କୁ ମଧ୍ୟ ଦୁର୍ଯ୍ୟୋଧନ ଭ୍ରୁକ୍ଷେପ କରୁ ନ ଥିଲା । ସେ ବେଳେ ବେଳେ ପିତାମହ ଭୀଷ୍ମଙ୍କ ପ୍ରତି କଟୁ ବାକ୍ଯ ପ୍ରୟୋଗ କରୁଥିଲା । ପାଣ୍ଡବମାନେ ଇନ୍ଦ୍ରପ୍ରସ୍ଥକୁ ଫେରିଯିବାର କିଛିଦିନ ପରେ ଦୁର୍ଯ୍ୟୋଧନ ଚିନ୍ତା କରିବାକୁ ଲାଗିଲା , ପାଣ୍ଡବମାନଙ୍କୁ ସେ କିପରି ସେମାନଙ୍କ ରାଜ୍ଯରୁ ସବୁଦିନ ପାଇଁ ବିତାଡିତ କରିଦେବ । ସେ ପୁଣି ତାର ମାମୁଁ ଶକୁନି ଓ ବନ୍ଧୁ କର୍ଣ୍ଣ ସହିତ ମନ୍ତ୍ରଣା କରି ଆଉଥରେ ପଶାଖେଳର ଆୟୋଜନ କରିବାକୁ ମନସ୍ଥ କଲା । ସମସ୍ତେ ଯାଇ ଧୃତରାଷ୍ଟ୍ରଙ୍କ ନିକଟରେ ପହଞ୍ଚି କହିଲେ, ପାଣ୍ଡବମାନଙ୍କୁ ଯଦି ସେମାନଙ୍କ ରାଜ୍ଯରୁ ସମ୍ପୂର୍ଣ୍ଣ ରୂପେ ବିତାଡିତ କରା ନ ଯାଏ, ତା’ ହେଲେ ସେମାନେ ଆମକୁ ଧ୍ବଂସ କରିଦେବେ । ପୁଣି ଥରେ ପଶାଖେଳ କରିବା ପାଇଁ ଆପଣ ଆମକୁ ଅନୁମତି ଦିଅନ୍ତୁ । ଏଥର ମଧ୍ୟ ପଶାଖେଳରେ ନିଶ୍ଚିତ ଭାବରେ ହାରିଯିବ ଏବଂ ଦୀର୍ଘ ବାରବର୍ଷ ପାଇଁ ସେମାନଙ୍କୁ ବନବାସ ଯିବାକୁ ପଡିବ ଏବଂ ଆଉ ଗୋଟିଏ ବର୍ଷ ଅଜ୍ଞାତ ବାସ କରିବାକୁ ପଡିବ । ଏହି ସମୟ ମଧ୍ୟରେ ସେମାନଙ୍କର ସମସ୍ତ ଦର୍ପ ଚୂର୍ଣ୍ଣ ହୋଇଯିବ । ଭୀମ ରାଜସଭାରେ ଦେଇଥିବା ଧମକ କଥା ସେମାନେ ସ୍ମରଣ କରାଇ ଦେବାରୁ ଅନ୍ଧରାଜା କୌଣସି ଆପତ୍ତି ନ କରି ପାଣ୍ଡବମାନଙ୍କୁ ଡାକି ଆଣିବା ଲାଗି ଜଣେ ଦୂତ ପଠାଇଲେ । ଏଥର କିନ୍ତୁ ଭୀଷ୍ମ , ଦ୍ରୋଣ ଓ ବିଦୁର ପ୍ରଭୃତି ଘୋର ପ୍ରତିବାଦ କରିଥିଲେ । ମାତ୍ର ରାଜା ସେମାନଙ୍କ କଥା ପ୍ରତି କର୍ଣ୍ଣପାତ କଲେ ନାହିଁ । ଦୁର୍ଯ୍ୟୋଧନ ଯାହା କହୁଥିଲା ସେ ତାହା କରୁଥିଲେ । ଯୁଧିଷ୍ଠିର ଥିଲେ ଜଣେ ଧର୍ମପ୍ରାଣ ବ୍ଯକ୍ତି । ସେ ଗୁରୁଜନମାନଙ୍କ କଥାକୁ ଆଦୌ ଅମାନ୍ୟ କରୁ ନ ଥିଲେ । ଏତେ ଅପମାନ ଓ ନିର୍ଯାତନା ସହି ମଧ୍ୟ ଧୃତରାଷ୍ଟ୍ରଙ୍କ ଆଦେଶ ପାଇ ସେ ଦ୍ବିତୀୟ ବାର ପଶା ଖେଳିବା ଲାଗି ସପରିବାର ହସ୍ତିନାପୁରରେ ଆସି ପହଞ୍ଚିଲେ ।

       ପୁଣି ସଭାକ୍ଷରେ ସମସ୍ତଙ୍କ ଉପସ୍ଥିତିରେ ଦ୍ବିତୀୟବାର ପଶାଖେଳ ହେଲା ଏବଂ ଦୁର୍ଯ୍ୟୋଧନ ପକ୍ଷରୁ ତାର ମାମୁଁ ଖେଳରେ ବସିଲେ । ଏଥର ମଧ୍ୟ ଶକୁନି ପୂର୍ବପରି ତାର କପଟ କୌଶଳ ପ୍ରୟୋଗ କରି ଖେଳରେ ଯୁଧିଷ୍ଠିରଙ୍କୁ ହରାଇ ଦେଲା । ଏହା ଫଳରେ ସେମାନଙ୍କୁ ସେମାନଙ୍କ ରାଜ୍ୟ ତ୍ଯାଗ କରି ସର୍ତ୍ତ ଅନୁସାରେ ବାରବର୍ଷ ବନବାସ ଏବଂ ଆଉ ଗୋଟିଏ ବର୍ଷ ଅଜ୍ଞାତବାସ କରିବା ପାଇଁ ଯିବାକୁ ପଡିଲା । ସେମାନେ ମାତା କୁନ୍ତୀଙ୍କୁ ସେମାନଙ୍କ ହିତୈଷୀ ବିଦୁରଙ୍କ ଘରେ ଛାଡି ଦେଇ ଦ୍ରୌପଦୀଙ୍କୁ ସଙ୍ଗରେ ଧରି ଚାଲିଲେ ଅରଣ୍ଯକୁ । ସେମାନଙ୍କର ବିଦାୟକାଳୀନ ଦୃଶ୍ୟ ଅତ୍ଯନ୍ତ ମର୍ମନ୍ତୁଦ ଥିଲା । ହସ୍ତିନାପୁର ଓ ଇନ୍ଦ୍ରପ୍ରସ୍ଥର ନଗରବାସୀ ଆକୁଳ କ୍ରନ୍ଦନ କରି ସେମାନେ ଅରଣ୍ୟ ମଧ୍ୟରେ ପ୍ରବେଶ କରିବାଯାଏ ସେମାନଙ୍କ ପଛରେ ଧାଇଁଲେ । ଏହି ବାରବର୍ଷବ୍ଯାପୀ ଅରଣ୍ୟବାସ କାଳରେ ଅର୍ଜୁନ ଘୋର ତପସ୍ୟା କରି ଶିବଙ୍କଠାରୁ ଭୟାନକ ପାଶୁପତ ଅସ୍ତ୍ର ଏବଂ ଇନ୍ଦ୍ରଙ୍କଠାରୁ ଅବ୍ଯର୍ଥ ଅସ୍ତ୍ର ବଜ୍ର ସମେତ ଅନ୍ଯାନ୍ଯ ଶକ୍ତିଶାଳୀ ଦିବ୍ଯ ଅସ୍ତ୍ରମାନ ପ୍ରାପ୍ତ ହୋଇଥିଲେ । ସେମାନଙ୍କ ଅରଣ୍ୟବାସ କାଳରେ ପାଣ୍ଡବମାନେ ଯେପରି କ୍ଷୁଧାରେ କଷ୍ଟ ନ ପାଇବେ , ସେଥିଲାଗି ସୂର୍ଯ୍ୟ ଦେଵତା ସେମାନଙ୍କୁ ଅକ୍ଷୟପାତ୍ର ପ୍ରଦାନ କରିଥିଲେ , ଯାହାକି ଦିନସାରା ଖାଦ୍ଯ ପଦାର୍ଥରେ ଭରପୁର ହୋଇରହୁଥିଲା ଏବଂ ଦ୍ରୌପଦୀ ରାତିରେ ଖାଇ ସାରିବା ପରେ ଏହା ପରଦିନ ସକାଳ ପର୍ଯ୍ୟନ୍ତ ଖାଲି ହୋଇଯାଉଥିଲା ।

      ପାଣ୍ଡବମାନେ କାମ୍ଯକ ଅରଣ୍ୟରେ ରହିଥିବା ସମୟରେ ଦିନେ ଶ୍ରୀକୃଷ୍ଣ ସେମାନଙ୍କୁ ଦେଖିବା ପାଇଁ ବଡ଼ଭାଇ ବଳରାମଙ୍କ ସହିତ ଦ୍ବାରକାରୁ ଆସି ପହଞ୍ଚିଲେ ସେଠାରେ । ସେମାନଙ୍କର ସୁହୃଦ ଶ୍ରୀକୃଷ୍ଣଙ୍କୁ ଦେଖି ପାଣ୍ଡବ ଭ୍ରାତାଗଣ ଓ ଦ୍ରୌପଦୀ ଆନନ୍ଦରେ ଅଧିର ହୋଇଗଲେ । ପାଣ୍ଡବମାନଙ୍କର ବନବାସ ଅବସ୍ଥା ଦେଖି ଶ୍ରୀକୃଷ୍ଣଙ୍କ ହୃଦୟ ଦୁଃଖରେ ଭରିଗଲା । ସେ ସେମାନଙ୍କୁ ସାନ୍ତ୍ବନା ଦେଇ କହିଲେ, ଦେଖ , ସେଦିନ ପାଖେଇ ଆସୁଛି ଯେତେବେଳେ କି ତୁମମାନଙ୍କୁ ଏ ଦଶା ଭୋଗ କରିବାକୁ ଦେଇଥିବା ପାପୀମାନଙ୍କ ରକ୍ତରେ ଧରା ଭିଜିଯିବ । ତୁମମାନଙ୍କର ଦୁଃଖର ଦିନ ଶେଷ ହୋଇ ଆସୁଛି । ଦ୍ରୌପଦୀ ଶ୍ରୀକୃଷ୍ଣଙ୍କ ନିକଟରେ ଭାବବିହ୍ବଳ ହୋଇ କହି ଉଠିଲେ, ହେ କୃଷ୍ଣ, ମୋର ଏହି ପାଞ୍ଚ ପତିଙ୍କ ସମ୍ମୁଖରେ ମୁଁ କୁରୁ ସଭାରେ ଯେଉଁ ଲାଞ୍ଛନା ପାଇଛି ତାହା ତ ତୁମେ ଜାଣିଥିବ । ତୁମ ସକାଶେ ହିଁ ମୋର ସମ୍ମାନ ରହିଲା । ଏହା କହି ଦ୍ରୌପଦୀ ଭୋ ଭୋ କରି କାନ୍ଦି ଉଠିଲେ । ଶ୍ରୀକୃଷ୍ଣ ଉତ୍ତେଜିତ କଣ୍ଠରେ କହିଲେ, ଶୁଣ ଦ୍ରୌପଦୀ, ତୁମକୁ ଯେଉଁମାନେ କନ୍ଦାଇଛନ୍ତି, ସେମାନଙ୍କ ପତ୍ନୀମାନେ ବିଧବା ହୋଇ ଏହା ଅପେକ୍ଷା ଶତସହସ୍ର ଗୁଣ ଅଧିକ କ୍ରନ୍ଦନ କରିବାର ଦିନ ଆଉ ବେଶି ଦୂର ନାହିଁ ବୋଲି ଜାଣ । ଏହା କହି ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ନାନା ପ୍ରକାର ଆଶ୍ଵାସନା ଦେଇ ଦ୍ବାରକା ଫେରିଗଲେ । ଏହିପରି ଭାବରେ ଦୀର୍ଘ ବାରବର୍ଷ କାଳ ଅରଣ୍ୟ ମଧ୍ୟରେ ବିତାଇ ପରବର୍ତ୍ତୀ ଗୋଟିଏ ବର୍ଷ ପାଣ୍ଡବମାନେ ଛଦ୍ମବେଶରେ ରାଜା ବିରାଟଙ୍କ ଘରେ ରହିଲେ । ସେମାନଙ୍କ ଅଜ୍ଞାତବାସ ସମ୍ପୂର୍ଣ୍ଣ ହୋଇଯିବା ପରେ ପାଣ୍ଡବମାନେ ହସ୍ତିନାପୁରକୁ ଫେରିଆସି ନିଜ ରାଜ୍ୟ ଫେରସ୍ତ ପାଇବା ଲାଗି ଯେତେବେଳେ ଦାବୀ ଜଣାଇଲେ,ସେତେବେଳେ ଦୁର୍ଯ୍ୟୋଧନ ତାହା ସେମାନଙ୍କୁ ଫେରାଇବା ତ ଦୂରର କଥା , ଛୁଞ୍ଚି ଅଗରେ ରହୁଥିବା ଟିକିଏ ଜାଗା ମଧ ଦେବି ନାହିଁ ଵୋଲି ରୋକଠୋକ ମନା କରି ଦେଲା । ପାଣ୍ଡବମାନେ ଅନନ୍ଯୋପାୟ ହୋଇ ହସ୍ତିନାପୁର ଠାରୁ ଅଳ୍ପ କିଛି ଦୂରରେ ଏକ ଗ୍ରାମରେ ଆଶ୍ରୟ ନେଇ ରହିଲେ ଏବଂ ଶ୍ରୀକୃଷ୍ଣଙ୍କ ନିକଟକୁ ଆସିବା ଲାଗି ଖବର ପଠାଇଲେ । ଏଣେ ହସ୍ତିନାପୁରରେ ଧୃତରାଷ୍ଟ୍ରଙ୍କ ସାନଭାଇ ବିଦୁର ଓ ପିତାମହ ଭୀଷ୍ମ ଦୁର୍ଯ୍ୟୋଧନର ଏପ୍ରକାର କାର୍ଯ୍ୟକଳାପ ଯୋଗୁଁ ଘୋର ଅସନ୍ତୁଷ୍ଟ ହୋଇ ପାଣ୍ଡବମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇ ଦେବା ଲାଗି ଦୁର୍ଯ୍ୟୋଧନକୁ ଯେତେପ୍ରକାର ବୁଝାଇଲେ ସୁଦ୍ଧା ସେ ସେମାନଙ୍କ କଥା ତିଳେ ମାତ୍ର ଶୁଣି ନ ଥିଲା ବରଂ ପାଣ୍ଡବମାନଙ୍କ ପ୍ରତି ସମବେଦନା ଦେଖାଉଥିବାରୁ ସେମାନଙ୍କୁ ଘୋର ଭର୍ତ୍ସନା କରିଥିଲା ।

         ଇତି ମଧ୍ୟରେ ଶ୍ରୀକୃଷ୍ଣ ଦ୍ବାରକାରୁ ଆସି ପାଣ୍ଡବମାନଙ୍କ ନିକଟରେ ପହଞ୍ଚିଲେ ଏବଂ ସେମାନଙ୍କ ପକ୍ଷରୁ ଏକ ଶାନ୍ତି ପ୍ରସ୍ତାବ ନେଇ ହସ୍ତିନାପୁର ଗଲେ । ପାଣ୍ଡବମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇ ଦେବା ପାଇଁ ସେ ଦୁର୍ଯ୍ୟୋଧନକୁ ଅନେକ ବୁଝାଇଲେ । ଏପ୍ରକାର ଅନୈତିକ ଓ ଅଧର୍ମ କାର୍ଯ୍ୟରୁ ବିରତ ରହିବାକୁ ସେ ଯେତେ ବୁଝାଇଲେ ବି ଦୁଷ୍ଟବୁଦ୍ଧି ଦୁର୍ଯ୍ୟୋଧନ ସେଥିପ୍ରତି କର୍ଣ୍ଣପାତ କରି ନ ଥିଲା ବରଂ ରାଗିଯାଇ ଶ୍ରୀକୃଷ୍ଣଙ୍କୁ ବନ୍ଦୀ କରିବା ପାଇଁ ଉଦ୍ଯତ ହୋଇଥିଲା । କିନ୍ତୁ ଶ୍ରୀକୃଷ୍ଣଙ୍କର ପ୍ରଚଣ୍ଡ ଉଗ୍ର ମୂର୍ତ୍ତି ଦେଖି ସେ ଭୟଭୀତ ହୋଇ ଏହି କୁକାର୍ଯ୍ଯରୁ କ୍ଷାନ୍ତ ହୋଇଥିଲା । ଶ୍ରୀକୃଷ୍ଣ ବିଫଳମନୋରଥ ହୋଇ ଫେରିଯିବା ପୂର୍ବରୁ ଦୁର୍ଯ୍ୟୋଧନକୁ ସତର୍କ କରାଇ ଦେଇ କହିଥିଲେ, ତୁମେ ପାଣ୍ଡବମାନଙ୍କୁ ସେମାନଙ୍କ ରାଜ୍ୟ ନ ଫେରାଇବା କାରଣରୁ ଏକ ଧର୍ମଯୁଦ୍ଧ ହେବ ଏବଂ ସେଥିରେ ତୁମମାନଙ୍କ ବଂଶ ସମୂଳେ ଧ୍ବଂସ ହୋଇଯିବ । ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣଙ୍କ କଥାକୁ ଏକ ଅଟ୍ଟହାସ୍ଯରେ ଉଡାଇ ଦେଲା । କ୍ରମଶଃ……

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା

ସମ୍ପାଦକ–ମୋ ଅନୁଷ୍ଠାନ, ଆଳଦା, ଖଇରା,ବାଲେଶ୍ଵର,

Related posts

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୁପ୍ରା ରେ ବାର୍ଷିକୀ ଉତ୍ସବ ପାଳନ

Sunil Chandra Nayak

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟ କାର୍ଯ୍ୟାଳୟ ଆଗରେ ଧାରଣା

Sunil Chandra Nayak

ସମାଜସେବୀ ରମେଶ ବଳଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

Leave a Comment

error: Content is protected !!